ଅଚିହ୍ନା ସହରେ ମୁଁ
ଅଚିହ୍ନା ସହରେ ମୁଁ

ଅଚିହ୍ନା ସହରେ ମୁଁ

ଡେଲ୍ଫଟ୍ । ସକାଳୁ ସକାଳୁ ସ୍କିପୋଲ ଏଆରପୋର୍ଟରୁ ମଟ୍ରୋ ଯୋଗେ ପହଞ୍ଚି ଗଲି । କର୍ମ ସଂସ୍ଥାନରେ କିଛି ଔପଚାରିକତା ସରିବାପରେ ଦିଆଯାଇଥିବା ବାସସ୍ଥାନ ଆଡ଼କୁ ଚାଲଲି । ହାତରେ ଇନଷ୍ଟିଚ୍ୟୁଟ ପ୍ରଦତ୍ତ ମ୍ୟାପଟିଏ । ମ୍ୟାପ ପଛପଟେ ଡେଲ୍ଫଟ ସହରର ସଂକ୍ଷିପ୍ତ ବିବରଣୀ । ନେଦରଲ୍ୟାଣ୍ଡର ପଶ୍ଚିମକୁ ଅଛି ଏଇ ଛୋଟିଆ ସହର । ଛୋଟ ହେଲେ ବି ବିଶ୍ୱ ପ୍ରସିଦ୍ଧ ଦୁଇଟି କାରଣ ପାଇଁ । ପ୍ରଥମତଃ ଡେଲ୍ଫଟ ଇଉନିଭର୍ସିଟି ଅଫ ଟେକ୍ନୋଲୋଜି ଯାହାକି ଟିୟୁ ଡେଲ୍ଫଟ୍ ହିସାବରେ ବେଶ ଜଣା ଆଉ ଦ୍ୱିତୀୟଟି ହେଲା ଏଠାକାର ହାତ ତିଆରି ଧଳା ଆଉ ନୀଳ ରଙ୍ଗର ଆକର୍ଷଣୀୟ ପୋରସେଲିନର ଆସବାବପତ୍ର ଯାହାକୁ ଡେଲ୍ଫଟ-ୱେୟାର ବୋଲି କୁହାଯାଏ ।

ଫୋନରେ ନୂଆ ସିମ ଏଯାବତ ନପକେଇଥିବାରୁ ସେଇ ମ୍ୟାପକୁ ଭରସା କରି ମୋର ଠିକଣା ଜାଗା ଖୋଜିବାକୁ ଚେଷ୍ଟା କଲି । ଇଉରୋପର ଗ୍ରୀଷ୍ମ ୠତୁ ସତରେ ଭାରି ମନମୁଗ୍ଧକର, ଏଇ ଯେମିତି ଆମ ଓଡ଼ିଶାର ବସନ୍ତ ଅବା ଶରତ । କେନାଳ କୂଳେ କୂଳେ ପ୍ରମୁଖ ରାସ୍ତା । ସୂର୍ଯ୍ୟ କିରଣ ମ୍ୟାପଲ ପତ୍ରର ଗହଳ ଭିତରୁ ବିଛାଡ଼ି ହେଇପଡ଼ୁଛି, କେନାଲର ପାଣି ଉପରେ ଯେମିତି ତରଳ ସୁନା ବହିଯାଉଛି । ନେଦରଲ୍ୟାଣ୍ଡର ଇତିହାସ ଭୂଗୋଳ ଏଇ କେନାଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ନେଦରଲ୍ୟାଣ୍ଡର ଆକ୍ଷରିକ ଅର୍ଥ ହେଉଛି ଲୋୟର ଲାଣ୍ଡ/ଦେଶ କାରଣ ଦେଶର ଅଧିକାଂଶ ଅଞ୍ଚଳ ସମୁଦ୍ର ପତନ ଠାରୁ ତଳେ । ସେଥିପାଇଁ ଏହା ସର୍ବଦା ବନ୍ୟା ପ୍ରଭାବିତ ହେଇ ରହୁଥିଲା । ଇତିହାସରେ ଏପରି ମଧ୍ୟ ସମୟ ଆସିଥିଲା ଯେତେବେଳେ ପୁରା ଦେଶରୁ ନାଗରିକମାନଙ୍କୁ ବିସ୍ଥାପିତ କରାଯିବାର ପ୍ରସ୍ତାବ ଦିଆଯାଇଥିଲା । ହେଲେ ଡଚ୍‌ମାନେ ତିଆରି କରିଥିଲେ ଏଇ କେନାଲ୍ ଯାହା ଅତ୍ୟଧିକ ପାଣିକୁ ଅନାୟାସରେ ନିଷ୍କାସିତ କରିପାରିବ ।

ଚବ୍ ଚବ୍ ଶବ୍ଦ ଆଉ ଲୋକମାନଙ୍କ ପାଟି ଶୁଣି, ଚାହିଁ ଦେଖିଲି ମୁଖ୍ୟ କେନାଲରେ ଦଳ ଦଳ ଲୋକ ରୋଇଂ କରୁଛନ୍ତି ଆଉ କୂଳରେ ଲୋକମାନେ ତାଳି ମାରି ଉତ୍ସାହିତ କରୁଛନ୍ତି ।

ସାପ୍ତାହାନ୍ତିକ ମଉଜ ମଜିଲସର ଏ ଗୋଟିଏ ଝଲକ । କେନାଲ ଯେ କେବଳ ଜଳକ୍ରିଡ଼ା ପାଇଁ ବ୍ୟବହାର ହେଉଛି ତାହା ନୁହେଁ, ସହରର ଛୋଟ ଛୋଟ କେନାଲରେ ଅଛି ବୋଟ ରେସ୍ତରାଁ, ତା’ସହ କେତେ ପ୍ରକାରର କଳାକୄତି । ରଙ୍ଗବେରଙ୍ଗର ଫୁଲର ଫୁଆର ରାସ୍ତାର ଦୁଇ ପଟେ । ବେଶୀ ଭିଡ଼ ନାହିଁ । ଅଳସୀ ସହରଟା ଖୁବ ଭଲ ଲାଗୁଥିଲା ମତେ । କ୍ଳାନ୍ତି ଭୁଲି ଯାଇଥିଲି ମୁଁ । ମଝିରେ ମଝିରେ ମିଳୁଥିଲେ କିଛି ଅଚିହ୍ନା ମୁହଁ, ଯିଏ ହାତ ହଲେଇ ନଚେତ୍ ହସିଦେଇ ଅଭିବାଦନ କରୁଥିଲେ । ଭାବବ୍ୟୁହଳତାରୁ ବାହାରୁକୁ ଆସି ଜାଣିଲି ଯେ ମୁଁ ଭୁଲ ରାସ୍ତାରେ ଅନେକ ବାଟ ଆଗକୁ ଆସିଗଲିଣି । ବ୍ୟସ୍ତ ହେଇପଡ଼ିଲି; ଗୁଗୁଲ ସହ ଅଭ୍ୟସ୍ତ ମୁଁ, ମ୍ୟାପ ଦେଖି କିଛି ସଠିକ କରିପାରୁନଥିଲି । ଏ ଭିତରେ ମୁଁ ସହରର ମଧ୍ୟଭାଗରେ ପହଞ୍ଚି ସାରିଥଲି । ସାମ୍ନାରେ ବିରାଟ ଚର୍ଚ୍ଚ ଆଉ ତା’ ଆଗକୁ ଟାଉନ ହଲ । ଚର୍ଚ୍ଚକୁ ପରେ ଯିବାକୁ ସ୍ଥିର କଲି । ମୋବାଇଲକୁ ସିଟି ସେଣ୍ଟର ୱଇଫାଇରେ ସଂଯୋଗ କରିବାକୁ ଚେଷ୍ଟା କଲି । ମୋର ବ୍ୟସ୍ତତା ଲକ୍ଷ୍ୟକରି ଜଣେ ମହିଳା ମତେ ସାହାଯ୍ୟ କରିବାକୁ ଆଗେଇ ଆସିଲେ । ମହିଳା ଜଣକ ଡଚ୍ ଏବଂ ବନ୍ଧୁ ତାଙ୍କର ଆମେରିକୀୟ । ଦୁହେଁ ମତେ ସହଜ କରିବାକୁ ଯଥା ସମ୍ଭବ ଚେଷ୍ଟା କରୁଥିଲେ । ସେ ଏବଂ ତାଙ୍କ ବନ୍ଧୁ ମତେ ମୋ ବିଲ୍ଡିଂ ପାଖରେ ପହଞ୍ଚାଇ ଆସିଲେ । ଅଜଣା ଜାଗା, ଅଜଣା ଲୋକଙ୍କଠାରୁ ଏପରି ଅକୁଣ୍ଠ ସାହାଯ୍ୟ ପରେ କୄତଜ୍ଞ ବୋଧ ହେଉଥିଲା ।

କିଛି ସମୟର ଆରମ କଲା ପରେ ମୁଁ ବିଲ୍ଡିଂରୁ ସାଇକେଲଟିଏ ଧରି ବାହାରିଲି, ସହରକୁ ଆଉଟିକେ ଦେଖିବାକୁ, ଆଉଟିକେ ଚିହ୍ନିବାକୁ । ସପ୍ତାହାନ୍ତ ହାଟ ବସିଥାଏ ସିଟି ସେଣ୍ଟର ଆଉ କେନାଲ କୂଳ ଫୁଟପାଥରେ । ଆଣ୍ଟିକ୍ ଆସବାବପତ୍ର, ଡେଲ୍ଫଟୱଏର୍, କପ କେକ୍, ବିଭିନ୍ନ କିସମର କୋଳି, ଟ୍ୟୁଲିପ ଫୁଲ, ଫେସ ପେଣ୍ଟିଙ୍ଗ ଷ୍ଟଲ ଓ ଆହୁରି ଅନେକ କିଛି । କାଠ ତିଆରି ଯୋତାର ବହୁତ ଷ୍ଟଲ । ଡେଲ୍ଫଟର ସନ୍ତକ ହିସାବରେ ବହୁତ ଜଣ କିଣୁଥାନ୍ତି ବି । ପୁରୁଣା କାଳରେ ଚାଷୀମାନେ ଏଇ କାଠ ଯୋତା ପିନ୍ଧି ଚାଷ କରୁଥିଲେ । ମୁଖ୍ୟତଃ ଏଠି ଷ୍ଟ୍ରବେରୀ, ରାସ୍ପବେରୀ ଚାଷ ହେଉଥିଲା । କିନ୍ତୁ ଗୋପାଳନ ଏଠିକାର ମୁଖ୍ୟ କୄଷି । ଚିଜ୍ ଉତ୍ପାଦନରେ ନେଦରଲ୍ୟାଣ୍ଡ ବିଶ୍ୱରେ ସବୁଠାରୁ ଆଗରେ । ଚିଜ୍ ଦୋକାନମାନଙ୍କରେ ତିଆରିର ପ୍ରଣାଳୀ ଦେଖିବା ସହ ୨୮ ପ୍ରକାରର ଚିଜ୍ ଚାଖିବାକୁ ମିଳିଲା । ଭିନ୍ନ ଭିନ୍ନ ସ୍ୱାଦ ଭିତରୁ ଅଲିଭ୍ ଚିଜ୍ ପ୍ୟାକେଟିଏ କିଣିଲି ।

“ବରା-୨.୫ ଇଉରୋ” ଲେଖାଥିବା ପୋଷ୍ଟରଟିଏ ଦେଖି ଉତ୍କଣ୍ଠାରେ ଆଗେଇଲି । ଏଠି ପୁଣି ବରା !! ମାର୍କେଟ ଭିତରେ ଖୋଜି ପାଇଲି ଫୁଡଟ୍ରକଟିକୁ । ଦକ୍ଷିଣଏସୀୟ ଲାଗୁଥିଲେ ବ୍ୟକ୍ତି ଜଣକ । ପାଖକୁ ଗଲାପରେ ଜାଣିଲି ଭାରତୀୟ ବଂଶୋଦ୍ଭବ କିନ୍ତୁ ସୁରୀନାମେ ନାଗରୀକ । ମହାଶୟ ହିନ୍ଦିରେ ବାର୍ତ୍ତାଳାପ ଆରମ୍ଭ କଲେ । ୧୯ ଶତାବ୍ଦୀରେ ତାଙ୍କର ପୂର୍ବଜମାନେ ଇଂରେଜ ଓ ଡଚ୍ ଔପନିବେଶକାରୀଙ୍କ ସହ ବାଧ୍ୟକର୍ମୀ ରୂପରେ ଭାରତରୁ ଆସିଥିଲେ ।

ବହୁତ ଭିଡ଼ ବରା ପାଇଁ । ମନେ ମନେ ହସିଦେଲି, ଖାଲି ବରାର ଯଦି ଏତେ ଚାହିଦା ଅନ୍ୟ ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଏଠି କେତେ ଲୋକପ୍ରିୟ ନହେବ ସତେ । ମୋ ରହଣୀ ଭିତରେ ଅନେକ ଥର ଯାଇଛି ତାଙ୍କୁ ଭେଟିବାକୁ । ଗ୍ରାହକ ଗହଳି ନଥିଲେ ସେ କେତେଥର ଶୁଆଇଛନ୍ତି ତାଙ୍କ ଇତିହାସ ଯାହା ମୋ ଦେଶର ବି ଇତିହାସ । ତାଙ୍କୁ ଭେଟିନଥିଲେ ମୁଁ କେବେହେଁ ଦେଖି ନଥାନ୍ତି ଔପନିବେଶିକ ଇତିହାସର ଆଉ ଏକ ପୄଷ୍ଠା ।

ଥରେ ପଚାରିଦେଲି ଆପଣଙ୍କୁ କ’ଣ ନିଜର ଲାଗେ ଏ ଦେଶ?? ହସିଦେଇ କହିଲେ ଆମ ବାପାଙ୍କଠାରୁ ବହୁତ ଶୁଣିଛୁ ତାଙ୍କ ସମୟର ନିଷ୍ପେଷଣର କାହାଣୀ କିନ୍ତୁ ଏଇ ପତାକା ତଳେ ତ ମୁଁ ଜନ୍ମ ନେଇଛି କେମିତି କହିବିନି, ମୁଁ ତ ଗର୍ବରେ କହିବି, ଏ ମୋ ଦେଶ ବୋଲି ।

ସିଟି ସେଣ୍ଟରରୁ ଅଳ୍ପ ବାଟରେ ଅଛି ଟ୍ରାମ ଆଉ ବସ ଷ୍ଟେସନ । ଗୋଟିଏ ଟ୍ରାଭେଲ କାର୍ଡ଼ ନେଇଥିଲି ଏଆରପୋର୍ଟରୁ ଯାହା ଟ୍ରାମ, ବସ ସବୁଥିରେ ଚଳିବ । ସେଇଠୁ ସହର ଉପକଣ୍ଠବର୍ତ୍ତୀ ଗ୍ରାମାଞ୍ଚଳକୁ ଯାଇଛି ଥରେ ଅଧେ । ଇଉରୋପୀୟ କଣ୍ଟ୍ରି ସାଇଡ୍ ଦେଖିବାର ଲାଳସା ୟଶ୍ ଚୋପ୍ରା ଫିଲ୍ମ ଦେଖି ବଳବତ୍ତର ହେଇଥିଲା ଆଉ ଏବେ ଯାଇ ସତ ହେଲା । ବିସ୍ତୀର୍ଣ୍ଣ ତୄଣଭୂମିରେ କଳା ଧଳା କଷରା ଘୋଡ଼ାପଲ କାନଭାସର ପେଣ୍ଟିଙ୍ଗ ପରି ଲାଗୁଥିଲେ । ଡେଙ୍ଗା ମ୍ୟାପଲ ଓ ଓକ ଗଛ ମଝିରେ ସମ୍ଭ୍ରାନ୍ତ ଘର ଓ ସାମନାରେ ରଙ୍ଗ ବେରଙ୍ଗୀ ଫୁଲ । ଆଉ ପଛପଟେ ଷ୍ଟ୍ରବେରୀ, ସ୍ପ୍ରିଂ ଅନିଅନ ଓ ବିଭିନ୍ନ ହର୍ବର ଛୋଟ କ୍ଷେତ । ଅଧିକାଂଶ ଅଧିବାସୀ ବୟସ୍କ । ବୁଲୁ ବୁଲୁ ମିଳିଲେ ଜଣେ ବୄଦ୍ଧା କିଛି ସମୟ ଗପସପ କରିବା ପରେ ଅତି ସ୍ନେହରେ ବଗିଚାକୁ ଡାକିନେଲେ । ଏକା ଏକା ରହୁଥିବା ମଣିଷ ଯେ କିଛି ସମୟ ମୋ’ଠୁ ମାଗୁଛନ୍ତି ତାଙ୍କ ସପ୍ତାହାନ୍ତର କିଛି ସମୟ କଟେଇବାପାଇଁ, ମନା କରିପାରିଲିନି । ବଗିଚାରୁ କିଛି କୋଳି ଧରି ଢେର କିଛି ସମୟ ପରେ ବିଦାୟ ନେଲି ସେଠୁ ।

ଏମିତିରେ ରାତି ଡେରିରେ ଆସେ ସେଠି, କିନ୍ତୁ ଅଳ୍ପ କିଛି ଦୋକାନ ଛାଡ଼ି ଦଲେ ବାକି ସବୁ ବନ୍ଦ ହେଇଯାଏ ସନ୍ଧ୍ୟା ୫ଟା ପରେ । ଖୋଲା ରହେ କିନ୍ତୁ ରେସ୍ତେରାଁ ଓ ବାର । ଖୁବ ଆସର ଜମେ । ଶୁକ୍ରବାର ସଂନ୍ଧ୍ୟାରୁ ଆରମ୍ଭ ହେଇଯାଏ ଉଇକଏଣ୍ଡର ମଉଜ । ମୋ ବିଲିଡିଂରେ ବି ହୁଏ ଗାର୍ଡେନ ବାର୍ବିକ୍ୟୁ ପାର୍ଟି ।

କେତେ ସନ୍ଧ୍ୟା ବିତିଛି ଏମିତି ନୂଆ ଲୋକ ନୂଆ ବନ୍ଧୁ ମେଳରେ ଆହୁରି କିଛି ବିତିଛି ହେଗ୍‌ର ସପିଙ୍ଗ ମଲ୍‌ରେ, କିଣ୍ଡରଡିକରେ ଯେଉଁଠି ଅଛି ବିଶ୍ୱ ଐତିହ୍ୟର ମାନ୍ୟତା ପ୍ରାପ୍ତ ବହୁ ପୁରାତନ ପବନ କଳ । କିଛି ନିଆରା ସନ୍ଧ୍ୟା ବିତେଇଛି ସ୍କେଭିନିନଞ୍ଜେନ ବେଳାଭୂମିରେ। ସୄତିର ପ୍ରତିରୂପ ଭାବି ମନଭରି ଶାମୁକା ସାଉଣ୍ଟିଛି । ଇଗଲମାନଙ୍କ କୋଳାହଳରେ ହଜିଯାଇଛି ଘରଠୁ ହଜାର ହଜାର ମାଇଲ୍ ଦୂରରେ ।

ଯେତିକି ଦିନ ରହିଛି ମନଭରି ଏ ସହରର ଗଳିରେ ବୁଲିଛି । ଅଧା ରାତିରେ ଲାଇବ୍ରେରୀରୁ ସାଇକେଲରେ ଫେରିଛି । ପୁରା ଟ୍ରାମ ବଗି ଖାଲି ଥିଲାବେଳେ ବି ବିନା ଦ୍ୱିଧାରେ ସେଥିରେ ଯାତାୟତ କରିଛି । ପ୍ରଥମ କିଛିଦିନ ଛାଡ଼ି ଆଉ ଡର ଲାଗିନି ମତେ କେବେ । ମୁଁ ସମ୍ପୂର୍ଣ୍ଣ ଭୁଲ ହେବିନି ଯଦି କହିବି କି ମୁଁ ପ୍ରଥମଥର ପାଇଁ ଜାଣିଲି ମୋ ଦେଶରେ ମୋ ଭାଇକୁ କେମିତି ଲାଗୁଥିବ ଏମିତି ସ୍ୱାଧୀନତା । ସେ ହୁଏତ କେବେ ବୁଝି ନପାରେ କାରଣ ସବୁବେଳେ ମିଳୁଥିବା ଜିନିଷ ଯେତେ ଦୁର୍ମୂଲ୍ୟ ହେଲେ ବି ଘଷରା ହେଇଯାଏ । ହେଲେ ମୋ ପାଇଁ ଏଇ ଡେଲ୍ଫଟର ଏଇ କିଛି ଦିନର ମୂଲ୍ୟ ଏଇ ଦୄଷ୍ଟି କୋଣରୁ ଖୁବ ଅମୂଲ୍ୟ ।

କହିରଖେ ଯେ ଡେଲ୍ଫଟ ଯେତେ ସୁରକ୍ଷିତ, ଆମଷ୍ଟାରଡାମ କି ନେଦରଲ୍ୟାଣ୍ଡର ଅନ୍ୟ ବଡ଼ ସହର ସେତେ ସୁରକ୍ଷିତ ହେଇନପାରେ । ରହଣୀରେ ଅନେକ ଦେଶରୁ ଅନେକ ବନ୍ଧୁ ମିଳିଛନ୍ତି । କିଛି ଭାରତୀୟ ଏମିତି କି କିଛି ଓଡ଼ିଆ ବନ୍ଧୁ ବି ମିଳିଛନ୍ତି । କିନ୍ତୁ ମତେ ସବୁଠାରୁ ଅଧିକ ପ୍ରେମରେ ପକେଇ ଥିଲା କିଛି ଦିନ ପୂର୍ବରୁ ଅଚିହ୍ନା ଥିବା, ସରଳତାରେ ବି ଆଭିଜାତ୍ୟ ପ୍ରକାଶ କରୁଥିବା, ଏ ସହର ନିଜେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu