You are currently viewing କାନ୍ଦୁଛି ନିରୀହ ନାରୀ
କାନ୍ଦୁଛି ନିରୀହ ନାରୀ

କାନ୍ଦୁଛି ନିରୀହ ନାରୀ

କାହିଁକି ଖେଳୁଛ ନାରୀଙ୍କ ଦେହରେ
କି ଲାଭ ତୁମେ ବା ପାଉଛ,
ମାଂସ ଲୋଭୀ ତୁମେ ରାକ୍ଷସ ସାଜିଣ
ଅନ୍ୟର ଜୀବନ ନେଉଛ ।

କାମନାରେ ତୁମେ ବଶବର୍ତ୍ତୀ ହୋଇ
କାହିଁକି ଇଜ୍ଜତ ଲୁଟୁଛ,
ଆଉ କାହା ଦେହେ କଳଙ୍କ ଲଗେଇ
କି ସୁଖ ତୁମେ ବା ପାଉଛ ।

ନାରୀ ଅଟେ ମାଆ ସିଏ ବି ଭଗିନୀ
ଏକଥା କି ଭୁଲି ଯାଉଛ,
ସହଧର୍ମିଣୀ ଯେ ଅଟେ ସେହି ନାରୀ
ଜୀବନ ଯା ସାଥେ କାଟୁଛ ।

ସେହି ନାରୀଠାରୁ ସେନେହ ମମତା
ପ୍ରୀତି ଓ ପ୍ରେରଣା ପାଉଛ,
ହେଲେ ପୁଣି ତୁମେ କାମୁକଟେ ସାଜି
ଦେହ ସାଥେ ତା’ର ଖେଳୁଛ ।

କାହାକୁ କାହିଁକି ନିର୍ଯ୍ୟାତନା ଦେଇ
ଧର୍ଷଣ କାହାକୁ କରୁଛ,
କାହା ମୂଲ୍ୟବାନ ଜୀବନରେ କାହିଁ
ମୃତ୍ୟୁର କାରଣ ସାଜୁଛ ।

କାମନାଟା ସିନା ପାପ ନୁହେଁ ଏଠି
କାହିଁକି ପାପୀଟେ ସାଜୁଛ,
କ୍ଷଣିକ ଆନନ୍ଦେ ଆଉ କା’ ଦେହରେ
କଳଙ୍କ କାହିଁକି ବୋଲୁଛ ।

ପୁଣ୍ୟଭୂମି ଏହି ଭାରତ ବର୍ଷରେ
ପାପୀରେ ଯେ ଗଣା ହେଉଛ,
କାହା ଜୀବନକୁ ନର୍କ କରିଦେଇ
ନିଜେ ବି ନର୍କକୁ ଯାଉଛ ।

ନାରୀ ବିନା ଏଠି ପୁରୁଷ ବଞ୍ଚେନା
ଏକଥା କି ଭୁଲି ଯାଉଛ,
ନାରୀ ଯେ ମହାନ ଦିଅ ହେ ସମ୍ମାନ
କାହିଁ ଆସମ୍ମାନ କରୁଛ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ନାଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।