You are currently viewing ଶେଷ ପ୍ରଶ୍ନ… ତୁମକୁ
Odia Poem Sesha Prasna Tumaku (ଶେଷ ପ୍ରଶ୍ନ... ତୁମକୁ) by Sushama Parija

ଶେଷ ପ୍ରଶ୍ନ… ତୁମକୁ

ତୁମେ ଥିଲ ସମସ୍ତଙ୍କଠୁ ଭିନ୍ନ
ସ୍ଥିତଧୀ, ଦରଦୀ ମଣିଷଟିଏ
ଯିଏ ମାନବତାର ମୂଲ୍ୟ ବୁଝିଥିଲା
ଶୈଶବରେ ଧୂଳି ଖେଳବେଳେ
କାହା ଦେହରେ କ୍ଷତଟିଏ ହେଲେ
ତୁମ ଆଖିରେ ଲୁହ ଆସୁଥିଲା,
ଗାଆଁରେ ଖୁବ୍ ନିକଟରୁ ଦେଖିଥିଲ
ଦାରିଦ୍ର୍ୟର ଯନ୍ତ୍ରଣା ଆଉ ଅସହାୟତାକୁ,
ଗୌତମ ବୁଦ୍ଧଙ୍କ ଭଳି ବ୍ୟସ୍ତ, ବ୍ୟଥିତ ହୋଇ
କହୁଥିଲ, ଏମାନଙ୍କୁ ଏମିତି ମରିବାକୁ ଦେବିନି ମୁଁ ।
ଏଇଠୁ ତିଆରିବି ସ୍ୱର୍ଗ ସେମାନଙ୍କ ପାଇଁ,
ହସିବ ମୋ ଗାଆଁ, ମୋ ମାଆ, ମୋ’ ମାଟି ମା’
ଆଉ ମୋ’ ମାଟି ମାଆର ସନ୍ତାନମାନେ ।

ମାନବ ସେବା ଥିଲା ତୁମ ଜୀବନର ବ୍ରତ,
ବାଲ୍ୟ କାଳରୁ ତୁମର ଲକ୍ଷ୍ୟ ଥିଲା
ଡାକ୍ତର ହେବି, ଜନ ସେବା କରିବି ॥
ଉତ୍କଟ ଦାରିଦ୍ର୍ୟ କି ମଫସଲ ଗାଆଁର
ଅସୁବିଧା ମଧ୍ୟ ତୁମକୁ ତିଳେ ହେଲେ ବି
ବିଚ୍ୟୁତ କରି ପାରିନଥିଲା ତୁମ ଲକ୍ଷ୍ୟ ପଥରୁ,
କଟକର ନିପଟ ମଫସଲିଆ ଗାଆଁରୁ
ତୁମେ ଉଡ଼ାଣ ଆରମ୍ଭ କରି, ଡାକ୍ତର ହୋଇ
ଅକ୍ଳେଶରେ ପହଞ୍ଚି ଥିଲ ବ୍ରହ୍ମପୁରର
ମହାରାଜା କୃଷ୍ଣଚନ୍ଦ୍ର ଗଜପତି
ମେଡିକାଲ କଲେଜ ଓ ହସ୍ପିଟାଲରେ ॥
ପାହାଚ ପରେ ପାହାଚ ଅତିକ୍ରମ କରି
ସଫଳତାର ଶୀର୍ଷକୁ ଯାଇ ଗତବର୍ଷ
ତୁମେ ଆମକୁ ନେଇ ପହଞ୍ଚିଥିଲ ଦିଲ୍ଲୀ
ବଡ଼ ଡାକ୍ତର ହୋଇ ଦିଲ୍ଲୀ ହସ୍ପିଟାଲରେ ॥

ଭୀମଭୋଇଙ୍କ ଭଳି ଜଗତ ଉଦ୍ଧାର କରୁକରୁ
ତୁମ ଉପରେ କେମିତି କେଜାଣି ସେଦିନ
ଅଦୃଶ୍ୟରୁ ଖସି ପଡ଼ିଲା ଶତ୍ରୁର ତୀକ୍ଷ୍ଣ ଖଡ୍ଗ,
ତୁମେ କରୋନା ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଲ,
ଦିଲ୍ଲୀର ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ,
ଆଉ ମୁଁ, ତୁମରି ପ୍ରାଣପ୍ରିୟା ପତ୍ନୀ, ବାଧ୍ୟ ହେଲି
ଆମ ପ୍ରେମର ଏକମାତ୍ର ସନ୍ତକ ଆମ ଝିଅକୁ ଧରି
ଓଡିଶାକୁ ଫେରି ଆସିବା ପାଇଁ ॥

କାଇଁ ଥରେ ହେଲେ କହିଲ ନାହିଁ ତ,
ପ୍ରିୟେ ! ଏଇ ଆମର ଶେଷ ଦେଖା ବୋଲି,
ଏଠି ମୁଁ କିମ୍ସ କୋଭିଡ୍ ହସପିଟାଲ୍‌ରେ ବନ୍ଦୀ,
ଜାଣେନା ଆମ ଝିଅ ଏଇଠି କୋଉ ଶଯ୍ୟାରେ ବନ୍ଦୀ,
ହେଲେ, ତମେ?
ମୁହୁର୍ତ୍ତଟିଏ ମତେ ପାଖରୁ ଛାଡ଼ୁନଥିବା
ମୋର ପତିପରମେଶ୍ଵର,
କେମିତି ଆମକୁ ଅଥଳ ସାଗର ମଝିରେ
ଏକା ଛାଡ଼ି ଚାଲିଗଲ କେଉଁ ଅଫେରା ରାଜ୍ୟକୁ?
କେଉଁ ଅଭିମାନରେ ଶେଷ ଦେଖା ବି ଦେଲ ନାହିଁ?
ସେଇ ପରଦେଶରେ ହଜିଗଲ,
ଲୀନ ହୋଇଗଲ ପଞ୍ଚଭୂତରେ?
କେମିତି ବଞ୍ଚିବି ମୁଁ !? କେମିତି ବଞ୍ଚିବ ଆମ ଝିଅ?
କେମିତି? କେମିତି?? କେମିତି???
ଥରେ ହେଲେ ତ କୁହ… କୁହ ନା…

(ଆମ ବାଙ୍କୀ ମାଟିର ଗର୍ବ ଆଉ ଗୌରବ କରୋନା ଯୋଦ୍ଧା ସ୍ୱର୍ଗତ ଡାକ୍ତର ଶ୍ରୀ ଅଶ୍ୱିନୀ କୁମାର ପ୍ରତାପଙ୍କ ସ୍ମୃତିରେ । ଦିବଂଗତ ଆତ୍ମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି)

– ସୁଷମା ପରିଜା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଷମା ପରିଜା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।