You are currently viewing ଶୂନ୍ୟ ଏକ ଆକାଶ
ଶୂନ୍ୟ ଏକ ଆକାଶ

ଶୂନ୍ୟ ଏକ ଆକାଶ

ଆଉ ଯିଏ ଯାହା ଭାବୁ, ସୁଜାତାର ମନ କିନ୍ତୁ ଆଜି ଭାରି ଉଚ୍ଛନ୍ନ । ଦୀର୍ଘ ଦୁଇ ମାସର ପ୍ରତୀକ୍ଷା ପରେ ହୁଏତ ଆଜି ସେ ସୁଦିନ ଦେଖିବାକୁ ମିଳିବ । ଦୁଇ ଦୁଇଟା ଖୁସି ଏକା ସାଙ୍ଗରେ ମିଳିବାକୁ ଯାଉଛି । ଭଗବାନ ହୁଏତ ଆଜି ଏତେ ଦିନ ପରେ ତା’ ପ୍ରତି ନିଜର ଶୁଭ ଦୃଷ୍ଟି ପକେଇଛନ୍ତି ।

ଓଃ ! ସେ ପୁରୁଣା ଦିନର ଦୁଃଖ ସବୁ ଭାବିବାକୁ ଆଜି ତା’ର ଜମାରୁ ବି ଇଚ୍ଛା ନାହିଁ । ତଥାପି ମନ ଭିତରକୁ ଧସେଇ ପଶି ଆସୁଛି ଶତ ଅନିଚ୍ଛା ସତ୍ତ୍ୱେ । ମନରେ ଆଶା ଟିକକ ଆଜି ବି ମିଞ୍ଜି ମିଞ୍ଜି ଜଳୁଥିଲା, ସେ ଲଗାଇଥିବା ତୁଳସୀ ଗଛ ବଞ୍ଚିଛି ମାନେ ସେ ବି ବଞ୍ଚିଛନ୍ତି ।

ଆଉ ଆଜି ତା’ ଆଶା ସତରେ ପରିଣତ ହେବାକୁ ଯାଉଛି । ତା’ ସ୍ୱାମୀ ବଞ୍ଚିଛନ୍ତି ଆଉ ଆଜି ଫେରି ଆସିବେ । ସାମ୍ନାରେ ତାଙ୍କୁ ଦେଖିଲେ ସବୁକଥା ଆଗେ ବଖାଣି ଯିବ । ଯେତେ ଭୁଲ୍ ଥିଲେ ବି ତାଙ୍କୁ ଅନ୍ୟ ମାନଙ୍କ ଆଗରେ ଦୋଷୀ ହେବାକୁ କେବେ ବି ଦେବ ନାହିଁ । ଏମିତି କେତେ କ’ଣ ମନେ ମନେ ଭାବୁଥାଏ ସେ… ଆଉ ନିଜ ଭାଗ୍ୟକୁ ନିନ୍ଦିବାକୁ ପଛାଉନଥାଏ ।

ସେ କେଉଁ ଏକ ଅଶୁଭ ମୁହୁର୍ତ୍ତରେ ଜନ୍ମ ନେଇଥିଲା କେଜାଣି? ଜନ୍ମ କରି ମା’ ଚାଲିଗଲା କେଉଁ ଏକ ଅଜଣା ରାଇଜେ । ସମସ୍ତଙ୍କ ସାମ୍ନାରେ ତା’ର ପରିଚୟ ହେଲା ଅଲକ୍ଷଣୀ । ସାବତ ମା’ଠାରୁ ଭଲ ପାଇବା ଆଶା କରି ଭଗବାନ ରାମ ବି ବନବାସ ଯାଇଥିଲେ, ଆଉ ସେ ବା କେମିତି ବାଦ୍ ପଡ଼ିବ । ତାଙ୍କର ଦୁଇଟି ପୁଅ ହେବା ପରେ ସୁଜାତା ତାଙ୍କର ବଡ଼ ବୋଝ ହେଇଗଲା । ଆଉ ସେଇ ବୋଝକୁ ଏକା ଥରରେ କମେଇ ଦେବା ପାଇଁ ଦେବଦୂତ ହୋଇ ଆସିଲେ ସାବତ ମାମୁଁ ।

ପାଖ କାଶୀପୁର ଗାଆଁରୁ ବିବାହ ପ୍ରସ୍ତାବଟେ ନେଇ ଆସିଥିଲେ ସେ । ସେମାନେ କାଳେ ବହୁତ ଧନୀ । ଜମିବାଡ଼ି ଅନେକ । କିଛି ଯାନିଯୈାତୁକ ନେବେ ନାହିଁ, କାରଣ ତାଙ୍କ ସାନପୁଅର ଇଚ୍ଛା କାଳେ ଗରିବ ଘରୁ ସେ ଝିଅଟିଏ ବାହା ହେବ । ସାବତ ମା’ର ମନ କିନ୍ତୁ ଭାରି ଖୁସି ଥିଲା, ଯାହା ହେଉ ବିନା ଖର୍ଚ୍ଚରେ ଏତେ ବଡ଼ ବୋଝ ମୁଣ୍ଡରୁ ହାଲୁକା ହେଇଗଲା । ଜେଜେ ମା’ କିନ୍ତୁ ମନେ ମନେ ପ୍ରତିବାଦ କରୁଥିଲେ ଏତେ କମ୍ ବୟସରୁ ଝିଅଟିକୁ ବାହା ନଦେଲେ ହୁଅନ୍ତା ନି? ଆଉ କିଛି ବର୍ଷ ଯାଇଥିଲେ ଭଲ ହେଇଥାନ୍ତା । ହେଲେ ତାଙ୍କ କଥା ବା ପଚାରେ କିଏ?? ମନ କଥା ମନରେ ମାରି ରହିଲେ । ମଝିରେ ମଝିରେ ସୁଜାତାକୁ ଯାହା ବୁଝାଉଥିଲେ, କିଛି ମନ କଷ୍ଟ କରିବୁନି ଝିଅ । ସବୁ ଭଲ ହେବ, ସବୁବେଳେ ଭଲ ସମୟକୁ ଅପେକ୍ଷା କରିବୁ । ଦୁଃଖ ଯାଇ ନିଶ୍ଚେ ସୁଖ ଆସିବ ।

ଏମିତି ହେଉ ହେଉ ଦିନେ ବାହାଘର ତାରିଖ ମଧ୍ୟ ଠିକ୍ ହେଇଗଲା । ପୁଅ ଘରୁ କେହି ଦେଖିବାକୁ ଆସିଲେନି କି ସୁଜାତା ଘରୁ ମଧ୍ୟ କେହି ଗଲେ ନାହିଁ । ଜେଜେ ମା’ ପଚାରିବାରୁ କହିଲେ, ବରଘର ଲୋକ ସୁଜାତାକୁ ରାସ୍ତାରେ ଦେଖିଛନ୍ତି କାଳେ, ଆଉ ଦେଖିବେ ନାହିଁ ସେମାନେ । ଆଉ ଆମେ ଝିଅ ଘର ବରକୁ କ’ଣ ଦେଖିବୁ? କିନ୍ତୁ ବାହାଘର ଦିନ ସମସ୍ତଙ୍କ ଟୁପୁର୍ ଟାପୁର୍ ଶୁଣି ସୁଜାତା କିଛି ବୁଝି ପାରୁ ନଥାଏ । ଯିଏ ଦିନେ ମା’ର ସ୍ନେହ ପାଇନି, ତାକୁ ଆଉ ଏ ସମୟରେ ଜଗନ୍ନାଥଙ୍କ ଛଡ଼ା ଆଉ କାହା କଥା ମନେ ପଡ଼ିବ !

ସେଇ କାଳିଆ ଠାକୁରଙ୍କୁ ସୁମରି ବେଦୀରେ ବସିଛି ଯେ; ଇଏ କ’ଣ !!! ସେଇ ବର ସଜ୍ଜିତ ବ୍ୟକ୍ତିକୁ ଦୁଇ ଜଣ ଦୁଇ ହାତରେ ଏମିତି ଧରିଛନ୍ତି କାହିଁକି? ଆଉ ହଠାତ୍ ସେ ଲୋକଟା ଡେଇଁ ପଡ଼ି କହିଲା, “ଆରେ ଗଣିଆ ଭାଇ, ମୁଁ ବାହା ହେଉଛିରେ… ମୁଁ ବାହା ହେଉଛିରେ… ଦେଖ୍ ମୋ କନିଆଁ । ଆଁ !!! ବାଆ କାହିଁ? ମୁଁ ଏ କାଳୀ କନିଆଁକୁ ବାହା ହେବିନି, ମୋତେ ଏଇଠୁ ନେଇଚାଲ ।” ଏହା କହି ବେଦୀରୁ ଉଠି ପଳେଇଲା ଯେ ଆଉ ଯିଏ ଯେତେ ଡାକିଲେ ବି ବେଦୀକୁ ଆସିଲେନି । ସୁଜାତା କିଛି ଭାବି ପାରୁନଥିଲା କ’ଣ ସବୁ ହେଇ ଯାଉଥିଲା ତା’ ଜୀବନରେ? ଜୋର୍‌ରେ ପାଟି କରି କାନ୍ଦିବାକୁ ଇଚ୍ଛା ହେଉଥିଲେ ବି କାନ୍ଦିବାକୁ ଅନୁମତି ମିଳୁନଥିଲା ବୋଧେ !!!

ଏମିତି କିଛି ସମୟ ଗଲା ପରେ, କେମିତି ତାଙ୍କ ମନ ବୁଝିଲା କେଜାଣି? ପୁଣି ଆସି ବେଦୀରେ ବସିଲେ । ଆଉ କହିଲେ, “କାଳୀ ହେଲା ତ କ’ଣ ହେଲା, ଭଲ ଦେଖାଯାଉଛି ବୋଲି ସମସ୍ତେ କହିଲେ, ତେଣୁ ମୁଁ ବାହା ହେବି । ନନା ! ମନ୍ତ୍ର ପଢ଼ ହୋ ।” ଆଉ ଚାହୁଁଚାହୁଁ ଆଖି ଆଗରେ ନିରୀହ କଢ଼ିଟିକୁ ଜଣେ ପାଗଳ ହାତରେ ଦଳିମକଚି ଛିଣ୍ଡେଇ ଦେବାକୁ ଛାଡ଼ି ଦେଇ ସମସ୍ତେ ଯେମିତି ନିଶ୍ଚିନ୍ତରେ ନିଃଶ୍ୱାସ ମାରିଲେ । ମନରେ ଏତେ କଷ୍ଟ ହେଉଥିଲା ଯେ, ବାପଘରୁ ଛାଡ଼ି ଆସିଲାବେଳେ ଆଖିର ଲୁହ ବି ଅଭିମାନରେ ବାହାରକୁ ଆସୁନଥିଲା ।

କିନ୍ତୁ, ଧୀରେଧୀରେ ସବୁ ଠିକ୍ ହେବାକୁ ଲାଗୁଥିଲା । ଯାହାକୁ ପାଗଳ ଭାବି ଘୃଣା କରିବା ଆରମ୍ଭ କରିଥିଲା, ସେ ଖରାପ ଲୋକ ନଥିଲେ କି ସବୁବେଳେ ତାଙ୍କ ପାଗଳାମି ବାହାରୁ ନଥିଲା । ସୁଜାତାକୁ ବହୁତ ଭଲ ପାଉଥିଲେ ସେ, ତା’ ପସନ୍ଦର ଜିନିଷ ଆଣି ଦେଉଥିଲେ ଆଉ ତାକୁ ସ୍ନେହରେ ଡାକୁଥିଲେ ସୁଜି । ଘରେ ଅନ୍ୟ ସମସ୍ତେ ମଧ୍ୟ ଖରାପ ବ୍ୟବହାର କରୁନଥିଲେ । ଶ୍ୱଶୁର ତାକୁ ଝିଅ ଭଳି ସ୍ନେହ କରୁଥିଲେ । ଆଉ ଶାଶୁ ତ କେବେଠାରୁ ଆର ପୁରକୁ ଚାଲିଯାଇଥିଲେ ।

ଏମିତିରେ ସୁଜାତା ଦିନେ ଜାଣିବାକୁ ପାଇଲା ସେ ମାଆ ହେବାକୁ ଯାଉଛି । ଏକ ନୂତନ ପାହାଚରେ ପାଦ ଦେବା ଆଗରୁ ମନ ଯେତେ ଖୁସି ହେଉଥିଲା ସେତେ ଉଚ୍ଛନ୍ନ ବି !!! ସେ ଏ ଦାୟିତ୍ଵ ସମ୍ଭାଳି ପାରିବି ତ?? ହେଲେ ସବୁ ସହଜ ହେଇଗଲା ତାଙ୍କର ପଦୁଟିଏ କଥାରେ, “ସୁଜି ଆମର ଛୁଆଟିଏ ହେଲେ ନା ତାକୁ ବହୁତ ଭଲ ପାଇବା, ବଡ଼ ମଣିଷ କରିବା ଆଉ ତା’ ନାଁ ଦେବା ‘ମୟୂର’ ।” ସୁଜାତା ପଚାରିଲା, “ଇଏ କି ନାଁ?” ସେ କହିଲେ, “ମତେ ନା ମୟୂର ନାଚ ଭାରି ଭଲ ଲାଗେ ତେଣୁ କହିଲି ମୟୂର ନାଁ ଦେବା ବୋଲି । ତମେ ହସୁଛ ତ ଆଉ କହିବିନି… ଯା ।” “ଆରେ ନାଇଁ, ତମ ଛୁଆ ସେ ତମେ ଯାହା ନାମ ଦେବ ସେଇଟା ରହିବ ମୁଁ କ’ଣ କହିବି !!!” ବହୁତ ଖୁସି ହେଇଗଲେ ସେ ସୁଜାତାର କଥା ଶୁଣି, କୁଣ୍ଢେଇ ପକେଇଲା ତାକୁ ।

କିନ୍ତୁ ଖୁସି ତ ଚିରସ୍ଥାୟୀ ନୁହେଁ । ଆଉ ସୁଜାତାର ଖୁସିର ଆୟୁଷ ଏତେ କମ୍ ବୋଲି କିଏ ଜାଣିଥିଲା? ସେ ରାତି କଥା ମନେ ପଡ଼ିଲେ ଏବେ ବି ତା’ ଦେହ ଆଉ ମନ ଶିହରୀ ଉଠେ । ଘରକୁ ଫେରିଲା ପରେ ମୁହଁକୁ ଥମ୍ କରି ବସିଗଲା ତା’ର ସ୍ୱାମୀ, ଯେତେ ଡାକିଲେ ବି କାହା କଥା ଶୁଣିଲେନି । ବଡ଼ ଭାଇ ଡାକିବାକୁ ଗଲାରୁ ତାଙ୍କୁ ବି ଗଳି କରି ପଠାଇଦେଲେ କିନ୍ତୁ ଖାଇବାକୁ ଆସିଲେନି । ସୁଜାତାକୁ ବି ଡର ଲାଗୁଥାଏ ତାଙ୍କ ସାମ୍ନାକୁ ଯିବାପାଇଁ, ତଥାପି ସେ ଗଲା ରୁମ୍ ଭିତରକୁ । ତାକୁ ଦେଖିପକେଇ ଧଡାସ୍ କରି କବାଟ ବନ୍ଦ କରିଦେଲେ । ତା’ପରେ ବିଛଣାରେ ସୁଜାତା ଯାହା ଦେଖିଲି; ଭୟରେ ଅବାକ୍ ହେଇଗଲା । ସେଠି ଥିଲା ଦୁଇଟି ନୂଆ ବ୍ଳେଡ୍, ନୂଆ ଛୁଞ୍ଚି, ସୂତା ଆଉ ମହମବତୀ ।

ସୁଜାତା କିଛି କହିବା ଆଗରୁ ସେ ଆରମ୍ଭ କଲେ, “ସେ ହରିଆ କହୁଛି ମୁଁ… ମୁଁ… କୁଆଡ଼େ ପା….ପାଗଳା । ମୋର ଛୁଆ ହେଇ ପାରିବନି ପରା । ତା’ହେଲେ ତୋ’ ପେଟରେ ଯେଉଁ ଛୁଆ ଅଛି ସେଇଟା ଆଉ କାହାର?? ଏଇଟା ହେଇ ପାରିବନି । ସେଥିପାଇଁ ମୁଁ ଏଇ ସବୁ ଆଣିଛି, ତୋ’ ପେଟ କାଟି ଦେଖିବି ସେ ଛୁଆ କାହା ଭଳି ହେଇଛି? ଯଦି ମୋ ଭଳି ହେଇଥିବ ତା’ ହେଲେ ତାକୁ ପୁଣି ତୋ’ ପେଟରେ ରଖି ସିଲେଇ କରିଦେବି । ଆଉ ଯଦି ମୋ ଭଳି ହେଇନଥିବ ତା’ହେଲେ ତମ ଦୁଇ ଜଣକୁ ମାରିଦେବି ଆଜି ।”

ଭୟରେ ସୁଜାତାର ଦେହ ଗୋଟାପଣେ ଥରୁଥାଏ । କ’ଣ କରିବ ଭାବି ଜୋର୍‌ରେ ପାଟି କଲା । ସେ ତାକୁ ଧରିବାକୁ ଆସିଥିଲାବେଳେ ଜୀବନ ବଞ୍ଚେଇବାକୁ ଜୋରରେ ଧକ୍କା ଦେଇ କବାଟ ଖୋଲି ବାହାରକୁ ପଳେଇଲା । ସେ ସୁଜାତାର ପଛରେ ଗୋଡ଼େଇ ଥାଏ, ଆଉ କିଛି ଉପାୟ ନ ପାଇ ବଡ଼ ଭାଇଙ୍କ ରୁମ୍‌କୁ ଯାଇ ସବୁ କଥା କହିଲା ସୁଜାତା । ସେମାନେ ଯାଇ ତାକୁ ଧରି ପକାଇଲେ, ଗାଳି କଲେ । ସେ କିନ୍ତୁ ସୁଜାତାକୁ ଧରିବା ପାଇଁ ସମସ୍ତଙ୍କ ସହ ଝଗଡ଼ା କରୁଥାଏ । ସେଇଠୁ ବଡ଼ଭାଇ ରାଗିଯାଇ ତାକୁ ଖୁଣ୍ଟରେ ବାନ୍ଧି ପକେଇଲେ । ଦୁଇ ତିନି ପାହାର ମାଡ଼ ମଧ୍ୟ ଦେଲେ । କିନ୍ତୁ ସେ ସେମିତି ଗର୍ଜନ କରୁଥାଏ । ସେମିତି ଦୁଇଦିନ ବନ୍ଧା ହେଇ ରହିଲା ସିଏ । ଯିଏ ଯେତେ ବୁଝାଇଲେ ବି ବୁଝୁନଥାଏ ।

ତିନିଦିନପ ରେ ସକାଳେ ଉଠି ଦେଖିଲାରୁ ଶିକୁଳି ଛିଣ୍ଡେଇ କୁଆଡ଼େ ଚାଲିଯାଇଥିଲା । ସମସ୍ତେ କହିଲେ ଏଇଟା କିଛି ନୂଆ କଥା ନୁହେଁ । ସେ ଏମିତି ରାଗିକି ଯାଏ ଆଉ ଆସେ । କିନ୍ତୁ ସୁଜାତାର ମନ ଜମା ମାନୁନଥାଏ । ଏହିଭଳି ପନ୍ଦର ଦିନ ଗଲାପରେ ସମସ୍ତେ କିନ୍ତୁ ସତରେ ବ୍ୟସ୍ତ ହେଇଗଲେ । ପୋଲିସଠାରୁ ଆରମ୍ଭ କରି ମିଡ଼ିଆଯାଏ ଖବର ଦେଲା ପରେ ମଧ୍ୟ ସବୁଆଡ଼େ ଖାଲି ନିରାଶା । ସମସ୍ତେ କହୁଥିଲେ ସେମାନେ ତାକୁ ଏଇଠି ଦେଖିଥିଲେ ସେଇଠି ଦେଖି ଥିଲେ । ହେଲେ ସେ କେଉଁଠାରେ ବି ମିଳୁନଥାନ୍ତି । ଚିହ୍ନା ଅଚିହ୍ନା ସମସ୍ତଙ୍କ ସମବେଦନା କିନ୍ତୁ ସୁଜାତାର ଲୁହର ବନ୍ଧ ବାନ୍ଧି ପାରୁନଥାଏ ।

ଏମିତି କିଛି ମାସ ଗଲା । ମାତ୍ର ହଠାତ ଏଇ ଚାରି ପାଞ୍ଚ ଦିନ ତଳେ ସୁଜାତାର ଭାଗ୍ୟ ଆକାଶରେ ଅମାବାସ୍ୟାର କଳା ବାଦଲର ଭିଡ଼ରୁ ପୂର୍ଣ୍ଣିମାର ଚାନ୍ଦ ଉଇଁବାର ସୂଚନା ମିଳିଲା । ଚିଠିଟିଏ ଆସିଲା…. ବିହାରର କେଉଁ ଏକ କଲ୍ୟାଣପୁର ଗାଁରୁ । ସେମାନେ କାଳେ ଦଶ ଦିନ ତଳୁ ତାଙ୍କ ଘରେ ଆଶ୍ରୟ ଦେଇଛନ୍ତି ଓ ଯଦି ଅଧିକ ଦିନ ତାଙ୍କୁ ସେଇଠି ରଖାଯାଏ ତା’ହେଲେ ସେ ପୁଣି କୁଆଡ଼େ ଚାଲିଯାଇ ପାରନ୍ତି । ତେଣୁ ଶୀଘ୍ର ଆସି ନେଇଯିବାକୁ ଅନୁରୋଧ କରିଛନ୍ତି ।

ଆକାଶରୁ ଖସି ପଡ଼ିବା ଭଳି ଲାଗିଲା ସେ ଚିଠି ପଢ଼ି । ବିହାରର କେଉଁ ଗାଁ? ସେଠିକି କେମିତି ଗଲେ? ଆମେ ସେଠିକି ଏଇ ଚିଠି ଭରସାରେ କେମିତି ଯିବେ ଘରଲୋକେ? ସେ ସେଇଠି କେତେ ଦିନ ରହିବେ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ସମାଧାନ ନ ପାଇ ମଧ୍ୟ ବଡ଼ଭାଇ, ବାପା ଓ ଅନ୍ୟ ଦୁଇ ଜଣ ସମ୍ପର୍କୀୟ ମିଶି ତାଙ୍କୁ ଆଣିବା ପାଇଁ ହଠାତ୍ ବାହାରିଗଲେ ।

ଆଉ ଆଜି ସେମାନେ ଫେରିବେ, ସାଙ୍ଗରେ ତାଙ୍କୁ ନେଇ । ସକାଳୁ ସକାଳୁ ସୁଜାତାର କୋଳ ପୂରି ଜନ୍ମ ନେଇଛି ତାଙ୍କର ରକ୍ତ, ତାଙ୍କର ପୁତ୍ର ‘ମୟୁର’ । ଅବିକଳ ତାଙ୍କରି ପରି ମୁହଁ, ନାକ ଆଉ ଆଖି । ଏଥର ତାଙ୍କ ମନକୁ ବୁଝେଇ ପାରିବେ ସେ ନିଶ୍ଚୟ । ଏ ପିଲା ତାଙ୍କର । ଏଇଆ ଭାବି ଖୁସିରେ ମନ ପୂରି ଉଠୁଥାଏ ।

ବଡ଼ ଜାଆ ଆସି ହଲେଇ ଦେଲେ, “ଆରେ ସୁଜାତା କ’ଣ ଭାବୁଚୁ?” “ନାଇଁ କିଛି ନା… ହେଲେ ଦିଦି ସେମାନେ କ’ଣ ଆସିଲେଣି କି? ତମ ଆଖିରେ ଲୁହ କାହିଁକି? କ’ଣ ହେଇଛି କୁହ ଦିଦି??”

– ତୁ ମନ ଦୁଃଖ କରନି ଲୋ, ସେ ଫେରିବ । ଏଥର ନ ମିଳିଲେ କ’ଣ ହେଲା? ଆଉ ଥରେ ଖୋଜିବା ତାକୁ… ତା’ ପୁଅକୁ ଦେଖିବାକୁ ସେ ନିଶ୍ଚୟ ଆସିବ । କିନ୍ତୁ… କିନ୍ତୁ…ଏଇଥର… ଏଇଥର…
– କ’ଣ ହେଲା ଦିଦି?
– ଏମାନେ ପହଞ୍ଚିବା ଆଗରୁ ସେ ସେହି ଜାଗା ଛାଡ଼ି ପଳେଇଥିଲା । ପାଖାପାଖି ବହୁତ ଖୋଜାଖୋଜି କରି ଶେଷରେ ପାଇଲେନି… ।

ଦପ୍ କିନା ଲିଭିଗଲା ମନର ଆଶା ସବୁ !!! ଶୂନ୍ୟ ଆକାଶକୁ ଦେଖିବାକୁ ଭାରି ଇଚ୍ଛା ହେଉଥିଲେ ବି ସକ୍ଷମ ନଥିଲା ସୁଜାତା… ପାଖରେ ଶୋଇଥିବା ନିଷ୍ପାପ କୁନି ପୁଅକୁ ଛାଡ଼ି ଦେଇ…

– ରୋଜାଲିନ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୋଜାଲିନ ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।