You are currently viewing ପଖାଳ
ପଖାଳ

ପଖାଳ

ପୁଅ ଆଉ କ’ଣ ଦେବି? ଶାଶୂଙ୍କର ଏଇ ପ୍ରଶ୍ନ ଶୁଣି ଡାଇନିଂ ଟେବୁଲ ଉପରେ ସୁନ୍ଦର ସଜ୍ଜା ହୋଇଥିବା ପଖାଳ ପ୍ରସ୍ତୁତି ଉପରେ ଥରେ ନଜର ବୁଲାଇ ଥିଲି ମୁଁ । କେତେ ରକମର ଖାଦ୍ୟ ସଜା ହେଇଥିଲା ଭଳିକି ଭଳି ।

ଦହି ପଖାଳରେ ଫୁଟା ଯାଇଥିବା ଜିରା ଆଉ ଭୃସଙ୍ଗ ପତ୍ର ପରସ୍ପରକୁ ଏକରକମ ପାତ୍ର ଉପରେ ଭାସିବାକୁ ଯେମିତି ଏକ ପ୍ରତିଯୋଗିତା କରିଚାଲିଥିଲେ । ଆଳୁ ଭର୍ତ୍ତାରେ ପିଆଜ ଆଉ ରସୁଣର ଯୁଗଳ ବନ୍ଦୀ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହେଉଥିଲା । ବାଇଗଣ ଭଜାରେ ଲାଗୁଥିଲା ଯେମିତି ବେସର ପୁରା ସମର୍ପି ଦେଇଛି ନିଜକୁ ବାଇଗଣ ପାଖରେ । ନିଜର ଅସ୍ତିତ୍ଵକୁ ତ୍ୟାଗକରି ବଡ଼ିଗୁଡ଼ିକ ଚୁର୍‌ମାର୍ ହୋଇଯାଇଛନ୍ତି ଥାଳିର ଗୋଟେ କଡ଼କୁ । ଲମ୍ବା ଲମ୍ବା ପୋଟଳ ନିଜକୁ ଏକ ସୈନ୍ୟ ପରି ରଣକ୍ଷେତ୍ରରେ ବିଜୟୀ ଲାଭ ପରେ ଯେମିତି ଆଶ୍ରୟ ନେଇଥାନ୍ତି ମାଟି ମାଆ ଉପରେ, ଠିକ୍ ସେଇଭଳି ଥାଳିର ଗୋଟେ କଡ଼ରେ ଶୋଇପଡ଼ିଛନ୍ତି । ଓଠର ଭାଷା ଆଉ ଆଖିର ମଧ୍ୟସ୍ଥତା ପ୍ରେମ ପାଇଁ ଯେମିତି ଅମ୍ଳଜାନ ସଦୃଶ୍ୟ ହୋଇଥାଏ ଠିକ୍ ସେଇଭଳି ଭାବେ ଲୁଣ ଆଉ ଲଙ୍କା ତାଙ୍କର କତୃତ୍ୟ ଯାହିର କରିସାରିଥିଲେ ପଖାଳର ସମ୍ପୂର୍ଣ୍ଣତା ପାଇଁ ।

ସ୍ଥାନ ଥିଲା ଦିଲ୍ଲୀର ଏକ ନଭଶ୍ଚୁମ୍ବି ଅଟ୍ଟାଳିକାର କେଉଁ ଏକ ମହଲା । ପତ୍ନୀଙ୍କ ଭାଇ ମୋର ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ଆଉ ମୋର ଶଶୁର ଥିଲେ ଅବସରପ୍ରାପ୍ତ ପ୍ରସାଶନିକ ସଚିବ । ମୋ ଭଳି ଏକ ଗରିବ ପୁଅକୁ ତାଙ୍କ ଝିଅ ସୀମା କେମିତି ବା ଭଲ ପାଇ ବିବାହ କଲା ମୋ ଜ୍ଞାତସାରର ବାହାରେ ଥିଲା ସଦାବେଳେ ପାଇଁ । ସୀମାର ଅନୁରୋଧ ରକ୍ଷା କରି ପ୍ରଥମଥର ପାଇଁ ଆସିଥିଲି ମୁଁ ଦିଲ୍ଲୀ, ବହୁ ପୁରୁଣା ବାଦ ବିବାଦକୁ ପଛରେ ପକାଇ । ମୁଁ କାହିଁ କେଜାଣି ଅର୍ଥ, ପ୍ରାଚୁର୍ଯ୍ୟ ଆଉ ଆଭିଜାତ୍ୟରେ ସଦାବେଳ ପାଇଁ ଅଣନିଶ୍ୱସୀ ହୋଇପଡ଼େ କିନ୍ତୁ ସାମାଜିକ କର୍ତ୍ତବ୍ୟବୋଧ ବି ତା’ ସଙ୍ଗେ ସଙ୍ଗେ ପାଳନ କରିବାକୁ ପଡ଼ିଥାଏ ।

ଯେତେବେଳେ ସୁଡ୍ କିନା ପ୍ରଥମ ଗୁଣ୍ଡାଟିକୁ ପାଟିକୁ ନେଇଛି କିଛି ଗୋଟେ ଚାପା ହାସ୍ୟରୋଳର ଆଭାସ ପାଇ ସାରିଥିଲି ମୁଁ, କିନ୍ତୁ ଏହାକୁ ଅତି ଚାଲାକର ସହ ସୀମା ସମ୍ଭାଳି ନେଇଥିଲା, ବୋଉ ଲୁଣ କମ୍ ହୋଇଛି ବଡ଼ି ଚୁରାରେ କହି ।

ପଖାଳକୁ ସୁଡ୍ କିନା ଖାଇବାର ଅଭ୍ୟାସ ମୋତେ ନେଇଯାଇଥିଲା ପ୍ରାଣନାଥ ମହାବିଦ୍ୟାଳୟରେ ଥିବା ନୀଳାଦ୍ରି ମେସ୍‌କୁ । ସକାଳେ କାଳିଆ ଭାଇନାକୁ ଟିକେ ପାଲେଇ ଅଧିକ କରି ଆମେ ଭାତ ଆଣି ଥାଉ ଯାହାକି ଆମକୁ ଚାରିଟା ବେଳେ ପଖାଳ ଖାଇବା ପାଇଁ ସାହାଯ୍ୟ କରିଥାଏ । ଅପରାହ୍ନର ପଖାଳ ପର୍ବ ଖାଲି ପର୍ବ ନ ଥିଲା ଏହା ଥିଲା, ଏକ ମିଳନ ସମ୍ପର୍କର, ଏକ ମିଳନ ଭାବାବେଗର । ଠିକ୍ ଚାରିଟା ହବା ପୂର୍ବରୁ ପ୍ରତାପ, ଆମରି ରୁମରେ ରହୁଥିବା ଆମ ଜୁନିୟରକୁ ପଠେଇ ଦଉଥିଲୁ ଜେମାଦେଇରୁ ପଚାଶ ପଇସିଆ ବରା ଆଉ ଆଳୁଚପ୍ ଆଣିବା ପାଇଁ । ପ୍ରତାପ ବି ସବୁଦିନ ଏକ ନିର୍ଭୀକ ସୈନ୍ୟ ଭଳି ବିର ଦର୍ପରେ ମାଡ଼ି ଚାଲୁଥିଲା ଦଶ ଟଙ୍କା ନେଇ । ସମସ୍ତେ ମିଶେଇ କରି ପଇସା ଦେଇଥାଉ ଏହି ସବୁ ଆୟୋଜନ ପାଇଁ, ମାତ୍ର ବେଳେ ବେଳେ ପ୍ରକାଶ ନାମକ ସାଙ୍ଗଟି ମାହାଳିଆ ପଖାଳ ପର୍ବର ଆନନ୍ଦ ଉଠାଇବାର ନଜର ମଧ୍ୟ ରହିଛି । ସାଙ୍ଗ କିଛି ଏହିଭଳି ରହିଲେ ହିଁ ପ୍ରକୃତ ମଜା ଆସିଥାଏ, ନ ହେଲେ ଚିଡ଼ାଇବୁ କାହାକୁ?

ପୂର୍ବବର୍ତ୍ତୀକୁ ଅଧିକାର କରି ହିଁ ପରବର୍ତ୍ତୀର ଆବିର୍ଭାବ । ଏହି ଭଳି ଭାବେ ପ୍ରକାଶ ପ୍ରାକ୍ ପ୍ରସ୍ତୁତି ଅନୁଯାୟୀ ରୋଷେଇ ଘରୁ ଚୋରି କରି ଆଣୁଥିଲା ପିଆଜ, ରସୁଣ ଆଉ କଞ୍ଚା ଲଙ୍କା ଏବଂ ଏହି କାମ ତା’ଠୁ ବୋଧେ କେହି ଅତି ସନ୍ତର୍ପଣରେ କରି ପାରିବେନି ଏହି ଦୁନିଆରେ, ଏହି ଦୃଢ଼କ୍ତି ଆମ ରୁମ୍ ପିଲା ହିଁ ଜାଣି ପାରିବେ । ପାଞ୍ଚଟି ବେଲାରେ ନିଜ ନିଜର ପଖାଳ ଆଣି ସାରିଲା ପରେ ଅସଲ କାର୍ଯ୍ୟକ୍ରମଟି ଆରମ୍ଭ ହୁଏ । ପ୍ରଥମେ ଗୋଟେ ବଡ଼ ଥାଳିରେ ବରା ଆଳୁଚପ୍‌କୁ ଅତି ନିର୍ଦ୍ଦୟ ଭାବେ ଅତ୍ୟାଚାର କରାଯାଇ ଚକଟା ଯାଇଥାଏ । ଏହା ପରେ ପ୍ରକାଶ ଦ୍ଵାରା ଚୋରା ହୋଇଥିବା ଲଙ୍କା ଆଉ ପିଆଜ, ରସୁଣ ଏଭଳି ଭାବେ ଦଳା ଯାଇଥାଏ ଯେମିତି ଲାଗେ କୁମ୍ଭାର ମାଟି ଦଳୁଚି । ଠିକ୍ ଏହି ପର୍ବ ପରେ କେତେ ଲିଟର ପାଣି ପଡ଼େ ସେହି ଥାଳିରେ କୋଉ ବୈଜ୍ଞାନିକ ପକ୍ଷେ କହିବା ବି ଅସମ୍ଭବ ହୋଇ ପଡ଼ିବ ।

ଏହା ଭିତରେ କେତେବେଳେ ଯେ ଖାଇବା ଆରମ୍ଭ ହୋଇଯାଇଥାଏ ସୁଡ଼୍ ସୁଡ଼୍ ଶବ୍ଦରୁ ହିଁ ଯାହା ଜଣା ପଡ଼ିଥାଏ । ସତରେ ଏକ ଅପୂର୍ବ ଆନନ୍ଦ ଥିଲା ସେ ଖାଇବାରେ । ଯଦି ଠିକ୍ ଭାବେ ନିରୀକ୍ଷଣ କରାଯାଏ, ପ୍ରତି ସେକେଣ୍ଡରେ ଥାଳିକୁ ବୋଧେ ଚବିଶ କି ପଚିଶଟା ହାତ ଖାଲି ଯିବା ଆଉ ଆସିବାର ଲକ୍ଷ୍ୟ କରିହେବ । ଖାଇବା ପରେ ଆମ ମେସରେ ଶଙ୍ଖୁଡ଼ି ଉଠେଇବାର ଗୋଟେ କଳା ଥାଏ, ବୋଧେ ଏଇଟା ଆମ୍ଭେ ଆମ ପୂର୍ବ ପୁରୁଷ, ମାନେ ବଡ଼ ଭାଇଙ୍କଠାରୁ ଶିଖିଥିଲୁ ଆଉ ଆମେ ବି ଆମ ତଳ ପିଲାଙ୍କୁ ଶିଖାଉଥିଲୁ ।

କଲେଜ ଜୀବନର ପଖାଳ ଆଉ ଏଠି ଡାଇନିଂ ଟେବୁଲ ଉପର ପଖାଳ ଭିତରେ ତଫାତ୍ ଭାବୁ ଭାବୁ କେତବେଳେ ଖାଇବା ସାରି ହାତ ଧୋଇ ସାରିଥିଲି ମୁଁ ବି ଜାଣି ପାରିନଥିଲି । ସୀମା ହଠାତ୍ କହିଥିଲା, “ଭାଇକୁ କହିଛି ତତ୍କାଳରେ ରାଜଧାନୀରେ ଟିକେଟ୍ କରିବା ପାଇଁ ଓଡ଼ିଶାକୁ ।” ସୀମା ବୋଧେ ବୁଝି ପାରୁଥିଲା ମୋ ପଖାଳର ସୀମା ଆଉ ପରିଧିକୁ ।

ଅସିତ୍ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅସିତ୍ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।