You are currently viewing ଦୁର୍ଗ ନଗରୀ ଏଡିନବରା (Edinburgh)
A travel blog by Dr. Amrita Pani on Scotland's compact, the hilly capital Edinburgh (ଦୁର୍ଗ ନଗରୀ ଏଡିନବରା)

ଦୁର୍ଗ ନଗରୀ ଏଡିନବରା (Edinburgh)

ପୂର୍ବରୁ ମୋର ଲଣ୍ଡନ ଅନୁଭୂତି ଲେଖାରେ ମୁଁ ସମ୍ୟକ ସୂଚନା ଦେଇଥିଲି ମୋର ସ୍କଟଲାଣ୍ଡ ଯାତ୍ରା ବିଷୟରେ । ତେଣୁ ସ୍ଥିର କଲି ଏଥର ସେହି ଅନୁଭୂତିରୁ କିଛି ବାଣ୍ଟିବି ଆପଣ ମାନଙ୍କ ସହ ।

ସ୍କଟଲାଣ୍ଡ ଯିବା ଲାଗି ଦିଲ୍ଲୀରୁ ସିଧା ସଳଖ ବିମାନ ବ୍ୟବସ୍ଥା ଥିଲେ ମଧ୍ୟ ଆମର ଗସ୍ଥ ପ୍ରାଚୁର୍ଯ୍ୟର ସହର ଦୁବାଇ ମାଧ୍ୟମରେ ସ୍ଥିର ହୋଇଥିଲା । ସେହି ଅନୁଭୂତି ମୁଁ ଆଉ କେବେ ବର୍ଣ୍ଣନା କରିବି । ଦୁବାଇରୁ ଏମିରେଟସ ବିମାନ ମାଧ୍ୟମରେ ଦୀର୍ଘ ୮ଘଣ୍ଟାର କ୍ଳାନ୍ତିପୁର୍ଣ୍ଣ ଯାତ୍ରା ପରେ ବିମାନ ଅବତରଣ କଲା ନୀଳ ପାହାଡ଼ ଆଉ ସବୁଜିମା ଭରା ଏକ ସୁନ୍ଦର ସହର ଗ୍ଲାସ୍ଗୋ (Glasgow) ଠାରେ । ଗ୍ଲାସ୍ଗୋ ବିମାନବନ୍ଦରର ଆୟତନ କିନ୍ତୁ ବେଶୀ ବଡ଼ ନୁହେଁ । ସେଠୁ ପୁଣି ଇମିଗ୍ରେସନ୍ ଅଧିକାରୀଙ୍କ ଆମ ରହଣି ବିଷୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବାହାରିବାକୁ ହେଲା ଆମ ଗନ୍ତବ୍ୟ ସ୍ଥଳ ଏଡ଼ିନବର୍ଗ୍ ଅଭିମୁଖେ । ଏୟାରପୋର୍ଟ ବାହାରେ ଅନୁଭବ କଲି ମୋ ହାତ ଗୋଡ଼ କାଲୁଆ ପଡ଼ି ଯାଉଛି । ଭାବିଲି ଏସି ଲାଗିଛି ନା କ’ଣ? କିନ୍ତୁ ମୋ ଧାରଣା ଭୁଲ ଥିଲା । ପୂର୍ବରୁ ମୋର ଇଉରୋପୀୟ ଜଳବାୟୁର ଅଭିଜ୍ଞତା ନଥିଲା ନା । ମୋବାଇଲରେ ଦେଖିଲି ବାହାରେ ତାପମାତ୍ରା ଥିଲା ଚାରି ଡିଗ୍ରୀ ସେଲସିଅସ୍ । ସୁଟ୍‌କେଶ୍ ଖୋଲି ସ୍ଵେଟରଟି ପିନ୍ଧି ନେଲି । କିନ୍ତୁ ତାହା କାହିଁକି ବା କାମ ଦିଅନ୍ତା? କୁଙ୍କୁଡ଼ି କାଙ୍କୁଡ଼ି ହୋଇ ବସିବା ଛଡ଼ା ଆଉ କି ଉପାୟ ଥିଲା ମୋ ପାଖରେ । ଟାକ୍ସିଦ୍ୱାରା ମାତ୍ର ଏକ ଘଣ୍ଟାରେ ପହଞ୍ଚି ଗଲୁ ଦୁର୍ଗ ନଗରୀ ଏଡ଼ିନବର୍ଗ୍ ଠାରେ ।

ସଂକ୍ଷେପରେ ଏଡ଼ିନବର୍ଗ୍ (Edinburgh)

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସ୍କଟଲାଣ୍ଡ୍ ଇଉନେଇଟେଡ଼୍ କିଙ୍ଗଡମ୍‌ର (United Kingdom) ଅନ୍ତର୍ଭୁକ୍ତ ଏକ ଗୁରୁତ୍ୱପୂର୍ଣ ଦେଶ ଅଟେ । ଦୁର୍ଗ, ପର୍ବତ ମାଳା, ସବୁଜିମା ଆଉ ସମୁଦ୍ର ତଟ ହେଲା ସ୍କଟଲାଣ୍ଡ୍‌ର ବିଶିଷ୍ଟତା । ସ୍କଟଲାଣ୍ଡ୍ ଅଧିବାସୀ ମୁଖ୍ୟତଃ ଗାଲିକ୍ ଭାଷାରେ କଥାବାର୍ତ୍ତା କରନ୍ତି, ତେଣୁ ସେଠିକାର ଇଂରାଜୀ ଉଚ୍ଚାରଣ ଟିକିଏ ଭିନ୍ନ ଧରଣର । ନୂଆ ନୂଆ ମତେ ବି ଟିକିଏ ଅଡ଼ୁଆ ଲାଗୁଥିଲା । ଆଧୁନିକ ସମାଜର ଭିଡ଼ ଆଉ ଜନଗହଳିରୁ ଦୂର ଏହି ରାଜ୍ୟଟି ଏକାନ୍ତ ପ୍ରିୟ ଆଉ ପ୍ରକୃତି ଉପାସକଙ୍କ ପାଇଁ ସ୍ୱର୍ଗ ଅଟେ । ଏଡିନବରା ଓ ଗ୍ଲାସ୍ଗୋ, ସ୍କଟଲାଣ୍ଡ୍‌ର ଦୁଇଟି ବୃହତ୍ତମ ସହର । ମାତ୍ର ଶହେ କିଲୋମିଟର ବ୍ୟବଧାନରେ ସତେ ଯେପରି ପରସ୍ପରକୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏକ ପକ୍ଷରେ ଏଡିନବରା ବିଶ୍ୱର ପ୍ରାଚୀନତମ ସଂସ୍କୃତି ଓ ସଭ୍ୟତାର ସ୍ଵାକ୍ଷର ବହନ କରୁଥିବା ବେଳେ ଅନ୍ୟ ପକ୍ଷରେ ଗ୍ଲାସ୍ଗୋ, ଜାହାଜ ନିର୍ମାଣ କୌଶଳ ଏବଂ ଶିଳ୍ପକଳା ସ୍ଥାପତ୍ୟକୁ ନେଇ ଇଉରୋପ୍ ମହାଦେଶରେ ଗର୍ବର ସହ ମୁଣ୍ଡ ଟେକି ଛିଡ଼ା ହୋଇଛି । ସଂକ୍ଷେପରେ କହିବାକୁ ଗଲେ, ପୂର୍ବଦିଗରେ ଏଡିନବରା ଏବଂ ପଶ୍ଚିମ ଦିଗରେ ଗ୍ଲାସ୍ଗୋ ସହରର ନିର୍ମାଣ ଶୈଳୀ, କଲା ସ୍ଥାପତ୍ୟ ଓ ସଂସ୍କୃତି ହେତୁ ସମଗ୍ର ଇଉରୋପ୍‌ରେ ଦୁଇଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ହାସଲ ପାରିଛନ୍ତି ।

ବନାନ ଅନୁସାରେରେ ଏଡିନବର୍ଗ (Edinburgh) ହେଲେ ମଧ୍ୟ ଏଡିନବରା ବୋଲି ଉଚ୍ଚାରଣ କରାଯାଏ ଏବଂ ଗାଲିକ ଭାଷାରେ ଡୁନ ଏଡିନ (Dùn Èideann) ବୋଲା ଯାଉଥିବା ସମୟରେ ମେଘ ଢଙ୍କା ଜଳବାୟୁ ଯୋଗୁଁ Auld Reekie ବା Scots for Old Smoky ମଧ୍ୟ କୁହାଯାଏ । ସ୍କଟଲାଣ୍ଡର ରାଜଧାନୀ କୁହାଯାଉଥିବା ଏଡିନବରାର ପ୍ରାଚୀନତମ ସ୍ଥାପତ୍ୟ ଏକ ବିରାଟ ପାହାଡ଼ ଉପରେ ଗଢ଼ା ଯାଇଥିଲା । ବର୍ତ୍ତମାନ ଏହା ବ୍ରିଟେନ୍‌ର ଦ୍ୱିତୀୟ ବୃହତମ ବାଣିଜ୍ୟ କେନ୍ଦ୍ର ଅଟେ । ସେଥିପାଇଁ ଏହାକୁ ବ୍ରିଟେନର ଦ୍ଵିତୀୟ ଚକ୍ଷୁ (Britaine’s other eye) ମଧ୍ୟ କୁହଯାଏ । ପର୍ଯ୍ୟଟକଙ୍କ ମତରେ ଦକ୍ଷିଣର ଏଥେନ୍ସ କୁହାଯାଉଥିବା ଏହି ସହରର ପ୍ରାକୃତିକ ସୌନ୍ଦର୍ଯ୍ୟ ଏକ ପରୀ କାହାଣୀର ଦେଶ ପରି ମନେ ହୁଏ । ଗ୍ରେଟ୍ ବ୍ରିଟେନ୍‌ର ଦୁଇଟି ବିଖ୍ୟାତ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଲଣ୍ଡନ୍ ପରେ ଏଡିନବରା ଦ୍ଵିତୀୟ ସ୍ଥାନ ହାସଲ କରିଛି । ରାଣୀ ମେରୀ କୁଇନ୍, ବିଖ୍ୟାତ ଦାର୍ଶନିକ ଆଡମ୍ ସ୍ମିଥ୍, ଡାଭିଡ୍ ହ୍ୱିଉମ, ଲେଖକ ୱାଲଟର ସ୍କଟ, ରବର୍ଟ ଲୁଇସ ଷ୍ଟିଭେନ୍ଶାନ, ବୈଜ୍ଞାନିକ ଆଲେକ୍‌ଜାଣ୍ଡାର୍ ଗ୍ରାହାମବେଲ୍ ପ୍ରଭୃତି ମହାମନିଷୀମାନଙ୍କର ଅବଦାନକୁ ନେଇ ସ୍କଟଲାଣ୍ଡ୍‌ର ଇତିହାସ ଏବେ ବି ଗର୍ବ କରେ । ଯଥାର୍ଥରେ କହିବାକୁ ଗଲେ ଏଡିନବରା ଏବଂ ଗ୍ଲାସ୍ଗୋ ଏହି ଦୁଇଟି ସହରର ଅର୍ଥନୈତିକ ତଥା ସାଂସ୍କୃତିକ ଅଭିବୃଦ୍ଧି ସମଗ୍ର ଇଉରୋପରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଗ୍ରୀଷ୍ମ ଋତୁରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଉତ୍ସବ ଏଡିନବରା ଫେଷ୍ଟିଭାଲ୍ ପର୍ଯ୍ୟଟକଙ୍କ ନିମନ୍ତେ ଏକ ପ୍ରଧାନ ଆକର୍ଷଣ । ଏହା ବ୍ୟତୀତ ସ୍କଚ ହୁଇସ୍କି ପାନୀୟ ଏବଂ ବ୍ୟାଗ ପାଇପ (Bag Pipe) ବା ଏକ ପ୍ରକାରର ପେଁ କାଳି ବାଦ୍ୟ ଲାଗି ମଧ୍ୟ ଏଡିନବରା ବିଶ୍ୱରେ ମାନ୍ୟତା ହାସଲ କରିଛି ।

Bagpiper of Edinburgh, Scotland
ବ୍ୟାଗ ପାଇପର

ବିଭିନ୍ନ ପର୍ବ ପର୍ବାଣି ଆଉ ଉତ୍ସବମାନଙ୍କରେ ବ୍ୟାଗ ପାଇପର ଗୋଷ୍ଠୀ ସଂଗୀତ ଏକ ମୁଖ୍ୟ ଅଧ୍ୟାୟ । ସେଠିକାର ମୁଖ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ ପ୍ରାୟ ଦେଖିବାକୁ ମିଳିଥାଏ ସ୍କଟଲାଣ୍ଡର ଜାତୀୟ ପୋଷାକ, ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା ସ୍କଟ ପିନ୍ଧିଥିବା ବ୍ୟାଗ ପାଇପର( Bagpiper) ବାଦକମାନଙ୍କୁ । ସେଥିଲାଗି କୁହାଯାଏ ସ୍କଟଲାଣ୍ଡ ଆସି ବ୍ୟାଗ ପାଇପର ନ ଶୁଣିଲେ ଆପଣଙ୍କ ଯାତ୍ରା ଅସମ୍ପୂର୍ଣ୍ଣ ।

ସମୁଦ୍ରକୂଳ ଗଢ଼ି ଉଠିଥିବା ଏହି ସହରର ପ୍ରାକୃତିକ ପରିବେଶର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । କୁହାଯାଏ ଏଡିନବରାର କୁହୁକମୟ ସୌନ୍ଦର୍ଯ୍ୟ ବିଶିଷ୍ଟ ଲେଖିକା ଜେ କେ ରାୱଲିଂଙ୍କୁ ଅନୁପ୍ରାଣିତ କରିଥିଲା ବିଶ୍ୱ ପ୍ରସିଦ୍ଧ ପୁସ୍ତକମାଳା ହ୍ୟାରୀ ପୋର୍ଟର (Harry Potter) ସଂରଚନା କରିବାକୁ । ଦେଖି ଆଶ୍ଚର୍ଯ୍ୟ ହେଲି ଯେ ଏଠି ସୂର୍ଯ୍ୟାସ୍ତ ରାତି ଦଶ ପରେ ହୁଏ ଏବଂ ଦେଖୁ ଦେଖୁ ତିନିଟା ବାଜୁ ବାଜୁ ଆକାଶ ଫର୍ଚ୍ଚା ହୋଇଯାଏ । ଅଦ୍ଭୁତ ପାଣିପାଗ ! ଯାହାକୁ ମୁଁ ନାଆ ଦେଇଥିଲି moody ବା ମନୁଆ ଜଳବାୟୁ । ଦକ୍ଷିଣ ଆଟ୍ଲାଣ୍ଟିକ୍‌ର ପ୍ରଭାବ ହେତୁ ପାଗ ସବୁ ବେଳେ ଥଣ୍ଡା ତା’ ସହ ଭୀଷଣ ପବନ ବହୁଥାଏ ଏବଂ ବାରମାସ ବର୍ଷା । ସେଥିପାଇଁ ଏଡ଼ିନବରାକୁ ‘ପବନର ସହର’ ମଧ୍ୟ କୁହାଯାଏ । ଖରା ଥିବ, ହଠାତ୍ ଦେଖୁ ଦେଖୁ ବର୍ଷା ହୋଇ ଯିବ । ତେଣୁ, ଗରମ ପୋଷାକ ସହ ବର୍ସାତୀଟିଏ ସବୁ ବେଳେ ଧରିକି ହିଁ ବାହାରକୁ ବାହାରିବା ଲାଗି ହୋଇଥାଏ । ମୋର ଦୀର୍ଘ ପାଞ୍ଚ ମାସର ରହଣି ମଧ୍ୟରେ ଯଥା ସାଧ୍ୟ ଚେଷ୍ଟା କରିଥିଲି ଏଡିନବରାର ଆଖ ପାଖରେ ଥିବା ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ଯିବା ଲାଗି । ବହୁତ କିଛି ଦେଖି ହେଲେ ମଧ୍ୟ ଅଳ୍ପ କିଛି ବାକି ରହି ଗଲା ଅନୁକୂଳ ପାଣିପାଗ ଅଭାବରୁ । ଏହି ଲେଖା ମାଧ୍ୟମରେ ମୁଁ ଏଡ଼ିନବରା ଅନୁଭୂତିର କିୟଦଂଶ ଉପସ୍ଥାପନା କରୁଛି ।

ଏଡିନବରା ଦୁର୍ଗ (Edinburgh Castle)

ଏଡିନବରାରେ ଥିବା ବିଭିନ୍ନ ଦୁର୍ଗମାନଙ୍କ ମଧ୍ୟରେ ଏଡିନବରା ଦୁର୍ଗ (Edinburgh Castle) ପ୍ରମୁଖ ଅଟେ । ସହରର ଏକଦମ୍ ମଧ୍ୟ ଭାଗରେ କ୍ୟାସଲ ରକ ନାମକ ପାହାଡ଼ ଉପରେ ଅବସ୍ଥିତ ଗିରି ଦୁର୍ଗ ଏଡ଼ିନବରା ସହରର ଏକ ମୁଖ୍ୟ ଆକର୍ଷଣ କେନ୍ଦ୍ର । ମୁଖ୍ୟ ବ୍ୟବସାୟ କେନ୍ଦ୍ର ପ୍ରିନସେସ ଷ୍ଟ୍ରିଟରୁ ଏହା ସ୍ପଷ୍ଟ ଭାବରେ ଦେଖା ଯାଇଥାଏ । ୧୨ ଶହ ଶତାବ୍ଦୀରେ ନିର୍ମିତ ଏହି ଦୁର୍ଗ ସ୍କଟଲାଣ୍ଡ ଇତିହାସରେ ଏକ ଗୁରୁତ୍ୱପୂର୍ଣ ଭୂମିକା ବହନ କରିଥିଲା । ସ୍କଟିୟ ରାଜତ୍ୱ ସମୟରେ ନିର୍ମିତ ଏହି ଦୁର୍ଗଟି ଅନେକ ଐତିହାସିକ ଯୁଦ୍ଧ ଏବଂ ସ୍ୱତନ୍ତ୍ରତା ସଂଗ୍ରାମର ସ୍ଵାକ୍ଷର ବହନ କରୁଛି । ଐତିହାସିକ ଦୃଷ୍ଟିକୋଣରୁ ଏହି ବିଶାଳ ଦୁର୍ଗକୁ ସମଗ୍ର ସ୍କଟଲାଣ୍ଡର ପ୍ରତୀକ କୁହଯାଇଥାଏ । ଏହି କାରଣରୁ ଏଡ଼ିନବରାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଖାସ୍ ଏହି ଦୁର୍ଗଟିକୁ ଦେଖିବାକୁ ଆସିଥାନ୍ତି । ଅବଶ୍ୟ ୧୬ ଶହ ଶତାବ୍ଦୀରେ ଯୁଦ୍ଧ ସମୟରେ ତୋପ ଦ୍ୱାରା ଅନେକ ଅଂଶ ଧ୍ଵସ୍ଥ ବିଧ୍ଵସ୍ଥ ହୋଇ ଯାଇଥିଲା । ଦୁର୍ଗ ମଧ୍ୟରେ ଅବସ୍ଥିତ ସର୍ବ ପୁରାତନ ପ୍ରାର୍ଥନା ଗୃହ ସେନ୍ଟ ମାର୍ଗାରେଟ ଚାପେଲ ଏବଂ ରାଜମହଲ ‘ଗ୍ରେଟ ହଲ’ ସ୍କଟିୟ ସ୍ଥାପତ୍ୟ କଳାର ନିଦର୍ଶନ ଅଟେ । ଏହା ବ୍ୟତୀତ, ଏହି ଦୁର୍ଗ ସ୍କଟଲାଣ୍ଡର ରାଷ୍ଟ୍ରୀୟ ଯୁଦ୍ଧର ସ୍ମାରକୀ, ରାଷ୍ଟ୍ରୀୟ ସମର ସଂଗ୍ରହାଳୟ ତଥା ସ୍କଟିୟ ରାଜ ପରିବାର ଏବଂ ସାମ୍ରାଙ୍ଗି ମେରୀଙ୍କୁ (Mary Queen of Scotts) ପ୍ରତିନିଧିତ୍ୱ କରିଥାଏ ।

Edinburgh Castle
ଏଡିନବରା ଦୁର୍ଗ (Edinburgh Castle)

ରୋଜଲୀନ ଚାପେଲ (Rosslyn Chapel)

ସହରଠାରୁ ବାର କିଲୋମିଟର ଦୂର ମିଡ଼ଲୋଥୀଆନର ରୋଜଲୀନ ଗାଁରେ ଅବସ୍ଥିତ ଏହି ପ୍ରାର୍ଥନା ଗୃହଟି ସ୍କଟଲାଣ୍ଡ ପର୍ଯ୍ୟଟନ ଶିଳ୍ପର ଅନ୍ୟତମ ମୁଖ୍ୟ ଆକର୍ଷଣ । ୧୫୦୦ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଏହି କ୍ୟାଥୋଲିକ ଉପାସନା ଗୃହକୁ ରୋଜଲୀନ ଚାପେଲ (Rosslyn Chapel) ବା କଲେଜିଏଟ ଚାପେଲ ଅଫ ସେନ୍ଟ ମାଥୟୁ (Collegiate Chapel of St Matthew) ମଧ୍ୟ କୁହାଯାଏ । ଏହା ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମାଧି ସ୍ଥଳ ବି ଅଟେ । ଦା ଭିନ୍ସି କୋଡ଼ (Da Vinci Code) ନାମକ ଏକ ପ୍ରସିଦ୍ଧ ଇଂରାଜୀ ଉପନ୍ୟାସ ଏବଂ ହଲିଉଡ଼ ଚଳଚ୍ଚିତ୍ର ଏହି ଉପାସନା ଗୃହକୁ ଆଧାରିତ କରି ନିର୍ମାଣ କରାଯାଇଥିଲା । ଚଉଦଟି ସ୍ଥମ୍ଭ ଓ ବାରଟି ତୀକ୍ଷ୍ଣ ତୋରଣକୁ ନେଇ ଗଠିତ ଏହି ଉପସନସ୍ଥଳୀର କାରୁକାର୍ଯ୍ୟ ଓ ପଥର ଖୋଦେଇ ଶିଳ୍ପ ଅତୁଳନୀୟ । ଚାପେଲର ସ୍ଥାନେ ସ୍ଥାନେ ରୋମାନ ଶିଳ୍ପର ନିଦର୍ଶନ ଦେଖିବାକୁ ମିଳିଲା । ମତେ ଆଶ୍ଚର୍ଯ୍ୟ ଲାଗିଲା ଯେ ଚାପେଲ ସାମ୍ନାରେ ଆମ ଭାରତୀୟ ମନ୍ଦିରରେ ଥିବା ପଥରର ଦୁଇଟି ସିଂହ ମୂର୍ତ୍ତି ଥିଲେ ।

ରୋଜଲୀନ ଚାପେଲ (Rosslyn Chapel)
ରୋଜଲୀନ ଚାପେଲ (Rosslyn Chapel)

କ୍ରାମଣ୍ଡ ଦ୍ୱୀପ (Cramond Island)

ଏଡିନବରା ସହରଠାରୁ ପ୍ରାୟ ୨୦ ମିନିଟର ଦୂରତାରେ ଅଛି ସ୍କଟଲାଣ୍ଡର ଅନ୍ୟତମ ଜୁଆରିଆ ସମୁଦ୍ରକୁ ନେଇ ଗଠିତ ଦ୍ୱୀପ କ୍ରାମଣ୍ଡ ଆଇଲାଣ୍ଡ । ପୂର୍ବ ସ୍କଟଲାଣ୍ଡର ଫରଥ ନଦୀର ମୁହାଣରେ ଥିବା ଦ୍ୱୀପ ଗୁଡ଼ିକ ମଧ୍ୟରେ କ୍ରାମଣ୍ଡ ଦ୍ୱୀପ ଅନ୍ୟତମ । କ୍ରମଣ୍ଡ ନାମକ ଅଞ୍ଚଳରେ ପ୍ରାୟ ୧୯ ଏକରର ଏହି ଦ୍ୱୀପଟି ୧/୩ ମାଇଲ ବ୍ୟାପି ରହିଛି । ଏଠାରୁ ମିଳିଥିବା ପଥର ନିର୍ମିତ କବର ସ୍ଥଳୀରୁ ଏଠାରୁ ପ୍ରାକ ଐତିହାସିକ ଜନ ଜୀବନର ବସବାସର ପ୍ରମାଣ ବି ମିଳିଥାଏ । ଇତିହାସ କହେ ୬୫୫ ଖ୍ରୀଷ୍ଟାବ୍ଦରେ ଏହାର ଆବିଷ୍କାର ହୋଇଥିଲେ ବି ପରେ ଏହି ଭୂଖଣ୍ଡଟି ପ୍ରାୟ ମେଣ୍ଢା ଚରେଇବା ଲାଗି ବ୍ୟବହାର ହେଉଥିଲା । ସମୟକ୍ରମେ ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଏହି ଦ୍ୱୀପଟିର ପୁନଃ ନିର୍ମାଣ କରାଇ ଲୋକ ଲୋଚନକୁ ଅଣା ଯାଇଥିଲା ।

କ୍ରାମଣ୍ଡ ଦ୍ୱୀପ (Cramond Island)
କ୍ରାମଣ୍ଡ ଦ୍ୱୀପ (Cramond Island)

ରୟାଲ ବଟାନିକାଲ ଗାର୍ଡେନ (Royal Botanical Garden)

ଫୁଲଗଛ ପ୍ରେମୀମାନଙ୍କ ଲାଗି ପ୍ରଯୁର୍ଯ୍ୟ ସ୍ଥାନ ହେଉଛି ବ୍ରିଟେନର ଦ୍ଵିତୀୟ ପୁରାତନ ଉଦ୍ଭିଦ ଉଦ୍ୟାନ ଭାବେ ପରିଚିତ ରୟାଲ ବଟାନିକାଲ ଗାର୍ଡେନ ବା ରାଜକୀୟ ଉଦ୍ଭିଦ ଉଦ୍ୟାନ । ଏହା ଔଷଧୀୟ ବୃକ୍ଷ ଉଦ୍ୟାନ ଭାବେ ୧୬୭୦ ମସିହାରେ ଦୁଇ ବରିଷ୍ଠ ଡାକ୍ତର ରବର୍ଟ ଶିବାଲର୍ଡ଼ ଏବଂ ଆଣ୍ଡ୍ରୁ ବାଲଫୋରଙ୍କ ଦ୍ୱାରା ଏଡିନବରାର ହଲିରୁଡ଼ ରାଜପ୍ରାସାଦ ଠାରେ ଉଦ୍‌ଘାଟନ କରାଯାଇଥିଲା ।

ରୟାଲ ବଟାନିକାଲ ଗାର୍ଡେନ (Royal Botanical Garden)
ରୟାଲ ବଟାନିକାଲ ଗାର୍ଡେନ (Royal Botanical Garden)

କାଲଟନ ହିଲ (Calton Hill)

ଏଡିନବରାର ଠିକ ମଧ୍ୟ ଭାଗରେ ଏବଂ ପ୍ରିନସେସ ଷ୍ଟ୍ରିଟର ପୂର୍ବ ଦିଗରେ ଏକ ସୁଉଚ୍ଚ ଗିରି ଶୃଙ୍ଗ କାଲଟନ ହିଲ, ଇଉନେସକୋର ଐତିହାସିକ ସ୍ଥାପତ୍ୟ ସମ୍ପତ୍ତିର ମାନ୍ୟତା ହାସଲ କରିଛି । ଏହି ଗିରି ଶୃଙ୍ଗର ଶୀର୍ଷରୁ ସମଗ୍ର ସହରଟି ଦେଖାଯାଏ । ପ୍ରତି ବର୍ଷ ଏପ୍ରିଲ ମାସ ୩୦ ତରିଖରେ ଏଡିନବରା ଅଧିବାସୀ ବେଲଟନ ଫାୟାର ଫେଷ୍ଟିଭାଲ ନାମକ ଏକ ଉତ୍ସବ ପାଳନ କରନ୍ତି ।

କାଲଟନ ହିଲ (Calton Hill)
କାଲଟନ ହିଲ (Calton Hill)

ଏଡିନବରା ଚିଡ଼ିଆଖାନା (Edinburgh Zoo)

ପୂର୍ବରୁ ସ୍କଟିସ ନାସନାଲ ଜୁଲୋଜିକାଲ୍ ପାର୍କ ନାମରେ ପରିଚିତ ୧୯୧୩ ମସିହାରେ ଉଦ୍‌ଘାଟିତ ଏଡିନବରା ଚିଡ଼ିଆଖାନା ବର୍ତ୍ତମାନ ୮୨ ଏକାର ବିଶିଷ୍ଟ ଏକ ବୃହତ ପ୍ରାଣୀ ସଂରକ୍ଷଣ ସଂସ୍ଥା ଅଟେ । କୋରଷ୍ଟଫିନ (Corstophine Hill) ନାମକ ଏକ ପାହାଡ଼ ଉପରେ ଅବସ୍ଥିତ ଏହି ଚିଡ଼ିଆଖାନା ସ୍କଟଲାଣ୍ଡର ଦ୍ଵିତୀୟ ବୃହତମ ପର୍ଯ୍ୟଟନ କେନ୍ଦ୍ର ଭାବେ ପ୍ରସିଦ୍ଧି ଲାଭ କରିଛି । ପ୍ରତିବର୍ଷ ପ୍ରାୟ ଛଅ ଲକ୍ଷରୁ ଅଧିକ ପର୍ଯ୍ୟଟକ ଏଠାରେ ଥିବା ପ୍ରଧାନ ଆକର୍ଷଣ ପେଙ୍ଗୁଇନ ପ୍ରଜନନ କେନ୍ଦ୍ର ଦେଖିବାକୁ ଆସିଥାନ୍ତି । ଏହା ବ୍ୟତୀତ, ଦୁଇଟି ବିରାଟ ଭାଲୁ ଜାତୀୟ ଜୀବ ପାଣ୍ଡା ଏବଂ କୋଏଲାଗୁଡ଼ିକ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନର ଅନ୍ୟତମ ମାଧ୍ୟମ ।

ଏଡିନବରା ଚିଡ଼ିଆଖାନା (Edinburgh Zoo)
ଏଡିନବରା ଚିଡ଼ିଆଖାନା (Edinburgh Zoo)

ଏଡିନବରା ସହରଠାରୁ କେଇ ଘଣ୍ଟାର ରାସ୍ତାରେ ଆହୁରି ବି ଅନେକ ପ୍ରସିଦ୍ଧ ଦୁର୍ଗ ସେନ୍ଟ ଆଣ୍ଡ୍ରିଉ (St. Andrews) ଆଉ ଷ୍ଟାର୍ଲିଂଗଠାରେ (Sterlings) ଅବସ୍ଥିତ । ଏହା ବ୍ୟତୀତ ଅନେକ ଦର୍ଶନୀୟ ସ୍ଥାନ ଯେପରି, ଏଡିନବରା ବିଶ୍ୱବିଦ୍ୟାଳୟ, ବ୍ରିଟିଶ ରାଜପରିବାରର ଗ୍ରୀଷ୍ମ ଅବକାଶ ଲାଗି ବ୍ୟବହୃତ ହଲିଉଡ୍ ମହଲ (Hollywood Palace), ସନ୍ଥ ଗାଇଲ ପ୍ରାର୍ଥନା ଗୃହ (Saint Gails Cathedral), ରୟାଲ ମାଇଲ (Royal Miles), ସଂଗ୍ରହାଳୟ (Scottish Museum), ରୟାଲ ୟାଚ ବ୍ରିଟାନିକା (Royal Yacht Britanica), ପୋର୍ଟବେଲୋ (Portobello) ଉପକୂଳ, ଇତ୍ୟାଦି ଦେଖିବାର ସୁଯୋଗ ମିଳିଥିଲା । କେବଳ ସେତିକି ନୁହେଁ, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁହା ଯାଉଥିବା ହାଇଲେନ୍ଡ଼ସ (Highlands) ମାଳଭୂମି ଆଉ ଲକ ନେସ (Loch Ness) ହ୍ରଦ ଯାତ୍ରାର ଶୋଭା ଦର୍ଶକମାନଙ୍କୁ ଭାବ ବିହ୍ଵଳ କରି ଦିଏ । ମଜାର ବିଷୟ ହେଲା, ସ୍କଟିୟ ଲୋକକଥା ଅନୁସାରେ, ଲକ ନେସ ହ୍ରଦରେ ଲକନେସ (Lochness) ବା ନେସି (Nessie) ନାମକ ଏକ ଦୈତ୍ୟ ଅଛି । ଏହି ଆଶାରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଲକନେସ ହ୍ରଦ ଆସିଥାନ୍ତି କାଳେ କୋଉ ମୁହୁର୍ତ୍ତରେ ନେସି ସହ ଦେଖା ହୋଇ ଯିବ । ମତେ କିନ୍ତୁ ସେ ଗଭୀର ହ୍ରଦ ମଧ୍ୟରେ ସିଲ୍ ମାଛ ବ୍ୟତୀତ କୌଣସି ଦୈତ୍ୟ ଫୈତ୍ୟର ଦର୍ଶନ ମିଳି ନଥିଲା । ଏହା ବ୍ୟତୀତ ପର୍ଯ୍ୟଟକମାନେ ଚାହିଁଲେ ଏଡିନବରାର ରୋମାଞ୍ଚକର ଭୌତିକ ଯାତ୍ରାର (Haunted Tour) ଆନନ୍ଦ ବି ଉଠାଇ ପାରିବେ ।

ହଁ ଠିକ ପଢ଼ିଲେ । ସୌନ୍ଦର୍ଯ୍ୟମୟୀ ନଗରୀର ଅନ୍ୟ ପାର୍ଶ୍ୱଟି ହେଲା, ଏହା ସମଗ୍ର ଇଉରୋପରେ ଭୌତିକ ନଗରୀ ହିସାବରେ ବି ପ୍ରସିଦ୍ଧ । ସେଠିକାର ପୁରାତନ କିଲ୍ଲା ଗୁଡ଼ିକରେ ଲୁଚି ରହିଛି ଅନେକ ଲୋମଟାଙ୍କୁରା ଇତିହାସ । ଓଲ୍ଡ ଟାଉନଠାରେ ଅବସ୍ଥିତ ମେରୀ କିଙ୍ଗସ କ୍ଲୋଜ (Mary King’s Close) ନାମକ ଏକ ଭୂତଳ ଗୁମ୍ଫାରେ ୧୬୪୫ ମସିହାରେ ମାରାତ୍ମକ ପ୍ଲେଗ ରୋଗରେ ଆକ୍ରାନ୍ତ ଅଧିବାସୀଙ୍କୁ ବନ୍ଦୀ କରି ରଖା ଯାଇଥିଲା । କୁହାଯାଏ ଏବେ ବି ସେହି ମୃତକମାନଙ୍କ ଆତ୍ମା ସେହି ଗୁମ୍ଫା ମଧ୍ୟରେ ଚଳପ୍ରଚଳ କରନ୍ତି । ଏହିପରି ସେଠାରେ ଅନେକ ଆଧିଭୌତିକ ସ୍ଥଳ ଅଛି ଯାହା ପର୍ଯ୍ୟଟକମାନଙ୍କୁ ବହୁ ପରିମାଣରେ ଆକୃଷ୍ଟ କରେ । ମୋର କିନ୍ତୁ ସେ ଭୟଙ୍କର ସ୍ଥାନସବୁ ଦେଖିବାର ତିଳେ ମାତ୍ର ଆଗ୍ରହ ନଥିଲା ।

The Ghost Bus Tour
The Ghost Bus Tour

ଏହି ପରି ଏଡିନବରା ମାଟିର ପ୍ରତ୍ୟେକ ଅଂଶର ଇତିହାସ ଆଉ ସୌନ୍ଦର୍ଯ୍ୟ ଅତୁଳନୀୟ । ସଂକ୍ଷେପରେ ବର୍ଣନା କଲେ ପ୍ରାକୃତିକ ପରିବେଶ ଏବଂ ରାଜକୀୟ ଦୁର୍ଗରେ ପରିବେଷ୍ଟିତ ଏଡିନବରା ସହରକୁ ଈଶ୍ୱରଙ୍କ ନିଜସ୍ୱ ହାତଗଢ଼ା ଏକ ପରୀ ରାଇଜ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଥିପାଇଁ ହୁଏତ ସ୍କଟଲାଣ୍ଡର ବିଖ୍ୟାତ କବି ଏବଂ ସାମ୍ବାଦିକ ହିଊଘ ମାକଡୈରମିଡ଼ (Hugh MacDiarmid) ଏଡିନବରାକୁ ଆଖ୍ୟା ଦେଇଥିଲେ, “Edinburgh is a mad god’s dream” ।

– ଅମ୍ରିତା ପାଣି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଅମ୍ରିତା ପାଣି ଓଡ଼ିଆ ଭାଷାରେ କିଷମ କିଷମର ଗପ ଓ ଭ୍ରମଣ କାହାଣୀ ଆଦି ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ବିଦେଶ ଯାତ୍ରାର କିଛି ଅନୁଭୂତିକୁ ସେ ଶବ୍ଦରେ ସଜେଇ ସୁନ୍ଦର ଭାବରେ ବଖାଣନ୍ତି ସେ ଦେଶକୁ, ରାଜ୍ୟକୁ, ସହର ଅବା ସ୍ଥାନକୁ । ସେମିତି କିଛି ଭ୍ରମଣକାହାଣୀ ମଧ୍ୟ ପ୍ରକାଶ ପାଇଛି ଶୁଭପଲ୍ଲବରେ ।