You are currently viewing ତୁମେ ହିଁ ଜାଣିଛ
ତୁମେ ହିଁ ଜାଣିଛ

ତୁମେ ହିଁ ଜାଣିଛ

ମୋ ଦୁଃଖ କଷ୍ଟ ପାଇଁ
ତୁମକୁ କେବେ ଦାୟୀ କରିବିନି,
ମୋ ଦୁଃଖ ଲାଘବ ପାଇଁ
ତୁମ ଆଗେ କେବେ ଅଳି କରିବିନି ।

ତୁମେ ଜାଣିଛ,
କ’ଣ କ’ଣ ଲେଖିଛ, କାହିଁକି ଲେଖିଛ
କେତେ ଦୁଃଖ, କେତେ ସୁଖ
କପାଳରେ ମୋର,
ତୁମର ଯେବେ ଯାହା ମନହେବ,
ତୁମେ ଯେ କରିବ,
କେବେ କାହା କଥା ଶୁଣିଛ ଯେ
ଆଜି ମୋ କଥା ମାନିଯିବ?

ତୁମେ ଯେ ସବୁକାଳେ
ନିଜର ମନମାନି କରିଛ, କରିବ
ହୁଏତ ମୋତେ ହୀରାର ଚମକ ଦେବାକୁ
ପୋତିଦେଲ ଗରମ ଲାଭାରେ
କାଠରୁ କୋଇଲା ପୁଣି
କୋଇଲାରୁ ହୀରା ଗଢ଼ିଦେବ ।

ଯେବେ ତୁମ ମନହେବ
କୁଶଳ କାରୀଗର ତୁମେ
ପଥରକୁ କାଟି ହୀରାର ଚମକ ଦେବ ।

ଗହଣାର ରୂପ ନେବାପାଇଁ
ସୁନାକୁ ବି ଜଳିବାକୁ ହୁଏ
ମୁଁ ସାମାନ୍ୟ ମଣିଷଟିଏ
ମୋ କଥା ଅବା ପଚାରିବ କିଏ?

କେବଳ ତୁମେହିଁ ଜାଣିଛ
ମୋତେ ତୁମେ କେମିତି ଗଢ଼ିବ
କେଉଁଠୁ ଉଠାଇ ପୁଣି କେଉଁଠି ଥୋଇବ ।

ଦୁଃଖ ନାହିଁ ଏଇମିତି ଜଳିବାରେ
ଯଦି ତୁମେ ସାଥିରେ ମୋ ଥିବ
କେବେ ଯଦି ଲୁହଟୋପେ ଝରିଯିବ
ହାତ ବଢ଼ାଇ ଥରେ,
ବନ୍ଧୁ ଭାବି ଲୁହ ମୋର ପୋଛିନେବ ।

– ବିନୟ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍‌ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।