ଶେଷରୁ ଆରମ୍ଭ
ଶେଷରୁ ଆରମ୍ଭ

ଶେଷରୁ ଆରମ୍ଭ

ତମେ ଗଲାପରେ……
ମନ – ମରୁଭୂମି
ଦେହ – ଜରାଜୀର୍ଣ୍ଣ
ଜୀବନ – ଯନ୍ତ୍ରଣା ପୂର୍ଣ୍ଣ, ଜିଇଁବା ବୃଥା
ପଥ -କଣ୍ଟକିତ
ବିଶ୍ୱାସରେ ଅବିଶ୍ୱାସର କଳଙ୍କ ।

ସମୟ – ଟିକ୍ ଟିକ୍ କରି ଖାଇଯାଏ ଘଣ୍ଟାର କଣ୍ଟା
ବୟସ – ଆୟୁଷଠୁଁ ଫେଡ଼ିହେଇ ସମୟ ଠୁଁ ଆଗରେ
ଛାତିର କୋହ ସବୁ ଆଖିର ଲୁହ ହେଇ ବହି ଯାଏ
ଶୀତୁଆ ରାତିର ଜ୍ୟୋସ୍ନା ବି ଦେହକୁ ପୋଡ଼ିଦିଏ
କପୋତ ବି ଦେଖେ ଶାଗୁଣାର ଲୋଲୁପ ଦୃଷ୍ଟିରେ
ମୁଁ, ନିଷ୍ପେସିତ – କ୍ରୋଧ, ହିଂସା, ଘୃଣାର ଚାପରେ
ପ୍ରତୀକ୍ଷା – ଆଜି ବି ପ୍ରତିଶୃତିରେ ବନ୍ଧା ।

ତମେ ଫେରି ଆସନ୍ତ କି…..
ଶିଖେଇ ଦିଅନ୍ତି ସେ ଜୀବନକୁ – ଜିଇଁବାର କଳା,
ଅନୁଭବ କରାନ୍ତି ସେ ହୃଦୟକୁ..
କୋହ ଚାପି ଓଠରେ ହସ ଫୁଟାଇବାର କୌଶଳ ।

ପ୍ରେମରେ ବି ଜିଇଁ ହୁଏ, କଳ୍ପନାରେ ବଞ୍ଚି ହୁଏ
ପ୍ରେମସ୍ନାତା ଜୀବନ ଆଉ ପ୍ରେମ ବିନା ଜୀବନର ପାର୍ଥକ୍ୟ ।

ବୁଝେଇ ଦିଅନ୍ତି ସେ ଦେହକୁ
ମନ କୁହୁଳୁଥିଲା ବିରହର ନିଆଁରେ
ଜ୍ୟୋସ୍ନା ତ ସଦା ଶୀତଳ ସ୍ପର୍ଶ, ଆଉ
କପୋତ ଶାନ୍ତିର ପ୍ରତୀକ ।

ଜଣେଇ ଦିଅନ୍ତି ସେ ବୟସକୁ..
କେମିତି ଯେ ବଞ୍ଚିହୁଏ
ସମୟର ତାଳେ ତାଳେ
ଆୟୁଷର ଆଶୀର୍ବାଦରେ ।

ଜଣେଇ ଦିଅନ୍ତି ସେ ଦୁନିଆକୁ…
ବିଶ୍ୱାସ ଅବିଶ୍ୱାସ ଯେ ଦୁଇଟି ବିପରୀତ ଶବ୍ଦ,
ଶାନ୍ତି ମୈତ୍ରୀ ପ୍ରେମରେ ବଞ୍ଚିବାର ଅପୁରନ୍ତି ଆନନ୍ଦ,
ସବୁ ଆରମ୍ଭର ଶେଷ ଆଉ
“ଶେଷରୁ ହିଁ ଆରମ୍ଭ”…. ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu