You are currently viewing ଜାତି
Odia Story Jati (ଜାତି) by Hrimanshu Bhusan Sahoo

ଜାତି

ମୁଁ ପୁଣି ତା’ ଚେହେରା ଦେଖି ଚମକିପଡ଼ିଲି । ଏଇ ଅଧା ବାଟରେ ତା’ ସହ ମୋର ତୃତୀୟ ଥର ଦେଖା । ଅନେକ ଭିଡ଼ରେ ସେ କଦର୍ଯ୍ୟ ଚେହେରାର ଫାଉଡ଼ା ଦାନ୍ତ ମୋତେ ଖେଦି ଗୋଡ଼ାଏ । ଏ କ’ଣ ଗୋଟେ ଯାତ୍ରା? ଛି ! ଅସରନ୍ତି ଅନ୍ଧାର, ଉତ୍କଟ ଗନ୍ଧ ଆଉ ଏଭଳି କେତୋଟି ଚେହେରା ! କିନ୍ତୁ ଯାତ୍ରା ଆରମ୍ଭରୁ ମୋ’ ପାଖରେ ଦର୍ପଣ ନଥିଲା । ବରଂ ସେ ରାଜସ୍ଥାନୀ ଲୋକର ପୋଷାକରେ ଯେଉଁ ଆଇନା ଖଞ୍ଜା ହୋଇଛି ସେଥିରେ ଅନେକ ବାର ମୁଁ ନିଜକୁ ଦେଖିବାକୁ ଆପ୍ରାଣ ଚେଷ୍ଟା କରି ହାର୍ ମାନିଛି । ମୋତେ ଦେଖାହୋଇଛି କେବଳ ଆଇନାଟି; ପରିଷ୍କାର ।

ଆମେ ପୁଣି ଆଗେଇଲୁ । ଗୋଟିଏ ରାସ୍ତା, ଅସରନ୍ତି ଲମ୍ୱ ଓ ପ୍ରସ୍ଥ । ଜଣାନାହିଁ କେବେ ସରିବ । ମୁଁ ଆଉଥରେ ସେ ଆଇନା ପାଖକୁ ଯାଇ ଦେଖିବାକୁ ଚେଷ୍ଟା କରୁଥିଲି ମୋ ଚେହେରାକୁ । ଚମକିପଡ଼ି ଦୁଇପାଦ ପଛକୁ ଘୁଞ୍ଚିବାକୁ ଚେଷ୍ଟା କରି ବିଫଳ ହେଲି । ସେ ଫଉଡ଼ା ଦାନ୍ତିଆ ଘୃଣିତ ଚେହେରାଟି ଠିକ୍ ମୋ ପଛରେ ଥିଲା ଠେସି ହୋଇ । ଆଇନାରେ ଏବେ ତା’ ପ୍ରତିବିମ୍ୱ । ମନେପକାଇ ବିଫଳ ହେଲି ମୋ ଚେହେରାଟି କେମିତି ଥିଲା, ମୋ’ ପରିଚୟ କ’ଣ, ମୋ ନାଁ, ଅସ୍ଥିତ୍ଵ ଆଉ ମୋ’ ଘର ପରିବାର । ଆଉ ଆମେ ଏ ଯାତ୍ରା କୋଉଠୁ ଆରମ୍ଭ କରିଥିଲୁ ଏବଂ ଏହାର ଅନ୍ତ କେବେ । ଆମେ କେବଳ ଚାଲିଥିଲୁ ଆଗକୁ ବିନା ପ୍ରଶ୍ନରେ ।

ସାମ୍ନାରେ ଦୁଇଟି ରାସ୍ତା ଦେଖି ସମସ୍ତେ ସ୍ଥାଣୁ ହୋଇ ଠିଆ ହୋଇଗଲୁ । କେହିଜଣେ ଆଦେଶ ଦେଲେ ସିନା ଆମେ ଆଗକୁ ଯିବୁ ! ହଠାତ୍ ସେ ଲୋକଟି ମୋ ପାଖାଲୁ ଲାଗିଆସି ପଚାରିଲା, “ତୋ’ ନାଁ କ’ଣ?” ଏ କ’ଣ ଗୋଟିଏ ପ୍ରଶ୍ନ? ଯଦି ମୋ’ ନାଁ ମୋତେ ଜଣାଥାଆନ୍ତା ତେବେ ମୋ’ ଚେହେରାଟି ବି ମୁଁ ସେ ଆଇନାରେ ଦେଖିଥାନ୍ତି । ହୁଏତ ଏ ଯାତ୍ରାର ଆରମ୍ଭ ମୋ’ର ମନେଥାଆନ୍ତା । ମୁଁ ଚୁପ ରହି ମୂର୍ତ୍ତିଟିଏ ଭଳି ଠିଆହୋଇଗଲି ଏବଂ ସେ ଖୁବ ହସିଲା । ମୋ ପାଖରେ କ’ଣ କାହା ପାଖରେବି ଘଡ଼ିଟିଏ ନ ଥାଏ । ଜାଣିନି କେତେ ସମୟ ଆମେ ଠିଆ ହେଲୁ ଏବଂ ସେ ବେଲଜ୍ୟା ହସି ଚାଲିଥାଏ । ତା’ ଇଚ୍ଛା ହସୁ, କିନ୍ତୁ ମୋତେ ହସ ଲାଗୁନି । ଅନ୍ୟମାନଙ୍କ ଭଳି ମୁଁ ବି ନିଶ୍ଚଳ ।

ଏବେ ସେ ମୋତେ ଟାଣିନେଇଗଲା ଛୋଟ ଛୋଟ ଆଇନା ଖଞ୍ଜା ପୋଷାକ ପାଖକୁ । ଧମକାଇଲା ଭଳି କହିଲା, “ଦେଖ୍ ତୋ’ ନିଜକୁ ।” ଓଃ ! କି ସୁନ୍ଦର ଚେହେରାଟି ମୋର !! ଅନେକ ଆଇନା ସହ ଦେଖିଲି ମୋର ଅନେକ ଚେହେରା । ଗୋଟିଏରେ ଦେଖିଲି କେହିଜଣେ ମୋତେ ଛୁଇଁବାକୁ କୁଣ୍ଠାବୋଧ କରୁଛି । କେହିଜଣେ ଛିଃ.. ଛିଃ.. କରି ଆଙ୍ଗୁଠି ଦେଖାଇ କ’ଣ ସବୁ କହିଯାଉଛି ଅନର୍ଗଳ । ମୁଁ ତ କେବଳ ଏ ଘୃଣିତ ଚେହେରାଟିକୁ ହୁଏତ ଘୃଣା କରୁଥିଲି ଏ ଯାତ୍ରାରେ କିନ୍ତୁ ଆଇନା ଭିତର ଲୋକଗୁଡ଼ିକ ମୋତେ ବେଶି ଘୃଣିତ ଲାଗିଲେ । ହେଲେ ଏ ଆଇନା ଭିତରେ କିଏ ଏମାନେ? ସେ ବୋଧହୁଏ ମୋ ମନ କଥା ଜାଣିନେଲା । ପୁଣି ହସିଲା । ଏଥର ଖୁବ ଜୋର୍‌ରେ । ଯେମିତି ଅନ୍ୟ ଏକ ଆଇନାରେ ମୋତେ କେହିଜଣେ ଦୂରକୁ ଠେଲିଦେଇ ହସୁଥିଲା । ସେ କିଏ ମୁଁ ତ ଜାଣେନି ! ତା’ ହସ ସାରିନଥାଏ । ପୁଣି ସେ ଇଙ୍ଗିତ କଲା ଆଉ ଗୋଟିଏ ଆଇନା ଦେଖିବାକୁ । ମୋର ଇଚ୍ଛା ନଥିଲା । କିନ୍ତୁ ମୁଁ ଆଖି ବୁଜି ପାରୁନି କି ଘୁଞ୍ଚିପାରୁନି ସେ ଆଇନା ପାଖରୁ । ଏହା କ’ଣ ମୋ ଅତୀତ ନା ବର୍ତ୍ତମାନ? କିଏ ଜାଣେ ଏକଥା !? ଏ ଯାତ୍ରା ଅସରନ୍ତି କି? “ହେ ମରଣ ! କ’ଣ ଜାଣିଛୁ?” ତା’ ପ୍ରଶ୍ନରେ ମୁଁ ହତଭମ୍ୱ । ତା’ହେଲେ ମୋର ମରଣ ହୋଇଛି ! ! ଆଉ ଏ ଯାତ୍ରା ସେଇଠୁ ଆରମ୍ଭ !? ଆମେ ଏବେ ଏବେ ଏ ଯାତ୍ରା ଆରମ୍ଭ କଲୁ କି? ଏମାନେ କିଏ? ଆଉ ସେ କଦର୍ଯ୍ୟ ଲୋକ? “ଈଶ୍ୱର” ବୋଲି ଶବ୍ଦଟିଏ ମନେ ପଡ଼ିଗଲା । ହେ ଈଶ୍ୱର ! ଏ ଯାତ୍ରାରୁ ମୋତେ ବିରତି ଦିଅ, ମୋ ଶରୀର ଫେରେଇଦିଅ ।” ମୁଁ ମନେ ମନେ ଭାବୁଛି, ସେ ପୁଣି ହସିଲା । ଯେମିତି ସେ ଈଶ୍ୱରଙ୍କୁ ଜାଣେ । ମୋତେ ଏ ଯାତ୍ରା ଅସହ୍ୟ ଲାଗୁଛି । ତଥାପି ମୋ ଆଖିକୁ ଲୁହ ଆସୁନି ।

ସାମ୍ନାରେ ଲକ୍ଷ ଲକ୍ଷ ଆଇନା । ସବୁଥିରେ ଗୋଟିଏ ଗୋଟିଏ ଚେହେରା । ମୁ ଚିହ୍ନିପାରୁଛି ଜଣ ଜଣ କରି ସମସ୍ତଙ୍କୁ । ସବୁ କଥା ବି ଶୁଣିପାରୁଛି । ସେମାନେ ଖୁବ ଭଲ ପାଉଛନ୍ତି ମୋତେ । ପରିବାର, ପଡ଼ୋଶୀ, ସାଙ୍ଗସାଥି ସମସ୍ତେ… ଧୀରେ ଧୀରେ ଅନେକଙ୍କ ଚେହେରାରେ ପରିବର୍ତ୍ତନ ଘଟୁଛି । ମୋ’ଠାରୁ ସମସ୍ତେ ଦୂରେଇ ରହୁଛନ୍ତି । ଡର ଓ ବେଶି ଘୃଣା ତାଙ୍କ ମନରେ । ମୁଁ ତାଙ୍କ ମନ ବି ପଢ଼ିପାରୁଛି । ଆଉ ଗୋଟିଏ ଆଇନାରେ ମୋ ସୁନ୍ଦର ଚେହେରାଟି ଧୀରେ ଧୀରେ ପଚି ଯାଉଛି । ଲାଗୁଛି ସେ ଦୁର୍ଗନ୍ଧରେ ଆଇନାଟି ଭାଙ୍ଗିଯିବ । ମୋତେ ଆଉ ଦେଖି ହେଉନି ଚିହ୍ନିହେଉନି ନିଜ ଶରୀରକୁ । ମୋତେ ଦେଖିବାକୁ ତ ବାଧ୍ୟ, ମୋ ଆଖିରେ ପତା ନାହିଁ ଯେହେତୁ ! ପତା ଦୁଇଟି ପଚି ଯାଇଛି । ଆଖିଦୁଇଟି ଅନେଇରହିଛି ଅନନ୍ତକୁ । ସେ ଲୋକଟି ମୋତେ ଦେଖି ପୁଣି ହସିଲା । ବିକଟାଳ ହସ । ଏ ଭିଡ଼ ଭିତରେ ସେ ହିଁ ହସୁଛି ।

ଏଇ କିଛି ସମୟ ପୂର୍ବରୁ ଆଇନାରେ କିଛି ଦେଖିପାରୁନଥିଲି । ତେବେ? ଏ ଲୋକ ଟି କ’ଣ ଏ ଯାତ୍ରା ବାହକ? ଯାହା ଇସାରାରେ ଚାଲିଛି ଏ ଯାତ୍ରା !? ସେ ପୁଣି ହସିଲା । ଇଙ୍ଗିତ କଲା ଆଇନା ଦେଖିବାକୁ । ମୋ ଅପଲକ ନୟନ ଆଇନାରେ ଦେଖିଲା ଏକ କ୍ଷୁଦ୍ର ଶବଯାତ୍ରା । ଗୋଟିଏ ଜୀର୍ଣ୍ଣଶୀର୍ଣ୍ଣ ଯୁବତୀ କାନ୍ଧରେ ବୁହା ହଉଛି ମୋ ଶବ । ଦୁର୍ଗନ୍ଧରେ ଫାଟିପଡ଼ୁଛି ଗୋଟିଏ ପରେ ଗୋଟିଏ ଆଇନା । ଛିଟିକି ପଡ଼ୁଛନ୍ତି ନାକରେ ହାତ ଦେଇ ଦେଖୁଥିବା ଆଖ ପାଖ ଲୋକେ । ମୋ ଶରୀର ଫିଙ୍ଗାହେଉଛି ଶ୍ମଶାନରେ । ମୋ ଆଖିରେ ଏଥର ଆଖିଏ ଲୁହ । ମୁଁ ଶ୍ୱାସରୁଦ୍ଧ ହୋଇଯାଉଛି । ଶରୀର ଧୀରେ ଧୀରେ ଓଜନିଆ ଲାଗୁଛି ।

ଏଥର ମୋ ପାଟି ଖୋଲିଲା । ପଚାରିଲି, “ତୁମେ କିଏ? କ’ଣ ତୁମ ପରିଚୟ?” ସେ ଗମ୍ଭୀର ଦେଖାଗଲା । ତଥାପି ତା’ ଅଟ୍ଟହାସ୍ୟ ବନ୍ଦ ହୋଇନଥାଏ । କହିଲା, “ମୁଁ ଜାତି ।” ଆଇନା ଗୁଡ଼ିକ ସେଇମିତି ଫାଟି ଯାଉଛନ୍ତି ଦୁର୍ଗନ୍ଧରେ । ଜାତିର ଦୁର୍ଗନ୍ଧ ଭାସି ଆସୁଛି ସେ ଛିଟିକି ପଡ଼ୁଥିବା ଚିହ୍ନା ମୁହଁ ଓ ମନଗୁଡ଼ିକରୁ । ଅନେକ ଚେହେରାରେ ଦେଖା ଯାଉଛି ଅନେକ ଜାତିର ମୁଖା; ଭିନ୍ନ, ଘୃଣିତ । ଏବେ ସବୁ ଜାତି, ଚେହେରା, ଭାବନା ଉଭେଇଯାଉଛି । ଯାତ୍ରା ମୋର ଶେଷ ହୋଇଆସୁଛି ଏକ ପ୍ରଚଣ୍ଡ ଉଜ୍ୱଳରେ ।

– ହିମାଂଶୁ ଭୂଷଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।