You are currently viewing ପାରିଜାତ
Odia Story Parijata (ପାରିଜାତ) by Abha Pradhan

ପାରିଜାତ

– ହେ ଅଥର୍ବ ! ଆଜି ଦିନଟା । ମୁଁ ଟିକେ ପାର୍ଲର୍ ଯିବି, ଡେରି ହେଇଯିବ । କାଲିର ସକାଳ ପ୍ରୋଗ୍ରାମ ପାଇଁ ସବୁ ସରିଯାଇଛି, ତୁ ଖାଲି ଫାଇନାଲ୍ ଟଚ୍ ଦେଇଦବୁ ।
– ଆଜ୍ଞା ମୋନା… ଡାର୍ଲିଂ…
– ତୁ କେତେ ଭଲ କହିଲୁ ମୋ ସୁଇଟ୍ ବ୍ରୋ ।
– ନିଜ ଫାଇନାଲ୍ ଟଚ୍ ନିଜେ ଦେ । ପାର୍ଲରରେ କ’ଣ ମୋ ଭିଣେଇ ଭାଇ ବସିଛନ୍ତି?
– ତତେ ରାଗିବା କିଏ ଶିଖେଇଲାରେ ! ଆଚ୍ଛା ଶୁଣ ! ଆଉ କେହି ନାହାନ୍ତି ଅଫିସରେ, ଖାଲି ତୋର ସେ ସମୀର ଭାଇ ଛଡ଼ା । ଗଲାବେଳେ ଦୁଃଖୀଆତ୍ମାଙ୍କୁ ସସମ୍ମାନେ ଅଫିସ୍ ଗେଟ୍ ବାହାରକୁ ନେଇ ଆସିବୁ । ଆଉ ସବୁ ଆଡ଼ ଭଲରେ ଚାବି ପକେଇବୁ ।
– ସମୀର ଭାଇ ଯାଇନାହାନ୍ତି ! ସେ ତ ସେ ରକ୍ସ୍ ପ୍ରୋଗ୍ରାମ୍ ପରେ ଘରକୁ ପଳେଇଲେ ।
– ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ତା’ ଚିଠିଠାରୁ କିଏ ଅଧିକ ମଧୁର ।
– ଥଟ୍ଟା କରେନା ମୋ ମା’ ।
– ଦେଖିବୁ ଯା’ । କିଏ ସେ ପାରିଜାତ ! ଚାହାଁ ଏପଟେ, “ଏବେ ପଢ଼ିବା ଆଉ ଏକ ଚିଠି, କିନ୍ତୁ ତା’ ପୂର୍ବରୁ ନେଇଯିବା ଏକ ଛୋଟ ବିରତି ।” କିନ୍ତୁ ଆମ ସମୀର ବାବୁଙ୍କ ପାଇଁ ସେ ବିରତି ସରିଲାନି ଯେମିତି, ବାଧ୍ୟ ହେଇକି ସନ୍ଧ୍ୟା ପଢ଼ିଲା ବାକି ଚିଠି ସବୁ । ପ୍ରୋଗ୍ରାମକୁ କିଏ ଏମିତି ଅଧାରେ ଛାଡ଼ି ଚାଲିଯାଏ ! ଆଉ ଆପଣଙ୍କ ସମୀର ଭାଇ ସେ ଚିଠି ସହ କୋଉ ଅନନ୍ତ ସମୟ ସାଗରରେ ବୁଡ଼ିଛନ୍ତି । ସେ ଚିଠିରେ ଏମିତି କ’ଣ ରସ ଲାଗିଛି କେଜାଣି । ଆମ୍ଭେ ଏବେ ପ୍ରସ୍ଥାନ କଲୁ, ବାଏ ।

********************

– ସମୀର ଭାଇ, ଆଜି ଘରକୁ ଯିବନି ! ସମୀର ଭାଇ, ହେ
– ହୁଁ… ଓଃ ଅଥର୍ବ; ହଁ କ’ଣ କହୁଥିଲୁ?
– ଘରକୁ ଯିବନି?
– ମାନେ !
– ଆରେ ତମେ ଘରକୁ ଯିବନି?
– ଆଚ୍ଛା ଘରକୁ ! ହଁ ହଁ ଯିବି । ଯିବିନି କାହିଁକି ! ୫ଟା ବାଜୁ ।
– ଘଣ୍ଟାରେ ୬ଟା ବାଜିଲାଣି ।
– ଆଚ୍ଛା !!! ହଉ ବସ୍ ଏଇଠି, ଆଉ ଟିକେ ପରେ ଯିବା ।
– ହୁଁ, ଆଉ ସେ ଗୋଲାପୀ ଚିଠିଟା ଯୋଉଟାରେ ନାଁ ଲେଖା ହେଇନଥିଲା, ତମେ ଜାଣିଛନା ତାଙ୍କୁ ! ସେଇଥିପାଇଁ ରକ୍ସ୍ ପରେ ତମେ ଆଉ କିଛି ବି ପ୍ରୋଗ୍ରାମ ହୋଷ୍ଟ୍ କଲନି । ଆଉ ଏବେ ଯାଏଁ ତାଙ୍କରି କଥା ହିଁ ଭାବୁଛ ।
– ଜାଣିନି
– କାହାକୁ ଜାଣିନ? ନିଜକୁ ନା ପାରିଜାତକୁ ! ବାଇ ଦି ୱେ ଆଜିର ଫ୍ଲେଭର୍ କ’ଣ?
– ମାଉଣ୍ଟ୍ ଗେ ରମ୍ ୱିଥ୍ ସୋଡ଼ା
– ଦିଲଦାର୍ ଚଏସ୍ ତମର ।
– କିନ୍ତୁ ଭାବିନଥିଲି ମୁଁ ବି କେବେ କାହାର ଦିଲଦାର୍ ଚଏସ୍ ହେଇଥିବି ।
– ଚିଅରସ୍… କାହାର, ସେ ଗୋଲାପୀ ଚିଠି ଯିଏ ଲେଖିଛି, ତା’ର !
– ଅର୍ଥବ ! ଛାଡ଼ପତ୍ର ପାଇଥିବା ବ୍ୟକ୍ତିକୁ ଆଉ ଥରେ ସ୍ଵାମୀ ହବାକୁ କେତେଟା ଅଗ୍ନିରେ ପରୀକ୍ଷା ଦେବାକୁ ପଡ଼େ?
– ତମେ କୋଉ ତ୍ରେତୟା ଯୁଗରେ ଅଛ କହିଲ, ଏକ ପତ୍ନୀ ବ୍ରତ ବସିକି ପାଳୁଛ ।
– ପତ୍ନୀ ବ୍ରତ ନୁହଁରେ… ଜିନି ତ କେବେଠୁ ମୋ ଜୀବନରୁ ଚାଲିଗଲାଣି । ତା’ପରେ ଯିଏ ଆସିଲା, ତାକୁ ନେଇ ସ୍ଵପ୍ନ ତ ଦେଖୁଥିଲି, କିନ୍ତୁ ଭିତରର ଅପରାଧଟା ଭାରିପଡ଼ିଲା । ଝିଅଟେ ତ ସବୁବେଳେ ଚାହିଁଥିବ ନା, ସ୍ଵପ୍ନର ରାମଚନ୍ଦ୍ର । ତାକୁ ସବୁ ସତ କହିବାର ସତ୍‌ସାହସ ମୋର ନଥିଲା । ଥରେ ଶ୍ରୀ ଲୁଣ୍ଠିତ ହେଲେ ଭିତରଟା ଅଙ୍ଗାରରେ ଭର୍ତ୍ତି ହେଇଯାଏ । ଅଙ୍ଗାରର ସ୍ପର୍ଶରେ ପାରିଜାତ କୋଉଠି କେବେ ବଢ଼ିଲାଣି !!
– ଆ ଆ… ଟିକେ ରୁହ; ପାରିଜାତ କିଏ? ତମେ ନା ସେ ଚିଠିଟା ଯିଏ ଲେଖିଛି?
– ଗୋଟେ ସମ୍ପର୍କର ଗୋଟେ ପରିଚୟ ଥାଏ । ଆଉ ସେ ପରିଚୟର ନାଁ ପାରିଜାତ । ପାରିଜାତ; ମୁୁଁ ତା’ର, ସେ ମୋର ।
– ସେ ଝିଅ ଯଦି ରାଜି ଥିଲା, ତମେ କାହିଁକି ଅଯଥା ଦୁଃଖ କରୁଥିଲ? ତମେ ତ ଆଉ ଜବରଦସ୍ତି କାହାକୁ ବାନ୍ଧିଦେଇନଥିଲ ! ସତ କହି ଦେଇଥାଆନ୍ତ । ଲୋକ ମଣିଷ ମାରିକି ବି ନୂଆ କରି ବଞ୍ଚୁଛନ୍ତି, ତମେ ଏମିତି ବି କ’ଣ କରିଦେଇଥିଲ ! ଜୀବନ ତମ ସାମ୍ନାରେ ଛିଡ଼ା ହେଇଥିଲା । ହାତ ଧରି ଚାଲିପାରିଥାଆନ୍ତ ଆଉ ଗୋଟେ ନୂଆ ରାସ୍ତାରେ ।
– ଯାହା ହାତ ଧରିଥିଲି, ତା’ ସାଙ୍ଗେ ତାଳ ଦେଇ ଚାଲି ପାରିଲିନି । ଯୋଉ ଭୁଲ୍ ଥରେ କରିଥିଲି, ତାକୁ ଆଉଥରେ କରିବାରେ ସତ୍‌ସାହସ ମୋ ପାଖେ ନଥିଲା । ଜିନି ପଛରେ କଲେଜର ସମୟରୁ ଧାଇଁଥିଲି । ସବୁକିଛି ଠିକ୍ ଥିଲା । ବାହା ହେଲା ପରେ ଯେମିତି ସବୁ କିଛି ବଦଳିଗଲା । ପ୍ରକୃତରେ ଭୁଲ୍ ମୋର ଥିଲା । ସମୟ ତ ପ୍ରହେଳିକା, ଅବାଟରେ ଚାଲିଗଲେ ବି ପରୀ ରାଇଜର ସୁଖ ଦିଏ । ଜୋର କରି ଘର ଲୋକଙ୍କୁ ତାଙ୍କ ଘରକୁ ପଠେଇଦେଲି, ଆଉ ତାଙ୍କ ଘରେ ମୋ ଏ କ୍ଲାସ୍ ଚାକିରୀକୁ ଦେଖି ରାଜି ହେଇଗଲେ । ଯିଏ ବାହା ହେବ, ତାକୁ କେହି ପଚାରିଲେନି; ନା ତା’ ଘର ଲୋକ ନା ମୁଁ । ବାଧ୍ୟ କଣ୍ଢେଇଟେ ପରି ବେଦୀରେ ବସିଥିଲା । ମୁଁ ଭୁଲ୍ କରିଦେଲି ଅଥର୍ବ, ବହୁତ ବଡ଼ ଭୁଲ ! ଆଉ ଗର୍ବର ଜାଲରୁ ବାହାରି ପାରିଲିନି । ଆଉ ଥରେ କହୁଛି, ସମୟ ପ୍ରହେଳିକା । ବେଶ୍ କିଛି ମୁହୂର୍ତ୍ତରେ ଅସୁମାରୀ ସୁଖ ଦିଏ, କିନ୍ତୁ ବାସ୍ତବତା ଢେର୍ ଉପରେ ଥାଏ । ଆମେ ଯେତେବେଳେ କାହା ପାଇଁ ଅନ୍ୟାୟ କରୁ, ତା’ ଛିଟା ବି ଭୋଗକରୁ । ମୁଁ ତା’ ସ୍ଵପ୍ନର ରାମଚନ୍ଦ୍ର ନଥିଲି । କିନ୍ତୁ ଯୋଉ ଦିନ ଅନୁଭବ ହେଲା ମୁଁ ଗୋଟେ କଥା କୁହା କଣ୍ଢେଇକୁ ଜାବୁଡ଼ି ଧରିଛି, ଆଉ ଜିନିର ଅନ୍ତରାତ୍ମା ମୋତେ ସବୁ ମୁହୂର୍ତ୍ତରେ ପ୍ରତ୍ୟାଖ୍ୟାନ କରୁଛି, ସେଦିନ ମୋ ପୁରୁଷାର୍ଥରେ ଅହଂ ଭାବ ଆସିଲା । ପ୍ରତ୍ୟାଖିତ ପୁରୁଷାର୍ଥକୁ ସହ୍ୟ କରିବା ମୋ ଆୟତ୍ତ ବାହାରେ ଥିଲା । ସେ ମୁହୂର୍ତ୍ତରୁ ଯେମିତି ମୁଁ ଦି’ ଭାଗ ହେଇଗଲି । ଅପରାଧର ସଂଜ୍ଞା ଆଇନର ଅଭିଧାନରେ ନୁହେଁ, ନିଜ ବିବେକରେ ଲେଖା ହେଇଥାଏ । ଗୋଟେ ଘରେ ଉଗ୍ର ପୁରୁଷାର୍ଥ ଗର୍ବ ମୋର, ଦେବୀ ପ୍ରତିମ ନାରୀର ନାରୀତ୍ଵକୁ ତିଳ ତିଳ କରି ଦଂଶନ କରୁଥିଲା ପ୍ରତିଟି ସୁଯୋଗରେ…
– ଆଉ ଗୋଟେ ପେଗ୍??
– ହୁଁ… ଏ ମଣିଷ ହିଁ ଖରାପ, ନା, ମଦ ଖାଲି ଯାହା ଦୋଷ ମୁଣ୍ଡାଏ । ମଦ ତ ସଭ୍ୟ ସମାଜରେ ଶ୍ରେଣୀ ଦେଖାଏ । ଆମ ଦୁନିଆ ବି କ’ଣ ଶିଖାଏ ! ଲୋକଟା ଭଲ, ଖାଲି ମଦ ନିଶାରେ କିଛି ଜାଣିପାରେନି । କିନ୍ତୁ ସେ ଅପରାଧର ଶାସ୍ତି କାଇଁ ଅଥର୍ବ? କେହି ତ ଦିଏନି । ଆଉ ଏ ନିଶା ବି ଗୋଟେ କ’ଣ ! କ’ଣ ରାସ୍ତା ଘାଟରେ ଯାହାକୁ ଦେଖୁଥିଲି, ମୁଁ ତା’ ଉପରେ ନିଜ ନିଶା ପଣିଆ ଢାଳି ଦେଉଥିଲି ! କେବେ ନୁହଁ, ଖୋଜି ଖୋଜି କି ବାହାର କରୁଥିଲି, ଅଫିସରୁ ବାହାରି କଚ୍ଚା ସଡ଼କରେ ୫ କିମି ସିଧା ସିଧା ଯାଅ, ମନ୍ଦିର ପାଖ ଗଳିରେ ପଶ, ବାଁ ପଟୁ ୪ ନମ୍ବର ଘରଟା ହଉଛି ଉଚ୍ଚ ପଦସ୍ଥ ସମୀର ସମର୍ଥଙ୍କ ଘର । ତା’ ଭିତରେ ଜିନି ବୋଲି ନାରୀଟିଏ ଅଛି, ତା’ରି ଉପରେ ଅତ୍ୟାଚାର କର ।

“ତୁ ଭାବୁଛୁ ନା, ପାରିଜାତ ପାରିଜାତ ହେଇକି ମୁଁ ଜିନି କଥା କାଇଁ କହିଲି? ସମସ୍ତେ ଗଙ୍ଗାରେ ନିର୍ମଳ ହୃଦୟ ନେଇକି ବୁଡ଼ ପକାନ୍ତିନି । ଅତୀତର ପାପଟା ଦଂଶୁଥାଏ ବୋଲି ଧୋଇ ହବାକୁ ବୁଡ଼ ପକାନ୍ତି । କୋର୍ଟ୍ ରୁମରେ ଯେଉଁଦିନ ଛାଡ଼ପତ୍ରର ଶେଷ ରାୟ ଆସିବାକୁ ଥିଲା, ବେଶ୍ ଗୋଟେ ଉତ୍ସାହରେ ଯାଇ ପହଁଞ୍ଚିଗଲି । ମୁଁ ଅକ୍ଷରେ ଅକ୍ଷରେ ମୋ ଧର୍ମ ପାଳନ କରିଛି; ନାରୀ, ଶୁଦ୍ର, ଇତର ଜୀବ, ଶାସିତ ହେବାର ଯୋଗ୍ୟ । ‘ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମର ହେଉ ଜୟ’ । ପାଦ ଦେଉ ଦେଉ ମୁଁ ଯେମିତି ପୁରୁଷରୁ ମଣିଷ ହେଇ ଯାଇଥିଲି । ସ୍ଵର୍ଗର ନନ୍ଦନକାନନ ଦେଖାଯାଉଥିଲା ଅବା । କିଏ ସେ ଦିବ୍ୟ ପୁରୁଷ ଥିଲେ ଜାଣିନି; ଜାଣିନି ବି ସତରେ କିଏ ଥିଲେ ନା ମୁଁ ଏମିତି କଳ୍ପନାରେ ମଜି ଯାଇଥିଲି । ସୁନ୍ଦର ଆଖି, ମନ୍ଦ ହସ, ଆଉ ସେ ତେଜୀୟାନ୍ ମୁହଁ; ଶାନ୍ତ ଦାବାନଳ ଯେମିତି, ବହୁତ କିଛି କହି ଯାଉଥିଲା ସେ ଆଖି । ଗୋଟେ ସ୍ୱାମୀର ଅଧିକାର ନୁହେଁ, ମଣିଷର ମଣିଷପଣିଆ ଜାବୁଡ଼ି ଧରୁଥିଲା । ଭଲପାଇବାକୁ ପଞ୍ଜୁରୀ ଭିତରେ ବାନ୍ଧି ରଖାଯାଏନି । ରାୟ ଯାହା ବି ହଉ, ମୁଁ କିନ୍ତୁ ଜିନିକୁ ମୁକ୍ତି ଦେଇଦେବି । କଲା କର୍ମର ଫଳକୁ ଭୋଗିବା ପାଇଁ ଅପେକ୍ଷା କରିବି ଯାହା । ଆସିବ ତ ନିଶ୍ଚିତ, ମୁଁ ଅପମାନ ଦେଇଛି ସମସ୍ତଙ୍କୁ, ନିଜକୁ, ଜିନିକୁ ଆଉ ମଣିଷତ୍ଵକୁ । କିନ୍ତୁ ମୁଁ କିଛି କରିବା ଆଗରୁ ଅଦାଲତରେ ସବୁକିଛି ମଞ୍ଜୁର ହେଇଗଲା ଆଉ ଜିନିକୁ ତା’ର ମୁକ୍ତ ଆକାଶ।”

ତା’ ପରଠୁ ଆଶ୍ରମ ଯାଏ, କାଳେ କେମିତି ଯଦି ଶାନ୍ତି ପାଇଯିବି, ସେ ଆଶାରେ । ମଲାଯାଏଁ ବଞ୍ଚିବାକୁ ପଡ଼ିବ, ସେଇଥିପାଇଁ ଏମିତି ଯାହା କର୍ମ କରିଛି । ତା’ ତାଡ଼ନାରେ ଯାହା ପାଏ ତାକୁ ଡାଇରୀରେ ଲେଖିଦିଏ । କହିବି କାହାକୁ, ଗୋଟେ ନିଶାଖୋର ପାପୀକୁ ବି ଶୁଣିବ କିଏ ! ସେ ଡାଇରୀକୁ ବି ରଖିଦେଇ ଆସେ ପ୍ରାର୍ଥନା ମଣ୍ଡପର ଗୋଟେ କୋଣରେ; ପାପର ପରିଭାଷାକୁ ପୁଣ୍ୟର ପ୍ରକାଶରେ ପରିଷ୍କାର କରିବାର ଆଶାରେ । ଏମିତି ବି ମୋର ମନ ନାହିଁ ପାରିଜାତକୁ କେବେ ଦେଖିଲି, କେମିତି ଦେଖିଲି, କ’ଣ କରୁଥିଲା ସେ, ତା’ ପାଖେ ମୋର କ’ଣ କାମ ଥିଲା, ନା ମୋ ପାଖେ ତା’ର କ’ଣ କାମ ଥିଲା… କିଛି ମନେ ନାହିଁ । ବାସ୍ତବ ଜୀବନରେ ଯେବେ ହେତୁ ଆସିଲା, ସେବେ ଜାଣିପାରିଲି, ଡାଇରୀକୁ ପଢ଼ି, ମୁଁ ଲେଖିଥିବା ମୋ ଅଭିଶପ୍ତ ଜୀବନକୁ ସେ କାହାଣୀ ଭାବିସାରିଛି । ତା’ରି ଭିତରେ ସେ ମୋତେ ନେଇ ପାଏ ଦରଦୀ ମଣିଷଟେ, ସମାଜର ଚକରେ ଘଷି ହେଉଥିବା ଅଲୋଡ଼ା ରାସ୍ତାଟେ, ଆଦର୍ଶ ଆତ୍ମାଟେ । ତାକୁ ମୁଁ କୋଉ ମୁହଁରେ କହିଥାଆନ୍ତି ମୁଁ ସେ ଲେଖାମାନଙ୍କର ଲେଖକ ନୁହଁ, ନାୟକ । ଆଉ ତମେ ସେ ନାୟକକୁ ଘୃଣା କର । ବହୁତ ଥର ଭାବିଛି କହିଦେବି ମୁଁ ତମ ସ୍ଵପ୍ନର ରାମଚନ୍ଦ୍ର ନୁହେଁ । କିନ୍ତୁ ସେ ସାହସ ଟିକକ ବି ମୋ ପାଖେ ନାହିଁ । ସବୁ ଜାଣିଲା ପରେ ସେ ମୋ ଛାଇକୁ ବି ଘୃଣା କରିବ । ମୁଁ ଚାହେଁନି ମୋତେ କିଏ ଘୃଣା କରୁ । ନିଜ ଭିତରେ ତ ସବୁ ମୁହୂର୍ତ୍ତରେ ଜଳୁଛି, ଆଜି ଯଦି କିଏ ପଦେ କଥାରେ ଶାନ୍ତି ଦଉଛି, ମୁଁ ତାକୁ ମନା କାହିଁକି କରିବି? ଯେତେହେଲେ ବି ମଣିଷ ସବୁବେଳେ ସ୍ଵାର୍ଥପର, ଆଉ ମୁଁ ବି ମଣିଷ । କିନ୍ତୁ ପୁଣି ସେଇ ପୁରୁଣା କୋର୍ଟ ରୁମର ଅନୁଭବ ଫେରି ଆସିଲା ଅଥର୍ବ ! ସେଇ ସୁନ୍ଦର ଆଖି, ମନ୍ଦ ହସ, ଆଉ ସେ ତେଜୀୟାନ୍ ମୁହଁ; ଶାନ୍ତ ଦାବାନଳ ଯେମିତି । ଥରେ ଭୁଲ୍ କରିଛି, ଆଉ ନୁହେଁ । ବାସ୍ ଦିନେ ଏମିତି ଜାଣିଶୁଣି ଝଗଡ଼ା ଲଗେଇଦେଲି; ‘କେହି କାହାର ନାଁ କେବେ କାହା ଆଗେ କହିବୁନି’ ବୋଲି କଥା ରଖିଦେଲି ଜୀବନର ଶେଷ ସନ୍ତକ ଭଳିଆ ଆଉ କିଛି ନକହି ଚାଲି ଆସିଲି; ଚାକିରୀ, ଘର ସବୁ ଛାଡ଼ି ଆସିଲି । ମୋ ଇତିହାସଠୁ ବହୁତ ଦୂରକୁ । କିନ୍ତୁ କ’ଣ ହବ ! ମୋ ପଛେ ପଛେ ସେ ବି ଚାଲି ଆସିଲା ଚିଠି ହେଇ…

“ଏତେ ଦିନ ଖୋଜିଲା ପରେ ଦେଖା ମିଳିଲା । କହିକି କ’ଣ ଆସି ପାରିନଥାନ୍ତ ! ଛଳରେ କଥା ତ ପକ୍କା କରେଇନେଲ ଯେ ତମ ନାଁ ମୁଁ କୋଉଠି କହିବିନି । କିନ୍ତୁ କେବେ କୋଉଠି ଦେଖା ବି ହେବା ମନା, ଏଇଟା କୋଉଠି କହିଥିଲ? ୟା’ ପରେ ଆଉ କୁଆଡ଼େ ଯିବ? ଯୋଉଠିକୁ ଯିବ ମୁଁ ସେଇଠି ଥିବି । ମୋତେ କହିବା ଦରକାର ପଡ଼ିବନି । ତମଠୁ ବାହାରେ ଥିଲେ ସିନା, କଥା କହିବାକୁ ପଡ଼ିବ । ମୁଁ ତ ସେଇଠି ଅଛି, ଯୋଉଠି କିଛି ଶବ୍ଦର ଦରକାର ପଡ଼େନି । ମନ ଅଛି ନା ନିଃଶବ୍ଦର ବି ଶବ୍ଦ ଅଛି । ଏବେ ବି ଭାବୁଛ ମୁଁ କେମିତି ଜାଣିଲି ତମେ ଏଇଠି ଅଛ ବୋଲି? ନକହି ବି ବହୁତ କିଛି କହି ହୁଏ । ଖାଲି ମୋର ନୁହଁ, ତମେ ଯାହାର ବି ଚିଠି ପଢ଼ିପାର; ସମସ୍ତେ ତ ଖାଲି ତମେ କହୁଥିବା ଶବ୍ଦ ଶୁଣନ୍ତି, ମୁଁ କିନ୍ତୁ ତମକୁ ଶୁଣେ ।

– ପାରିଜାତ କାହିଁକି? ଆଉ ତ କିଛି ନାଁ ଦେଇ ପାରିଥାଆନ୍ତ… ଆରେ ଯାଉଛ କୁଆଡ଼େ ! ରହିଯାଅ.. ପାରିଜାତ…”
– ଗେଟ୍ ଅପ୍ ସମୀର । ଅଥର୍ବ… ତମେ ଦି’ଟା ଯାକ ରାତି ସାରା ଷ୍ଟୁଡ଼ିଓରେ ଥିଲ !
– ହଁ ସାର୍
– ଆଉ ସେ ଝିଅ କିଏ, କୁଆଡ଼େ ଗଲା?
– କୋଉ ଝିଅ? ଖାଲି ଆମେ ଦି’ଜଣ ଥିଲୁ ।
– ସେ ପାରିଜାତ କିଏ ସମୀର, ନିଦରେ ଯାହାକୁ ଡାକୁଥିଲ ।
– ସ୍ଵପ୍ନର ପାରିଜାତ ସ୍ଵପ୍ନରେ ଶୋଭା ପାଏ; ଛୁଇଁବାକୁ ଚେଷ୍ଟା କଲେ ନିଦ ଭାଙ୍ଗିଯାଏ ।
– ଆ.. ହାଁ… ମୋ ଅଫିସରେ ତମେ ଦି’ ଜଣ ମଦ ପିଇଛ, ନିଶା ଆହୁରି ଉତିରିନି?
– ନୋ ସାର୍, ସେଗୁଡ଼ା ତ ସମୀର ଭାଇଙ୍କ ପା.ରି..
– ଗେଟ୍ ଲଷ୍ଟ୍, ବୋଥ୍ ଅଫ୍ ୟୁ । ମୋନାଠୁ ବାକିଆ ଦରମା ନେଇଯିବ, ଆଉ ଅଫିସ୍ ଆସିବା ଦରକାର ନାହିଁ । ଆଉ ମିଷ୍ଟର୍ ସମୀର, ତମେ ବୟସର ଅଧା ପାହଚ ଚଢ଼ି ସାରିଲଣି । କିନ୍ତୁ ସମ୍ମାନ ଦେଇ ଶିଖିଲନି । କୋଉ ମଣିଷକୁ କେମିତି କଥା କହିବ, ବ୍ୟବହାର କରିବା, ସେଇଟା ପର କଥା, ଯୋଉ କାମ ପାଇଁ, ଯୋଉ ଅଫିସ୍ ପାଇଁ ତମ ପେଟ ଅପୋଷା ରହୁନି ତା’ର ମର୍ଯ୍ୟାଦା ରଖ, ତାକୁ ସମ୍ମାନ ଦିଅ ।

ବି.ଦ୍ର: ଶୁଭ ପଲ୍ଲବର ୫ମ ସଂସ୍କରଣରେ ପ୍ରକାଶ ପାଇଥିଲା “ପାରିଜାତ” । ସେଥିରୁ ଅନୁପ୍ରେରିତ, ସେଥିପାଇଁ ଶୀର୍ଷକ ଅପରିବର୍ତ୍ତିତ ରଖିଲି । ପୂର୍ବ ପାରିଜାତକୁ ପଢ଼ିଲେ, ହୁଏତ ଆଉ ଟିକେ ଅଧିକ ଭଲ ଲାଗିବ ।

– ଆଭା ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଭା ପ୍ରଧାନ ତାଙ୍କ ଛୋଟବେଳୁ ସାହିତ୍ୟ ପ୍ରତି ଅଧିକ ଆକର୍ଷିତ ଥିଲେ । ବିଭିନ୍ନ ପ୍ରକାରର ରଚନା ରହିଛି ତାଙ୍କର । ପାଠକମାନେ ସବୁବେଳେ ତାଙ୍କର ଲେଖାରେ ଥିବା ନିଜର ପଣିଆକୁ ସବୁବେଳେ ପସନ୍ଦ କରିଆସିଛନ୍ତି ।