You are currently viewing ଜୀବନ କ୍ୟାଲେଣ୍ଡର
ଜୀବନ କ୍ୟାଲେଣ୍ଡର

ଜୀବନ କ୍ୟାଲେଣ୍ଡର

ବଡ଼ି ଭୋର୍‌ରୁ
ବ୍ଲଡ୍ ପ୍ରେସର୍, ଡାଇବେଟିସ୍ ଓ ଠାକୁର
ଆଲାରାମ୍ ସାଜି ନିଦରୁ ଉଠାନ୍ତି,
ବୟସକୁ ଦୁଇ ପାଦ ପଛକୁ ଠେଲୁ ଠେଲୁ
ରାସ୍ତାରେ ଭେଟ ହୁଅନ୍ତି ଦୁଇଟି ସୂର୍ଯ୍ୟ,
ଜଣେ ଅସ୍ତ ଏବଂ ଜଣେ ଉଦୟର ଦ୍ୱାରସ୍ଥ…

ଫୁଲ ତୋଳୁ ତୋଳୁ
ମରିଯାଉଥିବା ସ୍ୱପ୍ନମାନେ ଝାଳ ପୋଛି ଦିଅନ୍ତି
ରୁମାଲ ଧରି…

ଅଫିସରେ ଫାଇଲମାନଙ୍କ ଷ୍ଟ୍ରାଇକ୍,
ବାବୁ ଏକା ଏକା ପାନ ଖାଉଛନ୍ତି
କୁଆଡ଼େ କାମ ବଢ଼ିଲାଣି ସରକାରୀ ଚାକିରୀରେ !
ଚା’ ଦୋକାନରେ
ଦେଶର ରାଜନୀତି ଚା’ରେ ବୁଡ଼ି
ସିଗାରେଟ୍ ଧୂଆଁରେ ଆକାଶକୁ
ମେଘୁଆ କରେ…

ଫରେଷ୍ଟ ପାର୍କରେ ସଞ୍ଜ ଆସେ
ସ୍ୱତନ୍ତ୍ର ବେଞ୍ଚରେ ହିସାବ ହୁଏ
ବରିଷ୍ଠ ନାଗରିକଙ୍କ ମାସିକ ଖର୍ଚ୍ଚ
ବାକି ଖାତାରେ ବାକି ରହେ
ସାରା ଜୀବନର ସଂଘର୍ଷ,
କିନ୍ତୁ,
ଜୀବନ ବଦଳୁଥାଏ କ୍ୟାଲେଣ୍ଡର ଫର୍ଦ୍ଦ ପରି…!!

ଶୁଭକାନ୍ତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭକାନ୍ତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।