ସେ ମିଛ କହୁଥିଲା ନିତି ନିତି ମୋତେ
ଆଣିଦେବ ସରଗ ଶଶୀ
ସେ ମିଛ କହୁଥିଲା ସବୁ ସନ୍ଧ୍ୟାରେ
ମୁଁ ଯଦି କାନ୍ଦୁଥିଲି ବେଶୀ ।
ସେ କହୁଥିଲା ତୁ କାହିଁକି ମରୁନୁ
ମୁଁ ଯଦି ହେଉଥିଲି ଦୁଷ୍ଟ ।
ସେ ନୀତି ମରୁଥିଲା ଆଖି ବୁଜିଦେଇ
ଦେଖିବାକୁ ମୋର କଷ୍ଟ ।
କାନ୍ଦୁଥିଲା ସିଏ ଲୁଚି ଲୁଚି ମୋ’ଠୁ
ଯେବେ ମୋତେ ମାରୁଥିଲା
ପଚାରିଲେ ତାକୁ ସିଏ କହୁଥିଲା
କାହିଁ, ମୁଁ ତ କାନ୍ଦୁନି
ମୋ ଆଖିରେ ପୋକ ପଡ଼ିଥିଲା ।
କେବେ କେବେ ସିଏ ଉପବାସ ରହି
ମୋତେ ପେଟପୂରା ଖୋଉଥିଲା ।
ତୁ ଖାଇବୁନି କି ପଚାରିଲେ ତାକୁ
ଭୋକ ନାହିଁ କହୁଥିଲା ।
ଏଡ଼େ ସେ ମିଛେଇ
ମୋ ସୁଖପାଇଁ ନିଜେ କଷ୍ଟ କରୁଥିଲା
ନିଜେ ମିଛ କହି ମୋତେ ସତକୁହା ଶିଖାଇଲା ।