You are currently viewing ମନେପଡ଼ନ୍ତି: ‘କର୍ମବୀର’ ଗୌରୀଶଙ୍କର
ମନେପଡ଼ନ୍ତି: ‘କର୍ମବୀର’ ଗୌରୀଶଙ୍କର

ମନେପଡ଼ନ୍ତି: ‘କର୍ମବୀର’ ଗୌରୀଶଙ୍କର

‘କର୍ମବୀର’ ଭାବେ ଖ୍ୟାତ ଗୌରୀଶଙ୍କର ରାୟ ହେଉଛନ୍ତି, ଓଡ଼ିଆ ସାମ୍ବାଦିକତାର ଜନକ । ତାଙ୍କ ଦ୍ୱାରା ପ୍ରକାଶିତ-ସଂପାଦିତ ‘ଉତ୍କଳ ଦୀପିକା’ ଓଡ଼ିଶାର ପ୍ରଥମ ଜାତୀୟ ସମ୍ବାଦପତ୍ର । ଗୌରୀଶଙ୍କର ପ୍ରାୟ ବାଉନ ବର୍ଷ ଏହାର ସଂପାଦକ ଦାୟିତ୍ୱ ତୁଲାଇଥିଲେ । ଏହା ସତୁରି ବର୍ଷ ଧରି ଥିଲା, ଓଡ଼ିଆ ଜାତୀୟ ଜୀବନର ବାର୍ତ୍ତାବହ ତଥା ଓଡ଼ିଶାର ମୁଖପତ୍ର । ଏହା ଓଡ଼ିଆ ଜାତୀୟ ଜୀବନକୁ ନେତୃତ୍ୱ ଦେଇଥିଲା । ଏହା ଥିଲା ଓଡ଼ିଆଙ୍କ ସୁଖ-ଦୁଃଖର ସାଥୀ । ଭାଷା ସୁରକ୍ଷା ଆନ୍ଦୋଳନ କାଳରେ ‘ଉତ୍କଳ ଦୀପିକା’ ମାଧ୍ୟମରେ କର୍ମବୀର ଗୌରୀଶଙ୍କର ରାୟ ଯେଉଁ ଭଳି ଭାବେ ଓଡ଼ିଆ ବିରୋଧୀ ଶକ୍ତିମାନଙ୍କର ମୁକାବିଲା କରିଥିଲେ, ଯେକୌଣସି ଜାତିର ଇତିହାସରେ ତାହାର ପଟାନ୍ତର ନାହିଁ । ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ ହେଁ ସେ ଓଡ଼ିଆକୁ ମାତୃଭାଷା ରୂପେ ଗ୍ରହଣ କରିଥିଲେ ଏବଂ ଏହି ଭାଷାର ଉନ୍ନତି ପାଇଁ ଆଜୀବନ କାର୍ଯ୍ୟ କରିଥିଲେ । ତାଙ୍କ ସଂପର୍କରେ ଗୋପାଳ ଚନ୍ଦ୍ର ପ୍ରହରାଜ କହିଥିଲେ- “ଗୌରୀଶଙ୍କର ସଂପାଦକ ରୂପେ ଅବତୀର୍ଣ୍ଣ ହେବା ପୂର୍ବରୁ ଉତ୍କଳର ଗୋଟିଏ ସାଧାରଣ ଭାଷା ନ ଥିଲା । ଉତ୍କଳ ଭାଷା ପ୍ରାଦେଶିକତାରେ ପୂର୍ଣ୍ଣ ଥିଲା । ଏମନ୍ତ କି ଗୋଟିଏ ଅଞ୍ଚଳରେ ବ୍ୟବହୃତ ହେଉଥିବା ଭାଷାକୁ ଅନ୍ୟ ଅଞ୍ଚଳର ଲୋକେ ବୁଝିପାରୁ ନ ଥିଲେ । ଭାଷାରୁ ପ୍ରାଦେଶିକତା ଦୂରକରି ସମଗ୍ର ଉତ୍କଳରେ ଗୋଟିଏ ସାଧାରଣ ଭାଷା ପ୍ରବର୍ତ୍ତନରେ ‘ଉତ୍କଳ ଦୀପିକା’ ଯେଉଁ କାର୍ଯ୍ୟ କରିଅଛି, ତାହାର ମୂଲ୍ୟ ନିରୂପଣ କରିବା ସହଜ ନୁହେଁ ।”

ଗୌରୀଶଙ୍କର ଏବଂ ତାଙ୍କର ଅଂଶୀଦାର ବନ୍ଧୁ ବିଚିତ୍ରାନନ୍ଦ ଦାସ ଓ ଲାଲା ଜଗମୋହନ ରାୟ ମିଳିତ ଭାବେ ୧୮୬୫ରେ ଆରମ୍ଭ କରିଥିଲେ ‘କଟକ ପ୍ରିଣ୍ଟିଂ କଂପାନି’ । ଏହାର ପରିଚାଳକ ଥିଲେ ଗୌରୀଶଙ୍କର । ମୁଦ୍ରଣ ବ୍ୟବସାୟରେ ସେ ସଫଳ ହୋଇଥିଲେ । ସେ କାଳରେ ବ୍ୟବସାୟରୁ ଲାଭ କରି ଦୁଇ ଅଂଶୀଦାରଙ୍କୁ ଦେଇଥିଲେ ପଞ୍ଚାବନ ହଜାର ଟଙ୍କା । ଏଠାରୁ ହିଁ ୧୮୬୬ ଜୁନ୍‌ ପହିଲାରେ ଜନ୍ମ ନେଇଥିଲା ‘ଉତ୍କଳ ଦୀପିକା’ । ଏହା ଥିଲା ପ୍ରକୃତରେ ‘ଉତ୍କଳର ଦୀପଶିଖା’ । ଏହା ଓଡ଼ିଶାରେ ଏକ ନବ ଯୁଗର ପ୍ରବର୍ତ୍ତକ ଥିଲା । ଏହାର ବିକାଶ ପାଇଁ ଗୌରୀଶଙ୍କର ସରକାରୀ ଚାକିରି ଛାଡ଼ିଥିଲେ । ଏହା ସମାଜ ସଂସ୍କାରଠାରୁ ଆରମ୍ଭ କରି ଦେଶ ମିଶ୍ରଣ ପର୍ଯ୍ୟନ୍ତ ବହୁ ଗୁରୁ ଦାୟିତ୍ୱ ତୁଲାଇଥିଲା । ଗୌରୀଶଙ୍କର ମଧ୍ୟ ଓଡ଼ିଆ ସାହିତ୍ୟକୁ ଆଧୁନିକ ଓ ଶକ୍ତିଶାଳୀ କରିବା ଦିଗରେ ନିରବଚ୍ଛିନ୍ନ ସାଧନା କରିଥିଲେ । ଆଲୋଚକ ରବୀନ୍ଦ୍ରମୋହନ ସେନାପତିଙ୍କ ଭାଷାରେ: ‘ଏହା ଥିଲା ଉତ୍କଳର ଦୀପଶିଖା, ଅନ୍ଧାରରେ ଦୀପଶିଖା । ଦୁର୍ଦିନରେ ଜଳିଉଠିଥିଲା ଛୋଟ ଦୀପଟିଏ । ଏହା ଓଡ଼ିଶାକୁ ଆଣିଲା ନବଯୁଗର ଆଲୋକ, ଗଣଚେତନା । ଓଡ଼ିଆଙ୍କ ଭିତରେ ଜାତୀୟ ଚେତନା ଜାଗ୍ରତ ଓ ସମ୍ବାଦ ବିତରଣରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।’ ୧୮୯୨ ଯାଏ ଗୌରୀଶଙ୍କର ଚାକିରି କରିଥିଲେ । ଏହି ବର୍ଷ ଚାକିରି ଛାଡ଼ି, ‘ଉତ୍କଳ ଦୀପିକା’କୁ ପୂର୍ଣ୍ଣ ସମୟ ଦେଇଥିଲେ । ସେ ଥିଲେ ସାହିତ୍ୟରସିକ, କଳା ଓ ସଂଗୀତପ୍ରିୟ । ‘ଉତ୍କଳ ସାହିତ୍ୟ ସମାଜ’ର ଉଦ୍ୟୋକ୍ତା ଥିଲେ । କିଛି କାଳ ‘ଉତ୍କଳ ସଭା’ର ସଂପାଦକ ଦାୟିତ୍ୱ ତୁଲାଇଥିଲେ । ତେବେ, ବିଶେଷ ଆସକ୍ତି ଥିଲା ପ୍ରେସ୍‌ ଓ ଦୀପିକା ପ୍ରତି । ଏପରିକି ବେଳେବେଳେ ଦିନ-ରାତି କଟୁଥିଲା ପ୍ରେସ୍‌ରେ ।

୧୮୩୮ ଜୁଲାଇ ୧୩ରେ ଗୌରୀଶଙ୍କର ଜନ୍ମ ହୋଇଥିଲେ ଅସୁରେଶ୍ୱର ନିକଟସ୍ଥ ଦୀକ୍ଷିତପଡ଼ାରେ । କଟକ ଇଂରେଜୀ ସ୍କୁଲ୍‌ ପରେ ହୁଗଲୀ କଲେଜ୍‌ରେ ଦୁଇ ବର୍ଷ ପଢ଼ି ସେ ବାଲେଶ୍ୱରରେ ବିଦ୍ୟାଳୟ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ତାହା ପରେ କଟକରେ କିରାଣି ଚାକିରି, ଅଦାଲତରେ ଅନୁବାଦକ । ଚାକିରି କାଳରେ ସେ ଥିଲେ ସ୍ୱାଧୀନଚେତା । ମନିଅର୍ଡର‌୍‌ ଏଜେଣ୍ଟ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ଡାକଘରର ନୀତି-ନିୟମ ପାଳନ ପ୍ରତି ବିଶେଷ ଦୃଷ୍ଟି ଦେଉଥିଲେ । ଦିନେ ତତ୍‌କାଳୀନ ଜଏଣ୍ଟ୍‌ ମାଜିଷ୍ଟ୍ରେଟ୍‌ ଆର୍ମ‌୍‌ଷ୍ଟ୍ରଙ୍ଗ୍‌ ସାହେବ ଅପରାହ୍‌ଣ ତିନିଟା ପରେ ମନିଅର୍ଡର‌୍‌ କରିବା ପାଇଁ ଟଙ୍କା ପଠାଇଥିଲେ । ସମୟ ଅତିକ୍ରାନ୍ତ ହୋଇସାରିଥିବାରୁ ଗୌରୀଶଙ୍କର ତାହା ଫେରାଇଦେଇ, ସାହେବଙ୍କ ବିଷଦୃଷ୍ଟିରେ ପଡ଼ିଥିଲେ । ସାହେବ ଡାକଘରକୁ ଆସି ନିଜ ହାତରେ ରସିଦ କାଟିବା ଭଳି ବେଆଇନ କାମ କରିବା ସହ ଆଦେଶ ଅମାନ୍ୟ ଦୋଷ, ଗୌରୀଶଙ୍କରଙ୍କ ଉପରେ ଲଦିଥିଲେ । ହେଲେ, ଦବିଯାଇ ନ ଥିଲେ କର୍ମବୀର । ଆଇନ ଦୃଷ୍ଟିରୁ ମାଜିଷ୍ଟ୍ରେଟ୍‌ ଓ ସାଧାରଣ ଲୋକଙ୍କ ଭିତରେ କୌଣସି ଫରକ ଦେଖନ୍ତିନାହିଁ ବୋଲି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ଜଣାଇଥିଲେ । ଶେଷରେ ଆର୍ମ‌୍‌ଷ୍ଟ୍ରଙ୍ଗ୍‌ଙ୍କୁ ହିଁ ଦୋଷ ସ୍ୱୀକାର କରିବାକୁ ପଡ଼ିଥିଲା । ତାଙ୍କର ସଚ୍ଚୋଟତାପୂର୍ଣ୍ଣ କାର୍ଯ୍ୟକଳାପ ଯୋଗୁଁ ସେ ଏପରିକି ବ୍ରିଟିସ୍‌ କର୍ମମକର୍ତ୍ତାଙ୍କର ମଧ୍ୟ ପ୍ରିୟଭାଜନ ହୋଇପାରିଥିଲେ । ସେ ଥିଲେ ଅତିମାତ୍ରାରେ ସ୍ୱାଧୀନମନା । ଚାକିରି କରୁଥିବା ବେଳେ ମଧ୍ୟ ଅବସର ସମୟରେ ଦେଶ-ସେବା, ସମାଜ-ସଂସ୍କାର ଆଦିରେ ବ୍ରତୀ ହୋଇଥିଲେ । ତାଙ୍କ ଉଦ୍ୟମରେ ମୁଣ୍ତ ଟେକିଥିଲା ‘ଓଡ଼ିଶା ସଭା’, ‘ଉତ୍କଳ ସାହିତ୍ୟ ସମାଜ’, ‘କାୟସ୍ଥ ଛାତ୍ରାବାସ’, ‘କଟକ ଟାଉନ୍‌ ହଲ୍‌’ ଭଳି ଅନୁଷ୍ଠାନ । ନିଜ ସମୟର ଜନ-ଜୀବନ ସହ ସେ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ।

ବ୍ୟକ୍ତିଗତ ଜୀବନରେ ଗୌରୀଶଙ୍କର ଥିଲେ ଉଦାରବାଦୀ । ଜୀବନର ମଧ୍ୟାହ୍ନରେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ । ତାଙ୍କର ଦେହର ରଙ୍ଗ ଥିଲା ତୋଫା ଗୋରା । ମୋଟା ନିଶ ରଖୁଥିଲେ । ଦୈନିକ ଦଣ୍ତ-ବଇଠକ, କୁସ୍ତି-କସରତ କରୁଥିଲେ; କାଠଯୋଡ଼ି ନଦୀରେ ସନ୍ତରଣ କରୁଥିଲେ । କାନ୍ଧରେ ସର୍ବଦା ପଡ଼ୁଥିଲା ଉତ୍ତରୀୟ । ଶୃଙ୍ଖଳା ଓ ନିୟମାନୁବର୍ତ୍ତିତା ଥିଲା ତାଙ୍କର ଅନ୍ୟ ବିଶେଷ ଗୁଣ । ତାଙ୍କ ସଂପର୍କରେ ‘ଭକ୍ତକବି’ ମଧୁସୂଦନ ଲେଖିଥିଲେ- ‘ଶ୍ରୀ ବିଚିତ୍ରାନନ୍ଦ ଶ୍ରୀ ଜଗମୋହନ ନାମ ସଙ୍ଗେ ତବ ନାମ ଯୁକ୍ତ ହେ ସୁଜନ, ମଣିକାଞ୍ଚନର ଯୋଗେ ରହିବ ଉତ୍କଳେ ଯଶଃର ମନ୍ଦିର ମଧ୍ୟେ ପୁଣ୍ୟ ଭାଗ୍ୟ ବଳେ, ନବୁଯୁଗ ଉଷା ପ୍ରଭା ଦୀପିକା ପ୍ରକାଶି ଧନ୍ୟ ତୁମ୍ଭେ ଏ ଉତ୍କଳେ ସ୍ୱୀକୃତ ବିଳାସୀ ।’ ୧୯୧୭ ମାର୍ଚ‌୍‌ ୭ରେ ତାଙ୍କର ପରଲୋକ ହୋଇଥିଲା ।

ସିନ୍ଧୁଜ୍ୟୋତି ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର "ସମ୍ବାଦ" ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।