You are currently viewing ମୋ ପ୍ରିୟର ଚକୁଳି
Mo Priyara Chakuli (ମୋ ପ୍ରିୟର ଚକୁଳି) by Arshi Upasana Kar

ମୋ ପ୍ରିୟର ଚକୁଳି

ଉଦୁଉଦିଆ ଖରା ସମୟଟାରେ ବସ୍‌ର ଠେଲାପେଲା ଭିତରେ ମୁଁ ଠିଆ ହେଇଥାଏ । ଗାଡ଼ି ଯିବ କଟକରୁ ନୟାଗଡ଼ । ସବୁ ସିଟ୍ ଫୁଲ୍, ବସିବାକୁ ବି ଜାଗାଟିଏ ନଥାଏ । ଠିଆ ହେଇ ହେଇ ମୁଁ ବିରକ୍ତ ହେଇଯାଇଥିଲି, ସେଥିପାଇଁ ବ୍ୟାଗ୍‌ରୁ ଫୋନ୍ କାଢ଼ି ଗୀତ ଶୁଣୁଥାଏ । ଆଉ ତା’ ଭିତରେ ଟୁଇଟର, ଫେସବୁକ୍, ଇନଷ୍ଟା, ହ୍ୱାଆଟ୍ସାପ୍ ଆଡ଼େ ମଧ୍ୟ ଘେରାଏ ବୁଲି ଆସିଲିଣି । ଆଉ ବସ୍ ଭିତର ଅବସ୍ଥା ତ ନ କହିବା ଭଲ, ଗରମ ଏତେ ଯେ ଝାଳରେ ମୁଁ ସରସର, ତା’ ଭିତରେ ଗହଳିରେ କିଏ ମୋ ଗୋଡ଼ କୁଦି ଦେଲାଣି ତ କିଏ ମୋ ବ୍ୟାଗ୍ ସାଇଡ୍ କରି ବସ୍ ଚଟାଣରେ ବସିଲାଣି ।

ଏସବୁ ଦେଖି ଅସ୍ତବ୍ୟସ୍ତ ହୋଇ ପଡ଼ୁଥାଏ ମୁଁ, ତଥାପି ସେ ସବୁରୁ ଧ୍ୟାନ ହଟେଇ ଫୋନ୍‌ରେ ଲାଗିଥାଏ । ଆଉ ତା’ ପରେ ହଠାତ୍ ଦେଖିଲି ଶୁଭପଲ୍ଲବର ହ୍ୱାଆଟ୍ସାପ୍ ଷ୍ଟାଟସ୍ । ନିଜକୁ ସମ୍ଭାଳି ପାରିଲିନି କାହିଁକି ନା ମୋର ପ୍ରିୟ ଜିନିଷଟି ତାଙ୍କ ଷ୍ଟାଟସ୍‌ରେ ଥିଲା । ଚକୁଳି କଥା ଭାବି ଭୁଲି ଯାଇଥିଲି ମୁଁ ବସ୍‌ରେ ଠେଲାପେଲା ଭିତରେ ଠିଆ ହେଇଚି । ପାଖ ସିଟ୍ ଖାଲି ହେଲାଣି, ଅଥଚ ମୁଁ ସେମିତି ଠିଆ ହେଇଥାଏ । ଭୋକ ହେଉ ନଥିଲେ ବି ଭୋକ ଟିକେଟିକେ ଲାଗୁଥାଏ । କୋଉଠୁ କେଜାଣି ତା’ ବାସ୍ନା ମଧ୍ୟ ଚାଲି ଆସୁଥାଏ । । ବୋଧେ କିଛି ସମୟ ପାଇଁ ମୁଁ ଭାବନା ରାଇଜରେ ବୁଡ଼ି ଯାଇଥିଲି । ଇଚ୍ଛା ହେଉଥିଲା କିଏ ଆଣି ଦିଅନ୍ତାନି କି ।

ବାସ୍ ତା’ ପରେ ଆଉ କ’ଣ ସଙ୍ଗେସଙ୍ଗେ ଫୋନ୍ ଲଗେଇଲି ବୋଉକୁ । କହିଲି ବୋଉ ବିରି ବାଟି ରଖିଥା ମୁଁ ଚକୁଳି ଖାଇବି । ପହଞ୍ଚିଲା ବେଳକୁ ରାତି ହେବ । ମୋ କଥାରେ ବୋଉ ବି ହଁ ମାରିଲା । ଗାଁ’ରେ ପହଞ୍ଚିଲା ବେଳକୁ ରାତି ନଅଟା । ଘର କଲିଙ୍ଗ୍ ବେଲ୍ ମାରୁ ମାରୁ, ବୋଉ ଆସି କବାଟ ଫିଟେଇବା ଆଗରୁ ଚକୁଳିପିଠାର ବାସ୍ନାରେ ମୋ ଭୋକ ଦ୍ଵିଗୁଣିତ ହେଇ ଯାଉଥାଏ । ଚାରିଆଡ଼େ ମହମହ ବାସୁଥାଏ ତା’ର ବାସ୍ନା । ଆଣିଥିବା ବ୍ୟାଗ୍ ଓ ଜିନିଷପତ୍ର ଥୋଇ ବୋଉକୁ କହିଲି ଆଗ ଖାଇବା ବାଢ଼େ । ନରମ ନରମ ଗରମ ଗରମ ସରୁ ଚକୁଳି ସହ ତରକାରୀ ପରଷି ଦେଲା ସେ । ଚକୁଳିର ସ୍ଵାଦ କ’ଣ କହିବି, ଏତେ ସ୍ୱାଦିଷ୍ଟ ଥିଲା ଯେ ମୋ ପାଖେ ଶବ୍ଦ ନାହିଁ ବର୍ଣ୍ଣନା କରିବାକୁ । ତା’ର ସ୍ଵାଦ ଓ ବାସ୍ନା ହିଁ ଯଥେଷ୍ଟ ତା’ ପ୍ରେମରେ ପଡ଼ିବା ପାଇଁ ।

ଚକୁଳି ଖିଆ ସରିଲା
ମୋ ଭୋକଟି ମରିଲା

– ଆର୍ଷୀ ଉପାସନା କର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆର୍ଷୀ ଉପାସନା କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କ୍ଷୁଦ୍ରଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।