You are currently viewing ଚକୁଳି ପିଠା
Odia Poem Chakuli Pitha (ଚକୁଳି ପିଠା) by Sasmita Pradhan

ଚକୁଳି ପିଠା

ମୋ ରାଜ୍ୟ ଓଡ଼ିଶା
ଓଡ଼ିଆ ମୋ ଭାଷା
ସବୁଠାରୁ ଅଟେ ମିଠା ।
ବାରମାସେ ହୁଏ
ତେର ପରବ ଲୋ
ନିଆରା ଚକୁଳି ପିଠା ॥

ଅରୁଆ ଚାଉଳ
ବିରିକୁ ତିନ୍ତେଇ
ଚିକ୍କଣ କରି ବାଟି ।
ପଲମ ବସେଇ
ବୋଉ କଲେ ପିଠା
ଚୁଲି ପାଖେ ଜମେ ଖଟି ॥

ଚିନି, ଗୁଡ଼, ମିଠା
ଭଜା କି ଚଟଣୀ
ସାଥିରେ ଟିକିଏ ଥିଲେ ।
ଚକୁଳି ସହିତ
ଖାଇବାକୁ ମଜା
ଉଚ୍ଛନ୍ନ ହୁଅନ୍ତି ପିଲେ ॥

ଗହ୍ମା ପୂର୍ଣ୍ଣିମାରେ
ଚିତାଉ ଲାଗିରେ
ଖୋଜା ପଡ଼ଇ ଚକୁଳି।
ଭାରି ମଜାଲାଗେ
ଗରମ ଗରମ
ଖାଆନ୍ତି ସଭିଏଁ ମିଳି ॥

ବିଭିନ୍ନ ପ୍ରକାର
ଚକୁଳି ହୁଅଇ
ଆମରି ଓଡ଼ିଆ ଘରେ ।
ସରୁ ଚକୁଳି ସେ
ଭାରି ମୁସ୍ ମୁସ୍
ପୁର ଥାଏ ତା’ ଭିତରେ ॥

ଚକୁଳି ପାଖରେ
ଫିକା ପଡ଼ିଯାଏ
ବରଗର୍, ମ୍ୟାଗି, ପିଜା
ଖାଇଲେ ଜାଣିବ
ହାତ ଚାଟୁଥିବ
ଥରେ ପାଇଲେ ତା’ ମଜା ॥

ଓଡ଼ିଆ ଘରେ ସେ
ଚକୁଳି ପିଠା ଲୋ
ବିଦେଶୀ କୁହନ୍ତି “ଦୋସା” ।
ଭୁଲି ହୁଏ ନାହିଁ
ଭାରି ସୁଆଦିଆ
ଘାରି ହୁଏ ଖାଲି ନିଶା ॥

– ସସ୍ମିତା ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।