You are currently viewing ତୁମ ସ୍ମୃତି
ତୁମ ସ୍ମୃତି

ତୁମ ସ୍ମୃତି

ତୁମ ସ୍ମୃତି କେବେ ପଦୁଅଁ ପତରେ
ବରଷାର ଗୋଟେ ଟୋପା
ତୁମ ସ୍ମୃତି କେବେ କବିତା ବହିରେ
ପ୍ରେମର ଦି’ଧାଡ଼ି ଛପା

ତୁମ ସ୍ମୃତି କେବେ ଗୋଲାପ ଡାଳରେ
କଣ୍ଟାର ଉପସ୍ଥିତି
ତୁମ ସ୍ମୃତି କେବେ ମଲାଜହ୍ନ ବୋହି
ବାଟ ଚାଲୁଥିବା ରାତି

ତୁମ ସ୍ମୃତି କେବେ ହୋଲିର ଅବିର
ଫଗୁଣ ଆକାଶେ ଉଡ଼ା
ତୁମ ସ୍ମୃତି କେବେ ପୁରୁଣା ବହିର
ମଝି ପୃଷ୍ଠାଟିଏ ମୋଡ଼ା

ତୁମ ସ୍ମୃତି କେବେ ଚଉଁରା ମୂଳରେ
ଜଳୁଥିବା ମାଟି ଦୀପ
ତୁମ ସ୍ମୃତି କେବେ ଖରା ଛୁଟି ରାତି
ଆଈମା କୁହୁକ ଗପ

ତୁମ ସ୍ମୃତି କେବେ ଦଦରା ଛପରୁ
ଝାଙ୍କି ଦେଖୁଥିବା ଜହ୍ନ
ତୁମ ସ୍ମୃତି କେବେ ଆମ୍ବଗଛ ଡାଳେ
କୋଇଲିର ମିଠାସ୍ଵନ

ତୁମ ସ୍ମୃତି କେବେ ଗୋଧୂଳି ସମୟେ
ଗାଈଆଳ ଟୋକା ଗୀତ
ତୁମ ସ୍ମୃତି କେବେ କନ୍ଥା ଭିତରକୁ
ପଶି ଆସୁଥିବା ଶୀତ

ତୁମ ସ୍ମୃତି କେବେ ଶାମୁକା ବୁକୁରେ
ଯତନେ ସାଇତା ମୋତି
ତୁମ ସ୍ମୃତି କେବେ ପୁରୁଣା ରେଡିଓ
ଖୋକା ଭାଇ ପ୍ରେମଗୀତି

ତୁମ ସ୍ମୃତି କେବେ ପରୀକ୍ଷା ସମୟେ
ମୁଣ୍ଡାଏ ନକଲ ଚିଠା
ତୁମ ସ୍ମୃତି କେବେ ମାଣବସା ଦିନ
କାକରା ଆରିଶା ପିଠା

ତୁମ ସ୍ମୃତି କେବେ ଗାଁ ମାଟି ରାସ୍ତା
କେତେ ଢିପ କେତେ ଖାଲ
ତୁମ ସ୍ମୃତି କେବେ ସଦ୍ୟ ଜାତ କୁନି
ଶିଶୁର ନରମ ଗାଲ

ଲେଖିବାକୁ ଗଲେ ଏ କବିତା କେବେ ସରିବନି, କାହିଁକି ଜାଣିଛ…
ଆକାଶରୁ ମାଟି, ମାଟିରୁ ଆକାଶ
ସବୁଥିରେ ତୁମ ସ୍ମୃତି
ତୁମବିନା ତୁମ ସ୍ମୃତି ସାହାରାରେ
ଜୀବନ ମୋ ଯାଏ ବିତି ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।