You are currently viewing କେମତି ଅଛୁ?
କେମତି ଅଛୁ?

କେମତି ଅଛୁ?

– କେମିତି ଅଛୁ?
– ଭଲ ଅଛି…!
– ଆରେ କେମିତି ଅଛୁ ?
– ହଁ ଭଲ ଅଛି…!
– ସତ କହ, କେମିତି ଅଛୁ, ସତରେ ଭଲ ଅଛୁ…?
– ……………….(ନିରୁତ୍ତର)

ସତରେ କ’ଣ ସମସ୍ତେ ଭଲରେ ଥା’ନ୍ତି??? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ତଥ୍ୟ ଅନୁସାରେ ଭାରତ ଦେଶରେ ପ୍ରତି ୨୦ ଜଣ ଲୋକରେ ଜଣେ ଡିପ୍ରେସନ ମାନେ ମାନସିକ ଅବସାଦରେ ପିଡ଼ୀତ । ଆଉ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୧୫ରୁ ୩୫ ବର୍ଷୀୟ ବୟସ୍କଙ୍କ ସଂଖ୍ୟା ଅଧିକ । ଏହି ମାନସିକ ଅବସାଦ କୌଣସି ମହାମାରୀଠୁଁ କମ ନୁହଁ । ତେଣୁ ଏକ ଅନୁରୋଧ, ଏହାକୁ ଏକ ଛୋଟିଆ ଜିନିଷ ବୋଲି ଭାବନ୍ତୁ ନାହିଁ । ଏହା କେବଳ ଏକ ‘ମନ ଖରାପ’ ନୁହଁ, ବା ଏହା ସମସ୍ତଙ୍କୁ ହୁଏନା, ନା ଏହା ଆପେ ଆପେ ଭଲ ହୁଏ । ଏଥିପାଇଁ ସାହାଯ୍ୟ ଦରକାର, ଏଥିପାଇଁ କଥା ହେବାକୁ ପଡ଼େ ଏବଂ କିଛି ଲୋକ ଭାବିପାରନ୍ତିନି ଯେ ଯେଉଁ ଲୋକ ଏଭଳି ପରିସ୍ଥିତିରେ ଥିଲା, ସେ ମୋ ପାଖକୁ କାହିଁକି ଅସିଲାନାହିଁ? ମୁଁ ହୁଏତ ତା’ କଥା ଶୁଣିଥାନ୍ତି । ସେ ଏକ ଚରମ ପଦକ୍ଷେପ ନେବାପୂର୍ବରୁ ତା’ର ନିଜ ଲୋକଙ୍କ ପାଖକୁ କାହିଁକି ଗଲାନାହିଁ? କିନ୍ତୁ ଆମକୁ ବୁଝିବାକୁ ହେବ ଯେ ସେହି ମଣିଷଟି ସେପରି ମାନସିକ ଅବସ୍ଥାରେ ହିଁ ନାହିଁ ଯେ ସେ ତା’ର ମନର କଥାଗୁଡ଼ିକୁ କହିପାରିବ । ଏଭଳି ପରିସ୍ଥିତିରେ ଆମ ସମସ୍ତଙ୍କୁ ଆଉ କିଛି ସଚେତନ ହେବାକୁ ପଡ଼ିବ । ଯଦି ଆମ ପ୍ରିୟଜନଙ୍କ ଭିତରୁ କାହାକୁବି ଯଦି ଏପରି ଅସ୍ୱାଭାବିକ ଭାବେ ଦେଖୁ, ତା’ହେଲେ ସେମାନଙ୍କୁ ପଚାରିବାକୁ ପଡ଼ିବ, “ସତ କହ, କେମିତି ଅଛୁ, ସତରେ ଭଲ ଅଛୁ ତ?”

ସାବଧାନରେ ରୁହନ୍ତୁ, ଭଲ ରୁହନ୍ତୁ, ଖୁସିରେ ରୁହନ୍ତୁ । ଯାହା କଲେ ନିଜକୁ ଭଲ ଲାଗେ ତାହା କରନ୍ତୁ, ଆମ ସମୟଟା ଭାରି ଅନିଶ୍ଚିତ । ମଣିଷ ବହୁତ ଏକା, ଏହି ଏକୁଟିଆ ମଣିଷ ଏହି ନିଷ୍ଠୁର ପୃଥିବୀରେ ବଞ୍ଚିବାକୁ ସଂଘର୍ଷ କରିବା ମଧ୍ୟ ଏକ କାଠିକର ପାଠ । ଏଭଳି ପରିସ୍ଥିତିରେ ଯଦି ଆମେ ନିଜେ ଖୁସିରେ ରହିଲେ ବା ନିଜ ଖୁସି ଅନ୍ୟକୁ ବାଣ୍ଟି ଅନ୍ୟ କାହାକୁ ଖୁସି କରେଇପାରିଲେ, ତା’ ହେଲେ ଏ ନିଷ୍ଠୁର ପୃଥିବୀରେ ବଞ୍ଚିବାର ଦୌଡ଼ରେ ଏହା ଏକ ଛୋଟ ଅବଦାନ ନୁହେଁ । ଆମେ ସମସ୍ତେ ଯଦି ଏପରି ଭାବିବା, ତା’ ହେଲେ ଦିନ ଆସିବ ଆମେ ସମସ୍ତେ ସଗର୍ବେ କହିପାରିବା, “ହଁ ଭଲ ଅଛି ।”

ଅଶୋକ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ ମିଶ୍ର ପେଶାରେ ଜଣେ ସଫ୍ଟଓୟାର୍ ଇଞ୍ଜିନିୟର୍ । ସେ ତାଙ୍କର ଫାଙ୍କା ସମୟରେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।