ବହୁତ ଦିନର ସଂଘର୍ଷ ପରେ ଅନୁରୂପକୁ ମିଳିଥିଲା ବ୍ୟାଙ୍କ୍ ଅଫିସର ଚାକିରି, ପୋଷ୍ଟିଂ କଲିକତାରେ । ଦ୍ଵିତୀୟ ଶନିବାର ଆଉ ରବିବାର ଛୁଟି ଦେଖି ଭାବିଲା ଘରକୁ ଯାଇକି ଟିକେ ବୁଲିଆସିବି ।ଏମିତିରେ ଏଠି ଏକା ଭଲ ଲାଗୁନି, ଘରେ ଟିକେ ବୁଲି ଆସିଲେ ଭଲ ଲାଗିବ । ଶୀତ ଟିକେ ଟିକେ ପଡ଼ିଲାଣି, ସ୍ଵେଟର ପିନ୍ଧି ବାହାରିପଡ଼ିଲା ବସଷ୍ଟାଣ୍ଡ ଅଭିମୁଖେ । ଗଲାବେଳେ ଆଖି ପଡ଼ିଥିଲା ଏକ ସ୍ଵେଟର ଦୋକାନ ଉପରେ ।
ସେଇଠି ତା’ର ମାନେ ପଡ଼ି ଯାଇଥିଲା ତା’ର ଅତୀତର କିଛି ମୁହୂର୍ତ୍ତ । ପୂର୍ବ ବର୍ଷ ସେ ସ୍ୱେଟର କିଣିବା ପାଇଁ ଯାଇଥିଲା ବାପାଙ୍କ ସହିତ, ହେଲେ ନେଇଥିବା ସମ୍ବଳରେ କେବଳ ବୋଉ, ଭଉଣୀ ଆଉ ଜେଜେମାଙ୍କ ପାଇଁ କିଣି ହେଇଥିଲା ଶୀତବସ୍ତ୍ର, କାହିଁକି ନା ବହୁତ ବର୍ଷ ପରେ ସେମାନେ କିଣୁଥିଲେ ଆଉ ମାର୍କେଟର ଦରଦାମ ବିଷୟରେ ଥିଲେ ଅଜ୍ଞ । ଫେରିଲା ବେଳେ ବାପା କହିଲେ, “ବାକି ରହିଗଲା ତୋର, ମୋର ଆଉ ଜେଜେଙ୍କ ଶୀତବସ୍ତ୍ର, ଏଇ ବର୍ଷ ଟିକେ ଚଳେଇ ଦବା, ନା କ’ଣ କହୁଛୁ? ଇଶ୍ଵରଙ୍କ ପାଖରେ ପାର୍ଥନା କରିଛି ଆର ବର୍ଷ ଭିତରେ ତୋ ଚାକିରୀଟେ ହେଇଥିଲେ, ତୁ କିଣି ଦବୁନି କି!” “ହଁ ବାପା କିଣିବା ତମେ ବ୍ୟସ୍ତ ହୁଅନି ।”
ସେତେବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା, ହେଲେ ତା’ର ଚାକିରୀ ପରେ ଟିକେ ଭଲ ଅଛି । ଆଉ କିଛି ଭାବିଲାନି, ଦୋକାନ ଭିତରକୁ ଯାଇ ବାପାଙ୍କ ପସନ୍ଦ ରଙ୍ଗର ସ୍ଵେଟରଟିଏ କିଣିଲା । ତା’ ପାଇଁ ଆଉ ଜେଜେଙ୍କ ପାଇଁ ବାପାଙ୍କ ପାଖକୁ ଯାଇ କିଣିବାକୁ ମନସ୍ତ କଲା ।
ସକାଳୁ ପହଞ୍ଚି ଯାଇଥିଲା ଭୁବନେଶ୍ୱରରେ, ବସଷ୍ଟାଣ୍ଡକୁ ବାପା ଆସିଥିଲେ ସେଇ ପୁରୁଣା ସ୍ଵେଟର ପିନ୍ଧିକି । ଘରକୁ ଗଲା ପରେ ସାଙ୍ଗେ ସାଙ୍ଗେ କାଢ଼ିକି ଦେଲା ଆଣିଥିବା ନୂଆ ଜିନିଷଟି । ଦେଖିକି ବାପା ଖୁସି ହୋଇଯାଇଥିଲେ, ଆଉ କୋହ ଭରା କଣ୍ଠରେ କହିଥିଲେ, “ଯାହା ହଉ ମନେ ରଖିଛି ମୋ ପୁଅ । ଆଉ ତୋ ପାଇଁ?”
ସେ କହିଥିଲା, “ତମ ପସନ୍ଦର କିଣିବା ।”
କିଛି ସମୟ ପରେ ସମସ୍ତେ ଗାଁ’କୁ ବାହାରି ପଡ଼ିଲେ ବୁଲିବା ପାଇଁ । ଜେଜେବାପା ଆଉ ଜେଜେମାଙ୍କ ସହିତ ଦିନଟି ଭଲରେ କଟିଲା । ଏଇ ଭିତରେ ତା’ର ମନେ ପଡ଼ିଗଲା କି, ଆରେ ଜେଜେଙ୍କ ପାଇଁ ତ ଆଣି ପାରିଲିନି ଶୀତବସ୍ତ୍ର ! ହେଲେ ଫେରିଲା ବେଳକୁ ବାପା ଜେଜେଙ୍କୁ ସେ ନେଇଥିବା ସ୍ୱେଟରଟି ଦେଇ କହିଲେ ଏଇ ବର୍ଷ ଅଧିକା ଶୀତ ହବ, ନିଅ ଏଇଟା ପିନ୍ଧିବ ।
ସେ ସିନା ଭୁଲିଗଲା ହେଲେ ଗୋଟେ ପୁଅ କେମିତି ଭୁଲିବ !
ସବୁ ପୁଅ ଏମିତି ନା !
– ପଦ୍ମଲୋଚନ ପାଢ଼ୀ
Comments
ପଦ୍ମଲୋଚନ ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।