You are currently viewing ଜାତି ସ୍ୱାଭିମାନର ନବଜାଗରଣ
Jati Swabhimanara Nabajagarana (ଜାତି ସ୍ୱାଭିମାନର ନବଜାଗରଣ) by Manoj Tripathy

ଜାତି ସ୍ୱାଭିମାନର ନବଜାଗରଣ

ଓଡ଼ିଶା ଇତିହାସ ଏବଂ ସାହିତ୍ୟକୁ ଅନୁଶୀଳନ କଲେ ଜଣାଯାଏ, ଓଡ଼ିଶା ମାଟି – ଆନ୍ଦୋଳନର ମାଟି, ବିଦ୍ରୋହର ମାଟି, ବିପ୍ଳବର ମାଟି ଓ ବୀରତ୍ୱର ମାଟି । ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆଦିବାସୀ ମେଳିଠାରୁ ଆରମ୍ଭ କରି ପାଇକ ବିଦ୍ରୋହ ପର୍ଯ୍ୟନ୍ତ, ଇତିହାସର ପୃଷ୍ଠା ସବୁ ଓଡ଼ିଆ ଜନସାଧାରଣଙ୍କ ସ୍ଵର ଉତ୍ତୋଳନ ଓ ପ୍ରତିବାଦର ସ୍ୱାକ୍ଷର ବହନ କରେ । କ୍ଷତିକାରକ ସାମାଜିକ ପ୍ରଥା, କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ସବୁକୁ ଲୋପ କରିବାପାଇଁ ବହୁ ସମୟରେ ସଂସ୍କାରମୂଳକ ଆନ୍ଦୋଳନ ଆବଶ୍ୟକ ହେଇଥିଲା । ସେହିପରି ଏକ ଉଦାହରଣ ହେଉଛି ଭୂଦାନ ଆନ୍ଦୋଳନ । ଅଧିକ ଭୂସମ୍ପତ୍ତି ଥିବା ବ୍ୟକ୍ତିମାନଙ୍କୁ ଭୂମିହୀନଙ୍କ ପାଇଁ ଭୂମିଦାନ ନିମନ୍ତେ ପ୍ରେରିତ କରିବାପାଇଁ ଏହା ଏକ ତରଙ୍ଗ ସଦୃଶ ଥିଲା । ଭାଷା ଆଧାରରେ ଆମ ରାଜ୍ୟକୁ ଏକତ୍ରିତ କରିବା ପାଇଁ ଯେଉଁ ଆନ୍ଦୋଳନର ସୂତ୍ରପାତ ହେଇଥିଲା, ତାହା ଫଳବତୀ ହେଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ । ଆମ ଖାଦ୍ୟ, କଳା, କୌଶଳ, ବସ୍ତ୍ର ଏବଂ ସାଂସ୍କୃତିକ ପରିଚିତିକୁ ସୁଦୃଢ଼ କରିବା ପାଇଁ ଆମକୁ ଅହରହ ଉଦ୍ୟମ କରିବାକୁ ପଡ଼ୁଛି । ଏହା ବି ଏକ ପ୍ରକାର ଆନ୍ଦୋଳନ । ସମାଜ ସଂସ୍କାର ଏବଂ ରାଜନୈତିକ ପରିବର୍ତ୍ତନ ନିମନ୍ତେ ଶହ ଶହ ବିପ୍ଲବର ମୂକ ସାକ୍ଷୀ ଓଡ଼ିଶା ଇତିହାସ । ଆମେ ସେହିମାନଙ୍କ ଦାୟାଦ, ଯେଉଁମାନେ ଦୁର୍ଭିକ୍ଷ କାଳରେ ଭୋକରେ ମରିବୁ ପଛେ, ଛତ୍ରରେ ଖାଇବୁ ନାହିଁ ବୋଲି ପଣ କରିଥିଲେ । ପ୍ରଚଣ୍ଡ ସ୍ୱାଭିମାନ ଏବଂ ଦୃପ୍ତ ଦାମ୍ଭିକ ସ୍ଵରର ଆମେ ବାର୍ତ୍ତାବହ । କେବଳ ଓଡ଼ିଶା କାହିଁକି, ଦେଶ ଏବଂ ବିଶ୍ୱର କୋଣ ଅନୁକୋଣରେ ଯେତେବେଳେ ମଧ୍ୟ ପରିବର୍ତ୍ତନ ଏବଂ ସଂସ୍କାର ଆସିଛି, ତାହା କେବଳ ଆନ୍ଦୋଳନ ଏବଂ ବିପ୍ଳବାତ୍ମକ ବିଚାରଧାରା ମାଧ୍ୟମରେ । କହିରଖେ, ଆନ୍ଦୋଳନ କହିଲେ କେବଳ ହିଂସା ଆଚରଣ ନୁହେଁ । ବିପ୍ଳବ କହିଲେ କେବଳ ରକ୍ତପାତ ନୁହେଁ । ବିଚାରାତ୍ମକ ସଂଶୋଧନ ମାଧ୍ୟମରେ ପରିବର୍ତ୍ତନ ଆଣିବା ହେବ ସର୍ବୋକୃଷ୍ଟ ଆନ୍ଦୋଳନ ।

ଆମ ରାଜ୍ୟ ପ୍ରାକୃତିକ ସମ୍ପଦରେ ଭରପୂର ଥିଲେ ହେଁ ଆମକୁ ଏକ ଗରିବ ଏବଂ ଅନୁନ୍ନତ ରାଜ୍ୟ ରୂପେ ଚିତ୍ରଣ କରାଯାଉଥିଲା । ଭୋକର ଭୂଗୋଳରେ ଆମକୁ ରେଖାଙ୍କିତ କରାଯାଉଥିଲା । ବର୍ତ୍ତମାନ କିଛି ଦଶକ ହେବ ସେ ପରିଚୟ ବଦଳିଛି । କିନ୍ତୁ ପ୍ରଶ୍ନ ଉଠେ, ଆମେ ସେଥିରେ ସନ୍ତୁଷ୍ଟ କି? ଆମେ ଏକ ଶାନ୍ତିପ୍ରିୟ ସମାଜ । ଆମ ସରଳତା ଆମ ପ୍ରଗତିର ବାଧକ କି?

ଆଜି ମଧ୍ୟ ଓଡ଼ିଶାର ସବୁ ଜିଲ୍ଲାକୁ ରେଳ ଯୋଗାଯୋଗ ହେଇ ପାରିନି । ସବୁ ଗାଁକୁ ବିଜୁଳି ସଂଯୋଗ ଅଛି ସତ କିନ୍ତୁ ସରବରାହ ଏବଂ ଯୋଗାଣ ଉଭୟ ତୃଟିପୂର୍ଣ୍ଣ । ଦେଶ ଏକ ଡିଜିଟାଲ ଅର୍ଥନୀତିର ସ୍ଵପ୍ନ ଦେଖୁଥିଲା ବେଳେ, ଆଜି ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ଲଗାଣ ବିଦ୍ୟୁତ୍ ଏବଂ ଟେଲି ଯୋଗାଯୋଗ ସ୍ଵପ୍ନ ଭଳି ଲାଗୁଛି । ଆଜିବି ଗମନାଗମନ କ୍ଲିଷ୍ଟ ଅଞ୍ଚଳରୁ ସାଇକେଲରେ ବୁହା ହେଇ ରୋଗୀଟିଏ ଡାକ୍ତରଖାନା ଆସୁଛି । ଅଧିକାଂଶ ଗ୍ରାମୀଣ ଅଞ୍ଚଳକୁ ଡାକ୍ତର ଯିବାକୁ ଅମଙ୍ଗ । ପରିଣତିସ୍ଵରୂପ, ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ପାଲଟିଛି ବଙ୍ଗାଳୀ ଠକଙ୍କ ଚରାଭୂମି । ଗାଁ ବିଦ୍ୟାଳୟରେ ଶ୍ରେଣୀଗୃହ, ଶିକ୍ଷକ ଏବଂ ଭିତ୍ତିଭୂମିର ଅଭାବକୁ ସତେ ଯେମିତି ଏକ ସ୍ଵାଭାବିକ ପ୍ରକ୍ରିୟା ବୋଲି ଆମେ ଗ୍ରହଣ କରିନେଇଛୁ । ଶିକ୍ଷକଙ୍କୁ ଆମେ ଭୋଜନ ପ୍ରସ୍ତୁତି ଭଳି ବହୁ ଅଣଶିକ୍ଷାଦାନ କାର୍ଯ୍ୟରେ ଲଗେଇଛୁ । ମହାମାରୀ କିମ୍ୱା ପ୍ରାକୃତିକ ବିପର୍ଯ୍ୟୟ ଭଳି ସମୟରେ ଅବିରତ ଶିକ୍ଷଣପାଇଁ ଏବେବି ଆମ ପାଖରେ ସାଧନ ନାହିଁ । ଆଜି ବି ଗ୍ରୀଷ୍ମରେ ଶୁଭୁଛି ପାନୀୟ ଜଳର ହାହାକାର । ଦୂଷିତ ଜଳ ସେବନ କରି ଆଜି ବି ହଇଜାରେ ମରୁଛନ୍ତି ଲୋକେ । ଗରା ମାଠିଆ ଧରି ରାସ୍ତାକୁ ଉଠି ଆସୁଛନ୍ତି ମା’ମାନେ । ମଦ ପହଞ୍ଚିଛି ଗାଁ ଗାଁରେ କିନ୍ତୁ ବିଶୁଦ୍ଧ ପାନୀୟ ଜଳ ଆଜି ବି ଅପହଞ୍ଚ । ଯୋଜନା ପରେ ଯୋଜନା ଆସୁଛି କିନ୍ତୁ ଆଜି ବି ଭୂମିହୀନ ବାସଚ୍ୟୁତ ଭାଗ୍ୟକୁ ଆଦରି ପଡ଼ି ରହିଛି ଶୀତ କାକରରେ ଖୋଲା ଆକାଶ ତଳେ । ନେତା ଅଫିସରଙ୍କୁ ବାସହୀନର କଷ୍ଟ ଦେଖାଯାଉନାହିଁ । ଆମେ ସବୁ ସହି ଚାଲିଛୁ ମୁଣ୍ଡପାତି । ଭୟରେ ଜଡ଼ସଡ଼ ଆମ ଅଭିବ୍ୟକ୍ତି । ଆମ କର ପଇସାରେ ଆମକୁ ମାଗଣା ଦେଇ ଆମ ମୁଣ୍ଡକୁ କିଣା ଯାଉଛି । ଆମ ସ୍ଵରକୁ କ୍ଷମତାର ଭୟ ଦେଖାଇ ଅବଦମିତ କରିବାକୁ ଚେଷ୍ଟା କରାଯାଉଛି । ଆମେ ଧୀରେ ଧୀରେ ଜଡ଼ତା ଆଡ଼କୁ ଯାଉଛୁ । ପ୍ରତିବାଦ କରିବା ପାଶୋରି ଯାଇଛୁ । ସ୍ୱର ଉତ୍ତୋଳନ ଆମ ଅଧିକାର ବୋଲି ଭୁଲିବାକୁ ବସିଲୁଣି ।

ଆମକୁ ପରିବର୍ତ୍ତନ ଆଣିବାକୁ ହେବ । ଆନ୍ଦୋଳନ କରିବାକୁ ହେବ । ବିପ୍ଳବ ରଚିବାକୁ ହେବ । ବିଦ୍ରୋହ ବହ୍ନି ପ୍ରଜ୍ଜଳିତ କରିବାକୁ ହେବ । ଆପଣଙ୍କୁ କୁଳବୃଦ୍ଧଙ୍କ ଦୁଇ ଧାଡ଼ି ଲେଖା ମନେ ପକେଇଦିଏ ।

“ଜାତି-ପ୍ରେମ-ବହ୍ନି ପ୍ରଜ୍ୱଳିତ କର
ସ୍ୱାର୍ଥକୁ ଦିଅ ଆହୁତି
ସ୍ୱାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି

ଭୁମିକମ୍ପ ହେବ ଧରଣି ଫାଟିବ
ଉଠିବେ ସହସ୍ରଭୁଜା,
ସେହି ତୋର ମାତା ସେହି ତୋର ତ୍ରାତା
କର ସେହି ପଦପୂଜା”

ପ୍ରଥମ ବିପ୍ଳବ କରିବାକୁ ହେବ ବ୍ୟକ୍ତିଗତ ସ୍ତରରେ ଆମକୁ ନିଜ ବିରୁଦ୍ଧରେ । ଆମ ଅଭ୍ୟାସ ଏବଂ ବ୍ୟବହାର ପ୍ରଥମେ ବଦଳାଇବାକୁ ହେବ । ସ୍ୱଳ୍ପରେ ସନ୍ତୁଷ୍ଟ ଏବଂ ମାଗଣା ଆଶାକୁ ତ୍ୟାଗ କରିବାକୁ ହେବ । ନିଜେ କଠିନ ପରିଶ୍ରମ ଏବଂ ଅଧ୍ୟବସାୟ କରିବା ସହିତ ଆମ ପର ପିଢ଼ିକୁ ଏକ ଉନ୍ନତ କର୍ମସଂସ୍କୃତି ଦେବାକୁ ହେବ । ଶ୍ରମକାତର ନ ହୋଇ କର୍ମବୀର ହେବାକୁ ହେବ । କର୍ମକ୍ଷେତ୍ରକୁ ଏକ ମନ୍ଦିରର ମର୍ଯ୍ୟାଦା ଦେବାକୁ ହେବ । କର୍ମ ହିଁ ଆମ ଓଡ଼ିଆ ଜାତିର ପରିଚୟ ହେବ । ବ୍ୟକ୍ତିଗତ ସ୍ଵାର୍ଥର ଉର୍ଦ୍ଧ୍ୱକୁ ଉଠି ଆମ ଓଡ଼ିଆ ଜାତିର ଟେକ ରଖିବାକୁ ହେବ ।

“ଜାତି ନନ୍ଦିଘୋଷ ଚଳିବ କି ଭାଇ
ସ୍ୱାର୍ଥକୁ ସାରଥୀ କଲେ
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ”

ଆମ ନିର୍ବାଚିତ ସରକାରକୁ ପ୍ରଶ୍ନ ପଚାରିବାକୁ ଏକ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, ଭୋଟର ନିଜ ନିଜ ଭିତରେ ଲଢ଼ି ମରିବେ । ନେତା ନେତା କେବେ ବ୍ୟକ୍ତିଗତ ସ୍ତରରେ ଶତ୍ରୁ ହେବା ଦେଖିଛନ୍ତି? ତେବେ ଆପଣ କାହିଁକି ପରସ୍ପର ଭିତରେ ଲଢ଼ିବେ? ପ୍ରଶ୍ନ ପଚାରନ୍ତୁ – କଠିନରୁ କଠିନ ପ୍ରଶ୍ନ, ନିର୍ଭୟ ଏବଂ ଦୃଢ଼କଣ୍ଠରେ ପ୍ରଶ୍ନ କରନ୍ତୁ । ସରକାର ଯେଉଁ ଦଳର ହେଉ, ଯଦି ଭଲ ପ୍ରଦର୍ଶନ ନ କଲା, ଦୁର୍ନୀତିକୁ ପ୍ରଶ୍ରୟ ଦେଲା, ସ୍ଵେଚ୍ଛାଚାର ଚଳେଇଲା, ଶାସନ କ୍ଷମତା ଛାଡ଼ିବାକୁ ସିଧା ସିଧା କୁହନ୍ତୁ । ନିର୍ବାଚନ ପୂର୍ବରୁ ଲିଖିତ ଇସ୍ତାହାର ଦାବୀ କରନ୍ତୁ । ଶାସନ କାଳରେ ପ୍ରତିଶ୍ରୁତି ନ ରଖିଲେ, ଆନ୍ଦୋଳନ ଆରମ୍ଭ କରନ୍ତୁ, ସ୍ୱର ଉତ୍ତୋଳନ କରନ୍ତୁ ଏବଂ ଉତ୍ତରଦାୟୀ କରନ୍ତୁ । ସରକାରୀ କଳ ଜନସାଧାରଣଙ୍କ ଟିକସରେ ଚାଲେ । ସରକାରୀ କର୍ମଚାରୀ – ଉଚ୍ଚ ପଦସ୍ଥ ହେଉ କିମ୍ୱା ଚପରାସି, ସମସ୍ତେ ସେବକ । ଜନସାଧାରଣ ହେଲେ ମାଲିକ । ତେଣୁ ଠିକ ପ୍ରଦର୍ଶନ ନକଲେ ପ୍ରତିବାଦ କରନ୍ତୁ । ଗ୍ରାମ ସ୍ଵରାଜ ବ୍ୟବସ୍ଥା ଆଜି ପଙ୍ଗୁ ଏବଂ ଦୁର୍ନୀତିରେ ବେକ ପର୍ଯ୍ୟନ୍ତ ବୁଡ଼ି ଯାଇଛି । ସାମାଜିକ ସମୀକ୍ଷା ଅଚଳ ପ୍ରାୟ । ଦୁର୍ନୀତିକୁ ସହ୍ୟ କରି ନୀରବ ରହନ୍ତୁ ନାହିଁ । କାଗଜ କଲମ ଉଠାନ୍ତୁ । ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ସିଧା ଲେଖନ୍ତୁ । ଉଚ୍ଚ ନ୍ୟାୟାଳୟଙ୍କୁ ମଧ୍ୟ ଜଣାଇ ପାରିବେ । ହିଂସା ଆଚରଣ ନ କରି ଆନ୍ଦୋଳନ କରିବା ପାଇଁ ଆମ ସମ୍ୱିଧାନ ଆମକୁ କ୍ଷମତା ଦେଇଛି । ସେହି ଅଧିକାରକୁ ଉପଯୋଗ କରି ଆମେ ଆମର ଗୌରବକୁ ପୁନର୍ଜୀବିତ କରି ପାରିବା । ଆମକୁ ଆମ ଜଡ଼ତାର ଘୋଡ଼ ଭିତରୁ ବାହାରିବାକୁ ହେବ । ଶେଷରେ, ଆପଣଙ୍କୁ ମନେ ପକାଇଦେଉଛି ଗୋଦାବରୀଶ ମହାପାତ୍ରଙ୍କ ରଚିତ ଆମ ସାହିତ୍ୟର କାଳଜୟୀ କବିତାର କିଛି ପଂକ୍ତି ।

“ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ !
ପୃଥ୍ୱୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,
ଖୋରଧାର ଶତ ସରଦାର ଶିର କର ଉନ୍ନତତର !
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି”

– ମନୋଜ ତ୍ରିପାଠୀ
ଭୁବନେଶ୍ୱର, ଓଡ଼ିଶା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମନୋଜ ତ୍ରିପାଠୀ ପେଶାରେ ଜଣେ ଦୂରଦର୍ଶନ ଉପସ୍ଥାପକ ତଥା ଗାଳ୍ପିକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ଆଦୃତି ଲାଭ କରିଛି ।