You are currently viewing ଅଙ୍କା ବଙ୍କା ନଈ
Odia Poem Ankabanka Nai (ଅଙ୍କା ବଙ୍କା ନଈ) by Pritiranjan Nayak

ଅଙ୍କା ବଙ୍କା ନଈ

ଏ ରାସ୍ତା ନୁହେଁ ପରା
ଏକ ଅଙ୍କା ବଙ୍କା ନଈ,
ମୁଁ ଯେ ଡିଏଲ୍ ଧାରି
ନାବରେ ପରାକାଷ୍ଠା ନାହିଁ ।

ଏ ଜୀବନ ଡଙ୍ଗାରେ
ପୂରା ଅସହାୟ ହୋଇ,
ଖୋଜେ ମୁଁ ସାହାରା ହେଲେ
ସାଥୀ କେହି ନାହିଁ,
ଏ ରାସ୍ତା ନୁହେଁ ପରା
ଏକ ଅଙ୍କା ବଙ୍କା ନଈ ।

ବନ୍ଧୁର ରାସ୍ତାରେ ସିନା
ଗାଡ଼ି ଚଳେଇଛି ମୁହିଁ,
ଏ ଜଳାର୍ଣ୍ଣବ ପଥ ସତେ
କଷ୍ଟ ଦେଉଥାଇ,
ଏ ରାସ୍ତା ନୁହେଁ ପରା
ଏକ ଅଙ୍କା ବଙ୍କା ନଈ ।

ଝଡ଼ ତୋଫାନର ଭୟ
ଛାତି ଦୁଲୁକାଇ ଦେଇ,
ଲହଡ଼ି ଆଉ କୁମ୍ଭୀର
ଭୟ ଦେଉ ଥାଇ,
ଏ ରାସ୍ତା ନୁହେଁ ପରା
ଏକ ଅଙ୍କା ବଙ୍କା ନଈ ।

ଆସିଗଲି ରାସ୍ତା ଛାଡ଼ି
ତୁମରି ସାହସ ପାଇ,
ଉଭା ହେଲ କେମିତି ଯେ
ମଝି ନଈରେ ଛାଡ଼ିଦେଇ,
ଏ ରାସ୍ତା ନୁହେଁ ପରା
ଏକ ଅଙ୍କା ବଙ୍କା ନଈ ।

ଇସ୍, ଏ ନାବରେ ଯେ କଣା
ପାଣି ପସେ ଭୁସ୍ ଭାସ୍ ହୋଇ,
ଏଡ଼େ ଯେ ନିଷ୍ଠୁର ତମେ
ଚଢ଼େଇଲ ଫୁଟା ଡଙ୍ଗା ନେଇ,
କେମିତି ଫେରିବି ମୁହିଁ
ବାଟ ଦିଶୁନାହିଁ,
ଏ ରାସ୍ତା ନୁହେଁ ପରା
ଏକ ଅଙ୍କା ବଙ୍କା ନଈ ।

– ପ୍ରୀତିରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରୀତିରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।