You are currently viewing ଛାଡ଼ପତ୍ର
Odia Story Chhadapatra (ଛାଡ଼ପତ୍ର) by Bijay Kumar Ghadei

ଛାଡ଼ପତ୍ର

ଦୀର୍ଘ ପାଞ୍ଚ ବର୍ଷ ପରେ ସ୍ମିତା ଓ ରାହୁଲ୍ ମଧ୍ୟରେ ଥିବା ବିବାଦର ଆଜି ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ସ୍ମିତା ରାହୁଲ୍‌ଙ୍କ ଠାରୁ ବିବାହ ସମୟରେ ବାପଘରୁ ପାଇଥିବା ସମସ୍ତ ଜିନିଷ ପତ୍ର ଫେରିପାଇବା ସହ ରାହୁଲ୍‌ଙ୍କ ଠାରୁ ଛାଡ଼ପତ୍ର ପାଇଁ ମାନ୍ୟବର କୋର୍ଟଙ୍କୁ ଆବେଦନ କରିଥିଲେ । ରାହୁଲ ଏ ପାଞ୍ଚ ବର୍ଷ କାଳ ନ୍ୟାୟ ପାଇଁ ନୁହଁ କେବଳ ସ୍ମିତାର ମାନସିକତାକୁ ବଦଳାଇବା ପାଇଁ କେସ୍ ଲଢ଼ୁ ଥିଲା । ଯାହାର ଫଳ ଆଜି ମିଳିବାର ଅଛି । ସ୍ମିତା ଏତେ ଦିନ ପରେ ନ୍ୟାୟ ମିଳିବ ବୋଲି ବହୁତ ଖୁସି ଥିଲେ ବୋଲି ତାଙ୍କ ମୁଁହଁରୁ ବେଶ୍ ବାରିହୋଇ ପଡ଼ୁଥିଲା । ଦୁହେଁ ନିଜ ନିଜର ଓକିଲମାନଙ୍କ ସହ ଆସି କୋର୍ଟରେ ପହଞ୍ଚିଲେ । ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ରାହୁଲ୍ ସ୍ମିତାର ମନ ପରିବର୍ତ୍ତନ ଆଶାରେ ଥାଆନ୍ତି । କିନ୍ତୁ ଯେତେବେଳେ କୋର୍ଟରେ ସେ ଦୁହେଁ ସାମ୍ନାସାମ୍ନି ହେଲେ ସେତେବେଳେ ସ୍ମିତାର ବ୍ୟବହାର ଆଜୀବନ ଶତ୍ରୁ ଭଳି ଥିଲା । ତେଣୁ ରାହୁଲ୍‌ର ସମସ୍ତ ଆଶା ମଳିନ ପଡ଼ି ଯାଇଥିଲା ।

କୋର୍ଟରେ ଜଜ୍ ମଧ୍ୟ ପରାମର୍ଶ ଦେଲେ ଯେ ଅପୋଷ ବୁଝାମଣା ପାଇଁ । ଆଉ ଥରେ ନିଜ ନିଜ ଭିତରେ ସମସ୍ୟାର ସମାଧାନପାଇଁ, ମାତ୍ର ସ୍ମିତାର ଜିଦ୍ ଆଗରେ ସବୁ କିଛି ମୂଲ୍ୟହୀନ ଥିଲା । ଶେଷରେ ଉଭୟ ଛାଡ଼ପତ୍ର ଦସ୍ତାବିଜ୍‌ରେ ଦୁହେଁ ଦସ୍ତଖତ କଲେ । ମାନ୍ୟବର କୋର୍ଟଙ୍କ ଆଦେଶ ଅନୁସାରେ ସ୍ମିତା ବାପାଙ୍କ ସହ ରାହୁଲ୍‌ଙ୍କ ଘରକୁ ଗଲେ ଓ ସେ ବିବାହ ସମୟରେ ପାଇଥିବା ସମସ୍ତ ଜିନିଷପତ୍ର ଚିହ୍ନଟ କରି ନେବା ପାଇଁ ଏକ ଗାଡ଼ିର ବନ୍ଦୋବସ୍ତ କଲେ । ଉଭୟ ରାହୁଲର ଘର ଭିତରକୁ ପ୍ରବେଶ କଲେ । ରାହୁଲ ସ୍ମିତାକୁ କହିଲା, “ଏ ସବୁକିଛି ତୁମର । ତୁମର ଯାହା ନେବାର ଅଛି ନେଇ ଯାଅ ମୁଁ କିଛି ବି ମନା କରିବି ନାହିଁ ।” ଏହା କହି ସେ ଘର ବାହାରକୁ ଚାଲିଗଲେ । ଆଗକୁ ଆଗକୁ ପ୍ରବେଶ କରୁ କରୁ ସ୍ମିତାଙ୍କର ଆଖି ପ୍ରଥମେ ପଡ଼ିଲା ଡ୍ରଇଁ ରୁମ୍‌ର କାନ୍ଥରେ ଝୁଲୁଥିବା ଦୁହିଁଙ୍କର ସେଇ ପୁରୁଣା ଦିନର ଫଟୋ ଉପରେ । ତା’ପରେ ବିବାହର ପ୍ରଥମ ଦିନରେ ରାହୁଲ୍ ଦେଇଥିବା ସେଇ କାନ୍ଥ ଘଣ୍ଟା ଉପରେ ଯାହା ପ୍ରତ୍ୟେକ ଘଣ୍ଟାରେ ଥରେ ସ୍ମିତା… ସ୍ମିତା… ସ୍ମିତା… ବାଦ୍ୟ ତାଳ ସହ ରାହୁଲଙ୍କର କଣ୍ଠ ସ୍ୱର ଥିଲା । ତା’ ପରେ ତାଙ୍କର ଆଖି ପଡ଼ିଲା ରାହୁଲର ବାପାମାଆଙ୍କ ଫଟୋ ଉପରେ, ଯାହାଙ୍କୁ ଛାଡ଼ି ରାହୁଲ ଆଜି ସ୍ମିତା ପାଇଁ ଗାଆଁ ଛାଡ଼ି ପରିବାର ଛାଡ଼ି ସହରକୁ ଚାଲି ଆସିଛି । ଏ ସବୁ କୌଣସି ସ୍ମୃତି ବି ତାଙ୍କର ମାନସିକ ସ୍ଥିତିକୁ ବଦଳାଇ ପାରୁ ନଥିଲା । ଲାଗୁଥିଲା ସତେ ଯେପରି ରାହୁଲଠାରୁ ହିଁ ତାଙ୍କଠୁ ଅଲଗା ହେବାର ଅଛି ।

ଘଟଣାକ୍ରମ ଏମିତି ଥିଲା ଦିନେ ସେମାନଙ୍କ ମଧ୍ୟରେ କୌଣସି ଏକ ଛୋଟ କଥାକୁ ନେଇ କଥାକଟା କଟି ହୋଇଥିଲା । ରାହୁଲ କ୍ରୋଧିତ ହୋଇ ସ୍ମିତା ଉପରକୁ ହାତ ଉଠେଇ ଥିଲେ, ମାତ୍ର ମାରି ନଥିଲେ । ଏଥିପାଇଁ ରାହୁଲ ବି ସ୍ମିତାଙ୍କୁ ଭୁଲ ମାଗିସାରିଛନ୍ତି, ଆଉ ଅନୁତାପ ବି କରିଛନ୍ତି କିନ୍ତୁ ସ୍ମିତାଙ୍କୁ ବୁଝେଇ ପାରିନାହିଁ । ଯାହା ଶେଷରେ ଛାଡ଼ପତ୍ରର ରୂପ ନେଇଛି । ସ୍ମିତାର ବାପାମାଆ ବି ସ୍ମିତାଙ୍କୁ ଅନେକଥର ବୁଝେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସ୍ମିତାଙ୍କୁ କାହାରି କଥା ଠିକ୍ ଲାଗୁ ନ ଥିଲା । ନିଜ ଜିଦ୍‌ରେ ଅଟଳ ଥିଲେ ସେ ।

ବାପଘରୁ ଆଣିଥିବା ସମସ୍ତ ଜିନିଷପତ୍ର ଗାଡ଼ିରେ ଲୋକମାନଙ୍କ ଦ୍ୱାରା ଲଦା ଚାଲିଥିଲା । ଏହି ସମୟରେ ସ୍ମିତା ଟିକିଏ ରାହୁଲଙ୍କ ଟାସ୍କ ଟେବୁଲ ପାଖକୁ ଚାଲି ଯାଇ ଦେଖିଲେ ଗୋଟିଏ ଏନ୍-ଭଲ୍-ପ୍‌ଟିଏ ଥୋଆ ଯାଇଛି । ସେ ତାକୁ ଖୋଲି ଦେଖିଲେ ଯେ ସେଥିରେ କିଛି କାଗଜପତ୍ର ସହ ଗୋଟିଏ ଚିଠି ରହିଛି । ଯେଉଁ ଚିଠିଟି ଥିଲା ତାଙ୍କ ଗାଆଁରେ ଥିବା ତାଙ୍କ ବାପାଙ୍କ ପାଖକୁ । ଯେଉଁଥିରେ ଲେଖା ଥିଲା –

ହେ ମୋର ପ୍ରିୟ ବାପା, ତୁମର ଏ ଅଯୋଗ୍ୟ ପୁଅଟିକୁ କ୍ଷମା କରିଦେବ । ମୁଁ ମୋର ସମସ୍ତ ଦୁଃଖ ସୁଖ ତୁମକୁ ଫୋନ୍ ମାଧ୍ୟମରେ ଜଣାଏ । କିନ୍ତୁ ଆଜି ମୁଁ ପ୍ରଥମ ଆଉ ଶେଷଥର ପାଇଁ ତୁମକୁ ଚିଠିଟି ଲେଖିଛି । ଭାଇ ସହ ତୁମେ ଖୁସିରେ ରୁହ । ଆସନ୍ତା କାଲି କୋର୍ଟରେ ଚାଲିଥିବା କେସ୍‌ଟିର ପୁର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ମୁଁ ଜାଣେ କାଲି ନିଶ୍ଚୟ ସ୍ମିତା ମୋ’ଠାରୁ ଡିଭୋର୍ସ ନେବେ । ଆଉ ମୁଁ ମଧ୍ୟ କିଛି କରିପାରିବିନି । ବୋଧ ହୁଏ ସେ ମୋ ସହ ଖୁସିରେ ନ ଥିଲେ । ସେ ଏବେ ତାଙ୍କ ଇଚ୍ଛାରେ ଜୀବନ ଜିଇଁବାକୁ ଚାଁହୁଛନ୍ତି । ଆଜି ମୁଁ ନିରୁପାୟ । ମୁଁ ମୋର ଏଠିକାର ସମ୍ପତ୍ତି ଆଉ ଗାଡ଼ିଟି ସ୍ମିତା ନାଆଁରେ କରି ଦେଇଛି । ଆଉ ସ୍ମିତାଙ୍କର ସବୁବେଳେ ଚାକିରୀ କରିବାକୁ ଇଚ୍ଛା ଥିଲା, ତେଣୁ ମୁଁ ଆମ କମ୍ପାନୀର ମାଲିକଙ୍କୁ ଅନୁେରାଧ କରି ମୋ ଚାକିରୀଟିକୁ ସ୍ମିତା ନାଁଆରେ କରିଦେଇଛି । କେବେ ଯଦି ସ୍ମିତାଙ୍କର ଆଉ କିଛି ସାହାଯ୍ୟ ଦରକାର ପଡ଼େ, ତୁମ ପୁଅ ରାହୁଲ୍ ଭାବି ସାହାଯ୍ୟ କରିବ ବାପା । ସ୍ମିତା ତୁମକୁ ଲାଗିଲା ବାପା । ମୁଁ ତୁମକୁ ଏହି ଚିଠି ସହ ମୋ ସମ୍ପତ୍ତି, ଗାଡ଼ି, ବ୍ୟାଙ୍କ୍ ବ୍ୟାଲାନସ୍, ଆଉ ଡିଭୋର୍ସର ଏକ ଦସ୍ତାବିଜ୍ ପଠେଇ ଦେଇଛି, ତୁମେ ସ୍ମିତାକୁ ଟିକିଏ ଦେଇଦେବ । ମୁଁ ଆଉ ପାରୁନି ବାପା । ଶରୀରରୁ କଲିଜାଟିକୁ କେହି କାଢ଼ିନେଲା ପରି ମୋତେ ଲାଗୁଛି । ଯଦି ମୋ ତରଫରୁ କାହା ପ୍ରତି କିଛି ଅବହେଳା ଓ ଭୁଲ୍ ରହିଯାଇଥିବ ମୋତେ ତୁମର ବଡ଼ ପଣରେ କ୍ଷମା କରିଦେବ ବାପା । ରହିଲି ।

ଇତି ତୁମ ରାହୁଲ୍ ।

ଏହା ପଢ଼ି ସରିବା ପରେ ସେ ଚିଠି ଖଣ୍ଡିକୁ ଫୋପାଡ଼ି ଦେଇ ଦୌଡ଼ି ଦୌଡ଼ି ଯାଇ ରାହୁଲ୍ ରାହୁଲ୍ ଡାକ ପକାଇ ବଗିଚା ଆଡ଼କୁ ଗଲେ । ପୁଣି ସେ ବାଡ଼ି ପଟକୁ ଗଲା, ପୁଣି ସେ ଡାକି ଡାକି ଘରର ସମସ୍ତ ରୁମ୍‌ରେ ଖୋଜିଲେ କିନ୍ତୁ ପାଇଲେ ନାହିଁ । ବାହୁନି ବାହୁନି କାନ୍ଦି କାନ୍ଦି ସେ ଜୋର ପାଟିରେ କହୁଥାଆନ୍ତି, “ମୋର ବହୁତ ବଡ଼ ଭୁଲ ହୋଇଯାଇଛି ରାହୁଲ୍ । ମୋ ଦ୍ୱାରା ତୁମ ପ୍ରତି ଏକ ବହୁତ ବଡ଼ ଭୁଲ ହୋଇଯାଇଛି । ମୋତେ କ୍ଷମା କର । ମୋତେ ତୁମେ ଏକା କରି କୁଆଡ଼େ ଗଲ । ମୁଁ ତୁମର ସେଇ ସ୍ମିତା । ତୁମ ସାତ ଜନ୍ମର ସାଥି । ମୋ ପାଖକୁ ଫେରିଆସ ପ୍ଲିଜ୍… ଫେରିଆସ… ପ୍ଲି…ଜ୍…. । ଏମିତି ସେ ଆଉ ଘରକୁ ଫେରି ନପାରି ସେଇଠି ରାହୁଲ୍‌ଙ୍କୁ ଖୋଜିବାରେ ଲାଗିଲେ । ତାଙ୍କର ସମସ୍ତ ସାଙ୍ଗସାଥି ଓ ସମ୍ପର୍କୀୟଙ୍କୁ ଯୋଗାଯୋଗ କଲେ କିନ୍ତୁ କିଛି ଖବର ପାଇଲେ ନାହିଁ ।

ସମୟ ପାଖାପାଖି ପାଞ୍ଚଟା; ସୂର୍ଯ୍ୟଙ୍କ ବୁଡ଼ିବା ସମୟ । ବସନ୍ତ ଋତୁର ମଳୟ ପବନ ତାଙ୍କ ମାନଙ୍କୁ ସାନ୍ତ୍ୱନା ଦେଇ ପାରୁନଥିଲା । ଠିକ୍ ଏହି ସମୟରେ ଏକ ଅମ୍ୱୁଲାନ୍ସଟିଏ ଘର ଆଡ଼କୁ ଆସୁଥିବାର ଦେଖିଲେ ସ୍ମିତା । ଆମ୍ୱୁଲାନ୍ସଟି ଆସି ଘର ଆଗରେ ଛିଡ଼ା ହୋଇଗଲା । ଆଉ ଦୁଇଜଣ ଓହ୍ଲାଇ ଆସି ସ୍ମିତାଙ୍କୁ ପଚାରିଲେ ଆପଣ ରାହୁଲ୍ ବାବୁଙ୍କର କ’ଣ ହେବେ? ସ୍ମିତା ଆବାକ୍ ହୋଇ କହିଲେ, “ଆଜ୍ଞା ମୁଁ… ମୁଁ.. ମୁଁ ରାହୁଲ୍‌ଙ୍କ ପତ୍ନୀ । କ’ଣ ହୋଇଛି ଆଜ୍ଞା?” ସେମାନେ କହିଲେ, “ଆପଣ ଏଇଠି ସିଗ୍ନେଚର୍ ମାରି ଡେଡ୍ ବଡିକୁ ନେଇ ଯାଆନ୍ତୁ । ଏକ ଗାଡ଼ି ଦୁର୍ଘଟଣାରେ ରାହୁଲ ବାବୁଙ୍କର ସ୍ପଟ୍ ଡେଥ୍ ହୋଇଯାଇଛି । ଆଉ ଆପଣମାନଙ୍କ ସହ କୌଣସି ଯୋଗସୁତ୍ର ସ୍ଥାପନ ହୋଇ ନପାରିବାରୁ ଜଣେ ଭଦ୍ର ବ୍ୟକ୍ତି ନିଜ ପରିଚିତ ବୋଲି ପରିଚୟ ଦେଇ ହସ୍ପିଟାଲରେ ଭର୍ତ୍ତି କଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।” ଏହା କହି ସେମାନେ ତାଙ୍କଠୁ ସିଗ୍ନେଚର ନେଇ ଡେଡ୍ ବଡିକୁ ତାଙ୍କ ପାଖରେ ରଖିଦେଇ ଚାଲିଗଲେ ।

ସେଦିନର ଛୋଟିଆ ଭୁଲ୍ ନିଷ୍ପତ୍ତିଟିଏ ସତରେ କେତେବଡ଼ ସମୟର ସୁଅକୁ ବଦଳାଇ ଦେଲା ତାହା ଶେଷରେ ସ୍ମିତା ବୁଝିପାରିଲେ ସିନା ହେଲେ ରାହୁଲ୍ ତାଙ୍କ ପାଖକୁ ଆଉ କେବେ ଫେରି ଆସି ପାରିଲେ ନାହିଁ ।

– ବିଜୟ କୁମାର ଘଡ଼େଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଜୟ କୁମାର ଘଡ଼େଇ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।