You are currently viewing କିଛି ସତ ଲୁଚି ଯାଏ
କିଛି ସତ ଲୁଚି ଯାଏ

କିଛି ସତ ଲୁଚି ଯାଏ

କିଛି ସତ ଲୁଚି ଯାଏ ନ୍ୟାୟର ବଜାରରେ
ଅବିହିତ ଭାବେ ପ୍ରକାଶିତ ହେବା ଭୟରେ
କିଛି ସତ ଲୁଚି ରହେ ଚିରକାଳ ଲାଗି
ଲୋଚନର ଶୁଷ୍କ ନୀରବ ପତ୍ର ଆଢୁଆଳରେ
କିଛି ସତ ଲୁଚି ରହେ ଭିନ୍ନାର୍ଥବୋଧକ ଗୋଟିଏ ଶବ୍ଦରେ
ଅନେକଙ୍କୁ ବିଭ୍ରାନ୍ତ କରିବା ଆଶାରେ
କିଛି ସତ ଲୁଚି ରହେ ଭାସ୍କର କରେ
ଉନ୍ମୋଚନ ହୁଏ ଯାହା ଅମାବାସ୍ୟା ରଜନୀରେ
କିଛି ସତ ଲୁଚି ରହେ କଜ୍ଜଳ ଗାରରେ
ଯାହା ବହିଯାଏ ଲୋତକ ଧାରେ
କିଛି ସତ ଲୁଚି ଯାଏ କୋଳାହଳ କରୁଥିବା ତରଙ୍ଗିଣୀ ଧାରେ
ଯାହା ନିଶବ୍ଦ ହୋଇଯାଏ ପୟୋଧି ଗର୍ଭରେ
କିଛି ସତ ଲୁଚି ରହେ ରକ୍ତ ଜୁଡ଼ୁବୁଡ଼ୁ ହୃଦୟରେ
ମନର ଭାବକୁ ଲୁଚେଇବା ତାତ୍ପର୍ଯ୍ୟରେ
କିଛି ସତ ଲୁଚି ରହେ ଚିତ୍ରକରର ଅକୁହା ଲେଖାରେ
ଲୁଚିଯାଇ ଥାଏ ଯାହା ବହୁ ରଙ୍ଗ ସମାହାରରେ
କିଛି ସତ ଲୁଚି ରହେ ଲେଖକର କଲମ ମୁନରେ
ଯାହା ଝରିଯାଏ କାହାଣୀ ଅନ୍ତରେ

ସୁନିତା ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।