ଅଜସ୍ର ସ୍ୱପ୍ନକୁ ଦିନେ ବୁଣିଥିଲା ବୋଲି
ଖୁସିରେ ତା’ ଦିନ ଆଜି ବିତୁଛି
ଆଖିର ଲୁହକୁ ଢାଳିଥିଲା ବୋଲି
ଭାତ ମୁଠେରେ ତା’ ପେଟ ପୂରୁଛି ॥
ପାଠ ବେଶୀ ନପଡ଼ି ବି ସେ
ବେଦ ପୁରାଣକୁ ଭଲ ବୁଝିଛି
କାହୁଁ ବଡ଼ ବଡ଼ ଲୋକ
ତା’ ପାଖେ ଆଜି ହାର ମାନିଛି ॥
ଘରେ କିଛି ନଥାଇ ବି ସେ
ଅତିଥି ସତ୍କାର ଭଲକି ଜାଣିଛି
ସବୁକିଛି ଆମ ପାଶେ ଥାଇକି ବି
ଅତିଥି ସତ୍କାର ପାସୋରି ଯାଇଛେ ॥
ଦୁଃଖ ସିଏ ଆଜି ବୁଝିଛି ବୋଲି
ଭିକାରୀ ପେଟ କଥା ଜାଣିପାରିଛି
ଆମ ଭଳି କିଛି ଭିକାରୀ ଦେଖିଲେ
ଘାଉଡ଼େଇ ତାକୁ ଦେଉଛି,
ନାନା ଏଣୁ ତେଣୁ କଥା ବହୁ କହୁଛି ॥
ବିପଦ ଆସିଲେ ବନ୍ଧୁ ଆଗେ ଯାଇ
ବୀରଦର୍ପରେ ଛାତିକୁ ମେଲେଇ ଦେଇଛି
ବିପଦ ଆସିଲେ ଆମେ ବଞ୍ଚିବାକୁ ଯାଇ
ବନ୍ଧୁପଣିଆକୁ ଭୁଲି ଯାଇଛେ ॥
ପୂଜା ନୀତିରୀତିରେ ସେ ବିଶ୍ୱାସ ରଖି
ଭଗବାନଙ୍କ ପାଖେ ନୀତି ଗୁହାରି କରୁଛି
ବିପଦ ଆସିଲେ ଆମ ଭଳି କିଛି ଲୋକଙ୍କ
ଭଗବାନଙ୍କ କଥା ଟିକେ ମନେପଡୁଛି ॥
ସବୁକିଛି ସିଏ ମନେରଖିଛି
ମୋହ ମାୟା ନୀତି ଘାଣ୍ଟିହୋଇ
ସବୁକିଛି ଆମେ ଭୁଲିଯାଇଛେ ॥
– ରୁଦ୍ରନାରାୟଣ ଖଟୁଆ