You are currently viewing ଜହ୍ନ
Odia Poem Janha (ଜହ୍ନ) by Nibedita Mohapatra

ଜହ୍ନ

ଜହ୍ନ ଗୋ ତୁମେ ଦିଗନ୍ତ ବିସ୍ତାରୀ
ନିଳାଭ ଗଗନେ ରହି
ବ‌ଉଦ କୋଳୁ ବିତରି ଜ୍ୟୋତ୍ସ୍ନା
ଉଜ୍ଜ୍ୱଳ କର ଏ ମହି ।

ବିଭାବରୀ କୋଳେ ତାରକା ମେଳେ
ଖେଳୁଥାଅ ଲୁଚକାଳି
ଅପରୂପ ସେ କମନୀୟ ରୂପ
ଅନ୍ଧାରେ ଉଠ‌ଇ ଝଳି ।

ଶାଶ୍ଵତ ପ୍ରେମର ପ୍ରତୀକ ସାଜି
କୁମୁଦକୁ ଚାହିଁ ଥାଅ
ମିଳନ ଆଶାରେ ଦୂରେ ଥାଇ ତା’
ସୌନ୍ଦର୍ଯ୍ୟ ନିହାରୁ ଥାଅ ।

ଶିଶୁ ସନ୍ତାନ ଓଠେ ହସ ଦେଇ
କେତେ ଆନନ୍ଦିତ ହୁଅ
ମା’ର ମଧୁର ନାନାବାୟା ଶୁଣି
ଖିଲି ଖିଲି ହସୁଥାଅ ।

ଗୋଟିଏ ରୂପରେ ନ ଦେଖନ୍ତି କେହି
ବଢ଼ୁଥାଅ ଛିଡ଼ୁଥାଅ
ତଥାପି କବିର କଳ୍ପନାରେ ତୁମେ
ଉଜ୍ଜିବିତ ରହିଥାଅ ।

ଜହ୍ନ ଗୋ ତୁମେ କୁଆଁରୀ କନ୍ୟାର
ସାଜିଛି ମନର ମିତ
ତୁମରି ଶୋଭାରେ ଦେଖୁଥାଏ ସେ
ସୁନେଲି ତା’ ଭବିଷ୍ୟତ ।

ଶୁକ୍ଳପକ୍ଷର ତୋଫା ଚାନ୍ଦିନୀରେ
ତୁମ କମନୀୟ କାନ୍ତି
ପ୍ରଜ୍ଜ୍ଵଳିତ କରି ଆଶାର ପ୍ରଦୀପ
ମନରେ ଭର‌ଇ ଶାନ୍ତି ।

ଶରତରେ ତବ ଶୁଭ୍ରତା ଦେଖି
ମଧୁସିକ୍ତ ହୁଏ ଧରା
ନଭ ମଣ୍ଡଳରେ ନକ୍ଷତ୍ର ଯୁକ୍ତେ
ଛାୟା ସୃଷ୍ଟି କରେ ପରା !

କହିବ ଗୋ ଇନ୍ଦୁ କି ତପର ଫଳେ
ପାଇଲ ଏପରି ବର
ଶୋଭା ବର୍ଦ୍ଧନ ପାଇଁ ମସ୍ତକରେ
ରହିଲ ଶଙ୍କରଙ୍କର ।

କି ଉପମା ଦେଇ ବର୍ଣ୍ଣିବି ତବ
ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ
ତୁମେ ତ ସାଜିଛ ସୌର ମଣ୍ଡଳେ
ଉପଗ୍ରହ ଯେ ଅଦ୍ୱିତୀୟ ।

– ନିବେଦିତା ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୁରୀ ଜିଲ୍ଲାର ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗର ନିବାସୀ ନିବେଦିତା ମାହାପାତ୍ର ମୁଖ୍ୟତଃ ଓଡ଼ିଆ ଭଜନ ଆଦି ରଚନା ଆଦିରେ ରୁଚି ରଖନ୍ତି । ଭଜନାଞ୍ଜଳୀ ସହ ସେ ଅନେକ ଗପ ଓ କବିତା ଆଦି ରଚନା କରିଛନ୍ତି ।