ଜନ୍ମଦିନ ଥିଲେ ମା’ ଚକୁଳି କରେ । ପୃଥିବୀ ପରି ଗୋଲ । ସାଙ୍ଗରେ ଖୀରି, ଡାଲମା ଆଉ କେତେ କ’ଣ । ନୂଆ ଡ୍ରେସ ପିନ୍ଧି ପାଦ ତଳେ ଲାଗେନି । ବଡ଼ବଡୁଆଁଙ୍କ ପାଖରେ ଭୋଗ ହେବା ପରେ ମା’ ବାଢ଼ିଦିଏ ଗରମଗରମ । ମୁଁ ଚଟକରି ଥାଳିରୁ ଉଠାଇ ମା’ ଆଡ଼କୁ ଅନାଏ । ତା’ର କୁନି କୁନି କଣା ବାଟେ ମୋ’ ପୃଥିବୀକୁ ଦେଖିବାକୁ ଚାହେଁ । ହେଲେ ପାରେନା । ରାଗ ଲାଗେ । ତଥାପି ବାରବାର ମୁଁ ସେମିତି କରେ ଜନ୍ମଦିନରେ ।
ମୋତେ ତିରିଶ ଡେଇଁ ଚାଳିଶି ଛୁଇଁଲାଣି । ଶାଶୁଘରକୁ ଆସିବାର ଦଶନ୍ଧୀ ବିତି ଗଲାଣି । ଏବେ ବି ଜନ୍ମଦିନ ଆସେ । ଘରକୁ ଯାଇ ହୁଏନା । ହେଲେ ମା’ ମୋର ସେମିତି କରିଆସୁଛି ଚକୁଳି… ପୃଥିବୀ ପରି ଗୋଲ । ମୁଁ ଭାରି ଖୋଜେ… ଆଖି ଓଦା ହୁଏ ବାରବାର । ସେଥିପାଇଁ ଆଉ ଜନ୍ମଦିନ ସେତେବେଳ ଭଳି ଭଲ ଲାଗେନି…
– ସାଗରିକା ପଟ୍ଟନାୟକ