ମୁଖାବରଣ
ମୁଖାବରଣ

ମୁଖାବରଣ

ହେ ମୁଖାବରଣ !!
ତୁମେ ସତ୍ୟର ଆବରଣ,
ସତେ ଯେମିତି
ଲାଲ୍ ଟହଟହ ଲୋଭନୀୟ ମହାକାଳ ଫଳ,
ବାହ୍ୟ ଉପଢୌକନର ଚାକଚକ୍ୟରେ
ଲୁଚାଇ ଦେଇଛ ନିଜ ଅସ୍ତିତ୍ୱକୁ ।
ଶୁଣିଛି ଚେହେରାରୁ ଜାଣିହୁଏ
ହୃଦୟର କଥା,
ଚେହେରା ସାଜିଯାଏ ମନର ଆଇନା…
କିନ୍ତୁ ହେ ମୁଖାବରଣ,
କେମିତି ସାଜ ଏତେ ଶକ୍ତିଶାଳୀ ତୁମେ !!
କେମିତି ଆବୃତ୍ତ କରିପାର ଚେହେରାର ମୌଳିକତାକୁ
ନିଜ ଭିତରେ…
କେମିତି ଆଙ୍କିପାର ମିଥ୍ୟାଭିମାନର ହସ,
ଆଉ ଦେଖାଇ ପାର ଦାମ୍ଭିକତାର ପରାକାଷ୍ଠା…
ପୁଣି କେବେ ଘୋଡ଼ାଇ ପାର ଦଗ୍ଧ ମନର ଅନ୍ତଃଜ୍ୱାଳା,
ତ ଆଉ କେତେବେଳେ ଖେଳିପାର
ନିଷ୍କପଟ ମନର ନୀରବତା ସ‌ହ…
କେବେ କ’ଣ ଭାଙ୍ଗି ପଡ଼ନା !!!
କେବେ କ’ଣ ଭାଙ୍ଗି ପଡ଼ନା !!!
ଭଙ୍ଗା ମନର ଅଭିଶାପ ଲୁହରେ…
କେବେ କ’ଣ ଝରି ପଡ଼ନା !!!
ତିଳତିଳ କରି ତମ ପାଇଁ ଜଳି ଯାଉଥିବା ପ୍ରାଣରେ…
ଶେଷରେ,
କେବେ କ’ଣ ଥକି ଯାଅନା !!!
ବିଶ୍ୱାସର ଦ୍ୱାହି ଦେଇ,
ଅବିଶ୍ୱାସର ବନ୍ଧ ବାନ୍ଧୁ, ବାନ୍ଧୁ
ନିଜ ବିବେକ ସାମ୍ନାରେ….

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu