You are currently viewing ଝିଅ ଦେଖା
Odia Story Jhia Dekha (ଝିଅ ଦେଖା) by Pallabi Das

ଝିଅ ଦେଖା

ମାଆ ଚିଲାଉଥାନ୍ତି ସୁମି ଦିଦି ଉଦ୍ଦେଶ୍ୟରେ, “ସୁମି ଟିକେ କ୍ଷୀରିଟା ଘାଣ୍ଟି ଦେଲୁ, ଲାଗିଯିବ ହାଣ୍ଡିରେ ।” ଝନ୍ ଝାନ୍ ଚୁଡ଼ି ଶବ୍ଦ କରି ସୁମି ଦିଦି ହାତରେ ମେଞ୍ଚାଏ ଚୁଡ଼ି ପିନ୍ଧି ପିନ୍ଧି ଚାଲି ଗଲା ରୋଷେଇ ଘରକୁ କ୍ଷୀରି ଘାଣ୍ଟିବାକୁ । ପୁଣି ଆସି ମୁଣ୍ଡରେ କ୍ଲିପ ମାରୁଥିଲା ଆଉ ମତେ ବାରମ୍ବାର ପଚାରୁଥିଲା, “ମୀନୁ, କହିଲୁ କୋଉ ହେୟାର୍ ଷ୍ଟାଇଲ୍‌ଟା ମାନିବ ମତେ?” ମୁଁ ତାକୁ ଚିଡ଼େଇବାକୁ ଯାଇ କହିଲି, “ତୋ ଲମ୍ବା ସିଧା ଚୁଟିରେ କିଛି ବି ଷ୍ଟାଇଲ୍ କଲେ ରହିବନି ଖସିଯିବ ।” ପୁଣି ତା’ ଚିନ୍ତା ଦେଖି, ତାକୁ ସାହାଯ୍ୟ କଲି ଗୋଟେ ସୁନ୍ଦର ଖୋସା ତିଆରି କରିବାରେ । ଅଧା ଖୋସା ବାନ୍ଧିଛି କି ନାହିଁ ପୁଣି ବାପା ବାହାର ପଟୁ ଡାକ ଛାଡ଼ିଲେ, “ସୁମି ଟିକେ ପାଣି ଗ୍ଲାସ ଦବୁ !” ଦିଦି ଜଲ୍‌ଦି ଖୋସା ବାନ୍ଧି ଚାଲିଗଲା ବାପାଙ୍କୁ ପାଣି ଦବାକୁ । ରାତିସାରା ଭାବି ଭାବି ମୋତେ ନିଦ ହୋଇନଥିଲା ଯେ ଦିଦି ବିନା ମୁଁ କ’ଣ କରିବି ! ସେ ଏ ଘରୁ ଗଲାପରେ ଘରର ସବୁ କାମ କରିବ କିଏ ! ଏବେ ଟିକେ ହାଲ୍‌କା ନିଦରେ ଆଖି ଲାଗିଗଲା କେତେବେଳେ ଜାଣି ପାରିଲିନି । ନିଦରେ ଶୁଣା ଯାଉଥିଲା ମାଆ ସୁମି ଦିଦିକୁ କେତେ କ’ଣ କହୁଥାନ୍ତି । ମାଆଙ୍କ ପାଟିରେ ମୁଁ ଆଖି ମଳିମଳି ପ୍ରାୟ ଗୋଟେ ଘଣ୍ଟା ପରେ ଉଠିଲା ବେଳକୁ ଦିଦି ମୋର ଗୋଟେ ପରୀ ଭଳି ଦିଶୁଥିଲା । ମତେ ଅନେଇ କହିଲା, “ଦେଖିଲୁ ମୀନୁ, ମୁଁ କେମିତି ଦେଖା ଯାଉଛି?” ଦିଦିକୁ ମୁଁ ବହୁତଥର ଶାଢ଼ୀରେ ଆଗରୁ ଦେଖିଥିଲି, କିନ୍ତୁ ଆଜିର ଦେଖିବା କିଛି ଅଲଗା ଥିଲା । ମୋ ଦିଦିକୁ ପୁଅଘର ଲୋକ ଦେଖିବାକୁ ଆସୁଥିଲେ ଆଜି । ନୀଳ ଶାଢ଼ୀରେ ଗୋଲାପି ଧଡ଼ି ଆଉ ହାତରେ ମେଞ୍ଚାଏ ନୀଳ ଚୁଡ଼ିରେ ମୋ ଦିଦି ବେଶ୍ ସୁନ୍ଦର ଦିଶୁଥିଲା । ମାଆ ହୁଏତ ତା’ ଶାଢ଼ୀ ବଦଳେଇ ଦେଲେ, କାରଣ ନିଦରେ ଶୋଇବା ପୂର୍ବରୁ ଦିଦି ଆଉ ଗୋଟେ ଫିକା ରଙ୍ଗର ଶାଢ଼ୀ ପିନ୍ଧିଥିଲା ଆଉ ଯେତେ କହିଲେ ବି ବଦଳାଉ ନଥିଲା । ଏପାଳି ବୋଧେ ମାଆ ଆସି ବଦଳାଇ ଦେଲେ ଜବରଦସ୍ତି । କାନରେ ବଡ଼ ନୀଳ କାନଫୁଲ ଆଉ ମଥାରେ ବଡ଼ କଳା ଟିକିଲି ତା’ ସାଥିରେ ଓଠରେ ଗୋଲାପି ଲିପିଷ୍ଟିକ୍‌ରେ ଦିଦି ପୂରା ହିରୋଇନ୍ ଲାଗୁଥିଲା ମତେ । ଚାଲିଗଲା ବେଳକୁ ରୁଣୁ ଝୁଣୁ ଶବ୍ଦ ହଉଥିଲା, ତା’ ପାଦ ଦି’ଟାକୁ ଦେଖିଲା ବେଳକୁ ପାଉଁଜି ଲଗେଇଥିଲା ଆଜି ଅନେକଦିନ ପରେ । ଏତେ ଦିନ ହେଲା ତା’ ସାଧାରଣ ରୂପରେ ତାକୁ ଦେଖି ଦେଖି ଆଜିର ଏ ମନ ଲୋଭା ରୂପ ମତେ ବହୁତ ଆଲଗା ଲାଗୁଥିଲା । ଲାଗୁଥିଲା ଯେମିତି ଦିଦି ତା’ ନୂଆ ସଂସାରକୁ ନୂଆ ନୂଆ ରଙ୍ଗରେ ସଜେଇବାକୁ ପୂରା ପ୍ରସ୍ତୁତ ଅଛି ।

ରୋଷେଇ ଏଯାଏ ସରି ନଥିଲା । ଦିଦି ମୋର ଦୌଡ଼ି ଯାଉଥିଲା ବାକି ରୋଷେଇରେ ମାଆଙ୍କୁ ସାହାଯ୍ୟ କରିବାକୁ, କାଳେ ତା’ ମେକଅପ୍ ଖରାପ ହେଇଯିବ ଭାବି ତା’ ହାତଟାକୁ ଧରି ଦେଇ କହିଲି, “ଦିଦି ମୁଁ ଯାଉଚି ।” ତଥାପି ସେ ଶୁଣି ନଥିଲା ହସି ହସି ଚାଲି ଯାଇଥିଲା ରୋଷେଇ କରିବାକୁ । ରୋଷେଇ ସାରି ଝାଳନାଳ ହୋଇ ଆସି ବସିପଡ଼ିଲା ମୋ ପାଖରେ ଟିକେ ଫ୍ୟାନ୍ ପବନ ପାଇଁ । ହଠାତ୍ ମାଆଙ୍କ ପାଟି ପୁଣି ଶୁଭିଲା, “ସୁମି, ସେମାନେ ଆଉ ପାଞ୍ଚ ଦଶ ମିନିଟ୍‌ରେ ଆସି ପହଞ୍ଚିଯିବେ, ସବୁ କାମ ଶୀଘ୍ର ସାରିଦେ ।” ଏତିକି ଶୁଣୁଶୁଣୁ ମୁଁ ଗୋଟେ କୁଦାରେ ବେଡ୍‌ରୁ ଡିଆଁ ମାରିଲି ତଳକୁ କାରଣ ଦିନ ବାରଟା ହବ ପ୍ରାୟ, ଏଯାଏ ମୁଁ ଦାନ୍ତ ଘସି ନଥିଲି କି ଗାଧୋଇ ନଥିଲି, ବାସ୍ ବେଡ୍‌ରେ ପଡ଼ି ପଡ଼ି ଦିଦିକୁ ଦେଖୁଥିଲି । ମୁଁ ଚାଲିଗଲି ମୋ ବାଟରେ ମୋ ନିତ୍ୟ କର୍ମ ସାରିବାକୁ । ସବୁକାମ ସାରି ପ୍ରାୟ କୋଡ଼ିଏ ମିନିଟ୍ ପରେ ଆସିଲା ବେଳକୁ ଦିଦି ଥରୁଥିଲା ମିରର୍ ଆଗରେ ଠିଆ ହୋଇ । ହାତରେ କାଜଲ୍ ଧରିଥିଲା ଲଗେଇବାକୁ କିନ୍ତୁ ଲଗେଇ ପାରୁନଥିଲା, ନୂଆ ଲୋକଙ୍କୁ ଦେଖା କରିବା ଆତଙ୍କରେ । ମତେ ଭାରି ମଜା ଲାଗୁଥିଲା ତାକୁ ଏଇ ଅବସ୍ଥାରେ ଦେଖି । ହାତରୁ କାଜଲ୍‌ଟା ଟାଣି ନେଇ ମୋ ଆଡ଼କୁ ତା’ ମୁହଁ ବୁଲେଇଦେଇ ଆଙ୍କି ଦେଲି ଦି’ଟା ଲମ୍ବା ମୋଟା କଳା ଗାର ତା’ ଆଖି ଦି’ଟାରେ । ଆଙ୍କି ସାରିବା ପରେ ଆରମ୍ଭ କଲି ମୋ ଲମ୍ବା ଚଉଡ଼ା ପ୍ରବଚନ ବଡ଼ ପାଟିରେ ତାକୁ ଟିକେ ସାହସ ଦବା ପାଇଁ । କିନ୍ତୁ ମୋ ପାଟି ଶୁଣି ମାଆ ବାହାର ପଟ ଘରୁ ଦୌଡ଼ି ଆସି କହିଲା, “ମୀନୁ, ଟିକେ ଧୀରେ ପାଟି କର ସେମାନେ ବସିଛନ୍ତି ଖରାପ ଭାବିବେ ।” ୟା ଭିତରେ ସେମାନେ ଆସିଗଲେଣି ବୋଲି ମତେ ଜଣା ନଥିଲା । ଦିଦି ଚାଲି ଯାଇଥିଲା ରୋଷେଇ ଘରକୁ ଦହି ସରବତ ଆଣିବାକୁ । ହଠାତ୍ କାଚ ଗ୍ଲାସ ପଡ଼ିବାର ଶବ୍ଦରେ ମାଆ ଆଉ ମୁଁ ଦୌଡ଼ିଥିଲୁ ରୋଷେଇ ଘରକୁ । ସେଠି ଯାଇ ଦେଖୁ ତ, ଦିଦି ଛାନିଆ ଆଉ ଭୟରେ ଗ୍ଲାସ ଗୋଟେ ଭାଙ୍ଗି ସାରିଛି । ମାଆ ତାକୁ ସାହସ ଦେଇ ଭଲରେ ବୁଝେଇ ପୁଣି ତାକୁ ଧରି ଚାଲିଲା ତା’ ଭାବି ଶାଶୁଘର ଲୋକଙ୍କ ଆଗକୁ । ମୁଁ ଆଶ୍ଚର୍ଯ୍ୟ ହଉଥିଲି, ମାଆ କେମିତି ଆଜି ଦିଦିକୁ ଗାଳି ଦେଲାନି ଗ୍ଲାସ ଭାଙ୍ଗିବାରୁ ! ଆଗରୁ ତ ବହୁତ ଗାଳି କରେ । ତା’ ଶାଶୁଘର ଲୋକଙ୍କୁ ଦେଖିବାକୁ ମୁଁ ବି ଯାଇଥିଲି ଦିଦି ପଛେ ପଛେ ଆଉ ଦୂରରୁ ଠିଆ ହୋଇ ଦେଖୁଥିଲି ମୋ ଦିଦିର ଆଉ ଗୋଟେ ନିରୀହ ରୂପ । କହିବାକୁ ଗଲେ ଦିଦି ମୋର ଜମା ନିରୀହ ନୁହେଁ କାରଣ ସେ ମତେ ପଢ଼େଇବାବେଳେ ବହୁତ ବାଡ଼ାଏ । କିନ୍ତୁ ଆଜି ସେ ମତେ ବହୁତ ନିରୀହ ଲାଗୁଥିଲା । ସମସ୍ତଙ୍କୁ ମୁଣ୍ଡିଆ ମାରିବା ସାରି ସେ ବସିଥିଲା ମାଆଙ୍କ ପାଖରେ । ମୁଁ ଯାଇ ସମସ୍ତଙ୍କୁ ମୁଣ୍ଡିଆ ମାରି ବସିଗଲି ବାପାଙ୍କ ପାଖରେ । ଦିଦିର ଶାଶୁଘର ଲୋକ ତାକୁ ବହୁତ ଶାନ୍ତ ଭାବୁଥିଲେ । କହୁଥିଲେ, “ଝିଅଟା କେତେ ଚୁପ୍ ଚାପ୍, ଠିକ୍ ଆମ ପୁଅ ପରି ଶାନ୍ତ, ଇତ୍ୟାଦି…” ମୋର ଇଚ୍ଛା ହଉଥିଲା ଚିଲେଇକି କହିବାକୁ, “ତମେ ଯାହାକୁ ଏତେ ଶାନ୍ତ ଭାବୁଛ ସେ ଚଣ୍ଡିଟେ । ମତେ ବହୁତ ମାରେ ।” କିନ୍ତୁ କହି ପାରିଲିନି କାରଣ ମୋ ଦିଦିର ଖୁସି ଲୁଚି ରହିଥିଲା ଏଇ ନୂଆ ସମ୍ପର୍କରେ । ମତେ ଜଣାଥିଲା, ମୋ ଦିଦି କେବଳ ମୋ ଆଗରେ ବାଘ ଆଉ ସବୁଠି ମୂଷାଛୁଆ । ଦିଦିର ଆଖି ଦି’ଟା ବହୁତ ସୁନ୍ଦର । ଆଉ ଜ୍ୟୋତିଷ ଆଜ୍ଞା କହୁଥିଲେ, “ମାଆରେ, ତୁ ବହୁତ ଲକ୍ଷ୍ମୀମତିଆ କାରଣ ତୋ’ ଆଖି ଦି’ଟା କଜଳପାତିଆ ଆଖି ।” ଏତିକି ଶୁଣି ଦେଇ ମୋ ବାପାମାଆ ଆଉ ଟିକେ ଖୁସିରେ ଗଦ ଗଦ ହୋଇଗଲେ । ମୋର ଇଚ୍ଛା ହଉଥିଲା କହିବାକୁ, “ଆରେ ମତେ ବି କିଏ ଟିକେ ବାହାବା ଦିଅ, ତାକୁ କାଜଲ୍ ମୁଁ ଲଗେଇ ଦେଇଚି ସେଥିପାଇଁ ସେ ଆହୁରି ସୁନ୍ଦର ଦିଶୁଛି ।” କେହି ମତେ ବାହାବା ଦିଅନ୍ତୁ ବା ନଦିଅନ୍ତୁ, ଦିଦି କିନ୍ତୁ ତା’ ଆଖିର ଇସାରାରେ ମତେ ଜଣେଇଦେଲା । ବେଶ୍ ସୁରୁଖୁରୁରେ ଝିଅ ଦେଖା ସରିଗଲା ଆଉ ଭିଣେଇ ଭାଇ ଗଲାବେଳେ ମତେ ଚିଡ଼େଇଦେଇ ଗଲେ । ସମସ୍ତଙ୍କର ଝିଅ ଆଗରୁ ପସନ୍ଦ ଥିଲା କିନ୍ତୁ ମୋ ଦିଦିର ଡର ବହୁତ । ନିଜ ଭିତରେ ସଙ୍କୁଚିତ ସେ, ଅନେକ ଚିନ୍ତା ଥିଲା ତା’ର, ତା’ ରଙ୍ଗରୂପ କାଳେ କାହାକୁ ପସନ୍ଦ ନ ଆସିବ ଭାବି । ଦିଦିର ବିଶ୍ୱାସ ହଉନି ଯେ ତା’ ବାହାଘର ଠିକ୍ ହୋଇସାରିଛି ବୋଲି କାରଣ ସେ ଦେଖିଛି ତା’ ଆଖି ଆଗରେ ମାଉସୀମାନଙ୍କ ପାଇଁ ବାରବାର ବିବାହ ପ୍ରସ୍ତାବ ଆସିବା ଆଉ ଭାଙ୍ଗିଯିବା । କେଉଁଠି ଜାତକ ପାଇଁ ତ ଆଉ କେଉଁଠି ରୂପ ରଙ୍ଗ ପାଇଁ । ଦିଦି ଭାବୁଥିଲା ତା’ ବାହାଘର ପାଇଁ ମଧ୍ୟ ସେମିତି କିଛି ହବ ବୋଲି । ନିଜକୁ ପ୍ରସ୍ତୁତ କରିଦେଇଥିଲା ବାରବାର ପିଲାମାନଙ୍କ ସହ ମିଶିବାକୁ ଆଉ ପୁଅର ପରିବାର ସହ ମିଶିବାକୁ । କିନ୍ତୁ ତା’ ଜୀବନରେ ଗୋଟେ ଥରରେ ସବୁ ଠିକ୍ ହୋଇଯିବ ବୋଲି ସେ କେବେ ଭାବି ନଥିଲା । ବିବାହର ବଜାରରେ ତା’ର କିଣାବିକା ହୋଇନଥିଲା । ଧୀରେ ଧୀରେ ତାର ବିଶ୍ୱାସ ଆସୁଥିଲା ଯେ, ଆଜି ବି ଦୁନିଆରେ କିଛି ଭଲ ପରିବାର ଅଛନ୍ତି ବୋଲି ଆଉ ନିଜକୁ ପ୍ରସ୍ତୁତ କରୁଥିଲା ସେମିତି ଏକ ପରିବାରରେ ନିଜକୁ ସାମିଲ୍ କରିବାକୁ ।

– ପଲ୍ଲବୀ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।