You are currently viewing ନାରୀର ଅନ୍ତଃସ୍ୱର
ନାରୀର ଅନ୍ତଃସ୍ୱର

ନାରୀର ଅନ୍ତଃସ୍ୱର

ହେ ଈଶ୍ୱର
ତୁମେ ପରା ଏ ଜଗତର ହର୍ତ୍ତା, କର୍ତ୍ତା ଦଇବ ବିଧାତା
ତେବେ ତୁମ ସୃଷ୍ଟିରେ ଏ କି ବିବିଧତା?
ନାରୀ ଆଉ ପୁରୁଷ ମଧ୍ୟରେ
ରହିଛି କାହିଁକି ଏତେ ଭେଦଭାବତା??

ନାରୀ ପୁରୁଷ ଯଦି
ଗୋଟିଏ ସରଳରେଖାର ଦୁଇଟି ଅଂଶବିଶେଷ
ତେବେ ନାରୀ ପାଇଁ କାହିଁକି ଏତେ ବର୍ଣ୍ଣବୈଶଷ୍ୟ??

ସମୟ ସ୍ରୋତରେ ବଦଳିଛି ସିନା
ମଣିଷର ଚାଲି ଚଳନ ରୀତି ନୀତି
କିନ୍ତୁ ବଦଳୁନି କାହିଁକି ନାରୀ ପ୍ରତି
ସ୍ନେହ ଶ୍ରଦ୍ଧା ଭାବ ପ୍ରୀତି??

ଆଜି ବି କାହିଁକି ଏ ସମାଜ
ନାରୀକୁ ଭାବୁଛି ତୁଚ୍ଛ
ସତରେ କ’ଣ ନାରୀଟିର
ସ୍ଥାନ ଏତେ ନିଚ୍ଚ??

ଯେଉଁ ନାରୀଠାରୁ ସୃଷ୍ଟି ଏ ସଂସାର
ସେଇ ନାରୀପ୍ରତି କାହିଁକି ଏ ବ୍ୟବହାର
ଯଦି ଏ ସମାଜ ବୁଝୁଥାନ୍ତା ନାରୀର ମହତ୍ତ୍ୱ
ତେବେ ରୁହନ୍ତାକି ଏ ସମାଜେ
କନ୍ୟା ଭ୍ରୂଣହତ୍ୟା, ନାରୀ ନିର୍ଯ୍ୟାତନା
ଆଉ ଧର୍ଷଣ ପରି କଳଙ୍କର ଅସ୍ତିତ୍ୱ??

ନାରୀର ଜନ୍ମ ଯଦି ଏ ସଂସାରରେ
ହେବାପାଇଁ ନିଷ୍ପେଷିତା, ନିର୍ଯ୍ୟାତିତା
ତେବେ ଏ ସମାଜ ମାଟିର ପ୍ରତିମାକୁ
ଏତେ ଚାକଚକ୍ୟରେ ସଜାଇ
ପୂଜି ପାଉଛି କି ଯଥାର୍ଥତା??

ନାରୀ ସଶସ୍ତ୍ରୀକରଣ ପାଇଁ ଗଢ଼ା
ଏଠି କେତେ ଯେ ଜନମୋର୍ଚ୍ଚା
ତଥାପି ନାରୀଟି ପ୍ରତି ମୁହୂର୍ତ୍ତରେ ହୁଏ ଶୋଷିତା
ତେଣୁ ପ୍ରଭୁ ତୁମ ପାଦତଳେ ମୋର ଏତିକି ଜଣାଣ
ଯୋଡ଼ି ଦିଅ ସୃଷ୍ଟିର ଇତିହାସେ ଆଉ ଏକ ଫର୍ଦ୍ଦ
ଗଢ଼ିଦିଅ ନୂତନତାର ଆଉ ଏକ ଶବ୍ଦ
ଯେଉଁଠି ପ୍ରତିକ୍ଷଣେ ନାରୀଟିଏ ପାଉଥିବ ପୂଜା
ସେଇଠି ଉଡ଼ିବ ସଦା ବିଜୟର ଧ୍ଵଜା ।

– ଡା.ରାଜକୁମାରୀ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ରାଜକୁମାରୀ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।