You are currently viewing ସୀମାବଦ୍ଧ ଆଶା
ସୀମାବଦ୍ଧ ଆଶା

ସୀମାବଦ୍ଧ ଆଶା

ଚୁଇଁଗମ୍‌ର ଅସ୍ତିତ୍ୱ ସମାପ୍ତି
ଚେଷ୍ଟାରେ ଧାଡ଼ି ଧାଡ଼ି ମାଢ଼ି ଦାନ୍ତ
ଶକ୍ତିହୀନ ହୋଇ
ଆଣ୍ଠୁ ମାଡ଼ି ବସି ପଡ଼ନ୍ତି !

ବେପରୁଆ ଅସମ୍ଭବ ଆଶାମାନଙ୍କୁ
ପୂରଣ କରିବାରେ
ନିଅଣ୍ଟ ପଡ଼େ ଅର୍ଜିତ ସମ୍ପତି !

ବିପରୀତ ମୁହାଁ ପବନ ଆଗରେ
ହାର୍ ମାନେ ରଙ୍ଗୀନ୍ ଗୁଡ଼ି
ଅନାୟାସେ ଖସିପଡ଼େ ଯାଇ
କୋଉ ଏକ ମେନ୍ ଗେଟ୍‌ର
ଦାନ୍ତି କବାଟ ଉପରେ !

ସୀମାଠୁ ଆଗକୁ ଚାଲି ଯାଏ ଆଶା
ପଛକୁ ଫେରି ଚାହିଁଲେ ଜାଣେ
ସୀମା କାନ୍ଥର ଉଚ୍ଚତା କେତେ !

ବାଷ୍ପୀଭୂତ ହୋଇ
ଉଠିଥିବା ଜଳରାଶି
ପୁଣି ବର୍ଷା ବୁନ୍ଦା ସାଜି
ମାଟି ମୁହାଁ ହୁଅନ୍ତି !

ଶ୍ରେଷ୍ଠ ଓ ଶୀର୍ଷର ପାହାଚ
ବେଳେ ବେଳେ ଶିଉଳି
ଚାଦରରେ ଢାଙ୍କି ହୋଇଥାଏ
ଖସି ଯାଏ ପାଦ
ଭାଙ୍ଗେ ଆଶା ମେରୁଦଣ୍ଡ
ସାରା ଜୀବନର ଠୋଳ ଧନ
ନିଅଣ୍ଟ ପଡ଼େ ସୌଷଧ
ଖର୍ଚ୍ଚରେ !

ଖୋଲା ଆକାଶର
ଉଚ୍ଚତା ମାପିବା ଚେଷ୍ଟାରେ
ଥକି ପଡ଼ିଥିବା
ଆଶା ଚଢ଼େଇ
ପୁଣିଥରେ ସଞ୍ଜରେ
ବସା ମୁହାଁ ହୁଏ !
ସେ ବୁଝିପାରେ
ନିଜର ଅସ୍ତିତ୍ୱ
ଅତିରୁ ଇତି
ଶବ୍ଦର ମହତ୍ତ୍ୱ
ହୃଦୟଙ୍ଗମ କରେ
ସେ ବି ସୀମାବଦ୍ଧ !

– ତପନ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତପନ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତି କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଥାଏ ।