You are currently viewing ମୁଁ କିଏ?
ମୁଁ କିଏ?

ମୁଁ କିଏ?

ମୁଁ,
ମୁଁ ଆଦ୍ୟଚିରନ୍ତିନୀ
ଜନନୀ, ଜାୟା, ଭଗିନୀ
ସୃଷ୍ଟିକର୍ତ୍ତ୍ରୀ, ତ୍ରାଣକର୍ତ୍ତ୍ରୀ
ମୁଁ ମଧ୍ୟ ସଂହାରକର୍ତ୍ତ୍ରୀ ।

ମୁଁ,
ଜୀବନଯାତ୍ରାରେ
ମୁଁ ଏକ ନାୟିକା
ମୁଁ ଦୁହିତା,
ନିଭାଏ କେବେ ଝିଅ
ତ କେବେ ବଧୂର ଭୂମିକା ।

ମୁଁ,
ରୋଷଘର ଝରକା ଫାଙ୍କରୁ ଦିଶୁଥିବା
ହାତେ ଲମ୍ବାର ଓଢ଼ଣା ଟାଣିଥିବା
ସେହି ଝାପସା ମୁହଁ ।

ମୁଁ,
ଗବେଷଣାଗାରର ସେ ବିଜ୍ଞାନୀ
ଓ.ଟି.ରେ ପ୍ରାଣ ରକ୍ଷାକାରୀ ସର୍ଜନ
ମୁଁ ମଧ୍ୟ ଅନେକ ଉଦ୍ଭାବନାର ଜନନୀ ।

ମୁଁ,
ମୋର ଏମିତି କେତେ ରୂପ
ମୁଁ ଏକ ସମ୍ପୂର୍ଣ୍ଣ କାହାଣୀ
ନା ସେ କାହାଣୀର ନାୟିକା
ଅବା ଏକ ଅସମ୍ପୂର୍ଣ୍ଣ ପରିଚ୍ଛେଦ ।

ମୁଁ,
ଅସମ୍ପୂର୍ଣ୍ଣା, ତଥାପି ସମ୍ପୂର୍ଣ୍ଣା
ଅପରିପୂର୍ଣ୍ଣା, ତଥାପି ପରିପୂର୍ଣ୍ଣା
ମୁଁ ଏକ ରଙ୍ଗାୟିତ ବିବର୍ଣ୍ଣା ।

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।