ଖଟା ସିନା ଲାଗେ ବାଡ଼ି ବରକୋଳି
ରସାଳ ସେଇଟି ଭାରି
ପ୍ରତିଟି ବରଷ ଶୀତ ସାଥେସାଥେ
ଫୁଲଫଳ ଆସେ ଭରି ।
ଦୂର ଦୂରାନ୍ତର କେତେ ଟିକି ପକ୍ଷୀ
ଡାଳରେ ବସନ୍ତି ନିତି
କେତେଯେ ଭଅଁର କେତେ ମହୁମାଛି
ଖେଳୁଥାନ୍ତି ପ୍ରଜାପତି ।
ଚର୍ତୁପାଶ୍ୱ ତା’ର ଦିଶଇ ସୁନ୍ଦର
ମଧୁର ମଧୁର ବାସେ
ସକାଳ ସଞ୍ଜର ଧୀର ପବନରେ
ସଭିଙ୍କର ମନ ତୋଷେ ।
ସାହିପଡ଼ିଶାର ବଡ଼ଠାରୁ ସାନ
ପିଲାଙ୍କର ଜମେ ମେଳି
ବାରଣ ନଥାଏ କେବେବି କାହାକୁ
ଆନନ୍ଦେ ଖାଆନ୍ତି ତୋଳି ।
ଜେଜେମା’ ରଖଇ ପାଚିଲା କୋଳିକୁ
ଯତନେ ସାଇତି କରି
ଖରାରେ ଶୁଖିଣ ମଉଳି ଗଲେ ସେ
ମସଲା ଦିଏ ମାରି ।
ତେନ୍ତୁଳି ରସ ଗୁଡ଼ ସାଥିରେ
ଖାଣ୍ଟି ସୋରିଷ ତେଲ
ଖଟା ସାଥିରେ ବାସି ପଖାଳ
ବଢ଼ାଇ ଦିଏ ମୂଲ ।
– ସରୋଜ କୁମାର ସାହୁ