ବୋଉର ପଣତକାନି ତା’ର ସ୍ନେହ
ଦେଲା ମୋତେ ଆଶ୍ରୟ
ଆସିବାକୁ ହେଲା ଏ ଜଗତେ ମୋତେ
ନେଇ ନୂଆ ପରିଚୟ ।
ଜନ୍ମ ଦେଇ ସେ ଋଣି କରିଦିଏ
ସ୍ନେହ ଦିଏ ସାଥବରେ
ସୁଝି ପାରିବିନି ଋଣ ମୁଁ ତା’ର
ଏହି ମୋର ଜୀବନରେ ।
ଗଙ୍ଗାଜଳ ପରି ପବିତ୍ର ମମତା
ଆଉ କେହି ନ ଦେବେରେ
ସ୍ନେହମୟୀ ଭଳି ମୋର ବୋଉକୁ
କେହି କେବେ ଭୁଲିପାରେ ।
ନିଜ ହୃଦୟର ଲୁହକୁ ସେ ଚାପି
ଦେଉଥାଏ ମୋତେ ଖୁସି
ନିନ୍ଦା ଅପମାନ ମାଡ଼ ଗାଳି ଖାଇ
ନିଜେ ହୋଇଯାଏ ଦୋଷୀ ।
ବୋଉ କ୍ଷୀର ପୁଣି ଅମୃତ ସମାନ
ପିଇ ହେଲି ବଳବାନ
ବୋଉ କୋଳ ପୁଣି ସରଗ ସମାନ
ଶୋଇ ଦେଖେ ମୁଁ ସପନ ।
ଯେଉଁଠି ଖୋଜିଲି ଯେମିତି ଖୋଜିଲି
ତାକୁ ତ ପାଇଲି ନାହିଁ
ତା’ର ମମତାରୂପି ମଧୁର ସନ୍ଧାନ
ସେଇଠି ପାଇଲି ମୁହିଁ ।
– ସତ୍ୟବାନ ନାୟକ