You are currently viewing ସୁନୟନା ସୁଲୋଚନା
Odia Poem Sunayana Sulochana (ସୁନୟନା ସୁଲୋଚନା) by Rajshekhar Chima on Shubhapallaba Magazine

ସୁନୟନା ସୁଲୋଚନା

ସୁଦର୍ଶନ ହେଲା ଯେ ତୁମର ଆକର୍ଷଣୀୟ ଆନନ,
ଅନ୍ତଃକରଣରେ ସୃଷ୍ଟି ହେଲା କୋମଳ କମ୍ପନ,
ତକ୍ଷଣ ଶୁଭେଇଲା ପ୍ରେମଗୀତର ଗନ୍ଧର୍ବ ଗୁଞ୍ଜନ,
ଲାଗେ ଯେ ମଳୟାନିଳର ହୋଇଛି ପ୍ରଭଞ୍ଜନ |୧|

ସଙ୍ଗମ ହେଲା ତୁମ କଜ୍ୱଳିତ ନୟନ ସହ ମୋ ନୟନ,
ମନ୍ତ୍ରମୁଗ୍ଧ ହୋଇ ରୁଣୁଝୁଣୁ ନାଚିଲା ମୋ ଅଧୀର ମନ,
ନିର୍ଜନ ନବଲୋକକୁ ଶୀଘ୍ର କରିବା ବିହଙ୍ଗ ପରି ବହନ,
ପ୍ରେମାନୁରକ୍ତ ପ୍ରେମଲୋକରେ ସଜେଇବା ସୁନ୍ଦର ସଦନ |୨|

ତୁମ ଅଞ୍ଜନ ଅଳଙ୍କୃତ ନେତ୍ର ଲାଗନ୍ତି ଯେ ମନୋହାରୀ ମୀନ,
ଏହି ସୁରମ୍ୟ ସୌନ୍ଦର୍ଯ୍ୟର କରୁଛି ମୁଁ ଅବିରାମ ଆସ୍ଵାଦନ,
କେବେ କରିବ ମୋ ନିର୍ଜୀବ ନୀରସ ଜୀବନରେ ଆଗମନ,
ତୁମ ବିନା ନିରର୍ଥକ ନିଷ୍ପ୍ରୟୋଜନ ଲାଗୁଛି ଏହି ଭୂମି ଭୁବନ |୩|

ସମ୍ମୋହିତ ହେଲି ଦେଖି ତୁମ ସୁମନୋଜ୍ଞ ସୁନୟନ,
କୌଣସି କାର୍ଯ୍ୟର କରି ପାରୁନି ସଂକଳନ ସଂଶୋଧନ,
ମନେ ପଡ଼େ ଯେ ମଳୟଜଶୀତଳ ମଳୟଚନ୍ଦନ,
ସହନଶୀଳ ହୋଇ କଦାପି କରିବନି କ୍ରୋଧ କ୍ରନ୍ଦନ |୪|

ଲାସ୍ୟ ଲୟ କରନ୍ତି ତୁମର ଲାବଣ୍ୟ ଲୋଚନ,
ଋଷିଲେ ବି ମନମୋହକ ତୁମର ସୁଲକ୍ଷଣ ସୁଲୋଚନ,
ଲୁଚି ଲୁଚି ବାଙ୍କଚାହାଣି ପାଇଁ ସୁପ୍ରସିଦ୍ଧ ତୁମ ରାଜୀବଲୋଚନ,
ଏହି ବିଶିଷ୍ଟ ବିମୋହନରୁ ମିଳି ପାରିବନି ବିମୁକ୍ତି ବିମୋଚନ |୫|

ପ୍ରିୟଦର୍ଶନ ମୋ ପାଇଁ ତୁମର ସୌହାର୍ଦ୍ଦ ସପନ,
ଆଖି ଆଗେ ଦିଶେ ତୁମର ବିଲକ୍ଷଣ ବଦନ,
ତୁମର ମୁଖ୍ୟ ଅଳଙ୍କାର ଯେ କୌସ୍ତୁଭ କମଳନୟନ,
ଯାହାର ଚମକଦମକ ମନେ ପକାଏ କାନ୍ତିକର କୁନ୍ଦନ |୬|

ତୁମ ବିରହର କରିପାରୁ ନାହିଁ ସହନ,
ଏହି ଅନଳରେ ହୋଇ ଯାଉଛି ଦହନ,
ତୁମ ଉପସ୍ଥିତି ନୟନତାରା ସମ ଅନୁପମ ଉପନ,
କରୁଛି ଏହି ଅକାଟ୍ୟ ବଚନର ଜ୍ଞାପନ |୭|

ବୁଝିଲ ତୁମେ ମୋର ପ୍ରିତୀକର ଲାଳିତ୍ୟ ଆଳାପନ,
ମନୋହର ମଦନକାଳର କରିଲ ଉପଯୁକ୍ତ ଉଦ୍ଦୀପନ,
ସୁନୟନା ସୁଲୋଚନା ହୋଇ କରିଲ ସରସ ସମାଧାନ,
ଚକାନୟନଙ୍କ ଆଶୀଷରେ ଶେଷ ହେଲା ଏହି ଅନନ୍ୟ ଅନୁସନ୍ଧାନ |୮|

ରାଜ ଶେଖର ଶ୍ରୀ ଚିମା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।