You are currently viewing ଦୀପାବଳି
Odia Poem Deepavali (ଦୀପାବଳି) by Sushree Sangita Sethy

ଦୀପାବଳି

ଅନ୍ଧାର ଉପରେ ଆଲୋକର ବିଜୟ
ନେଇ ଆସେ ଦୀପାବଳି,
ସବୁରି ମନର ଉଲ୍ଲାସ, ହରଷ
ଆଙ୍କିଦିଏ ଧରି ତୂଳୀ !

ଆବାଳବୃଦ୍ଧବନିତାଙ୍କ ମନେ ଉତ୍ସାହ
ଲହରୀ ଯାଏ ଖେଳି,
ଘରେ ଘରେ ଚାଲେ ପର୍ବର ପ୍ରସ୍ତୁତି
ପୁଲକ ହୃଦୟେ ଢାଳି !

ସଜ ଶୀତୁଆ ସକାଳ ଆଣିଦିଏ
କୋଳାହଳ ଆଉ ମେଳି
ସାଜସଜ୍ଜା ପାଇଁ ତତ୍ପର ସଭିଏଁ
ଦୀପ ସାଥେ ସଳିତା ବଳି !

କାଉଁରୀ କାଠି ସଜ, ପୟା ଡକା
ପାବନ କରନ୍ତି ମିଳି,
କାକରା, ମଣ୍ଡାର ମହକରେ ଘର
ସରଗକୁ ଯାଏ ବଳି ।

ପିଲାଏ କରନ୍ତି ମଉଜ ଫୁଟାଇ
ବାଣ ଭଳିକି ଭଳି,
ପାପ ନାଶିବାକୁ ଆସନ୍ତି ପୁଣି
ମହାଦେବୀ ମା କାଳୀ !

ଆଲୋକର ପର୍ବ ନୁହେଁ ଇଏ ଖାଲି
ସ୍ନେହ, ଶ୍ରଦ୍ଧାର ହାବେଳୀ
ବିସ୍ଫୋରକ ସାଜି ପ୍ରେମ ବାଣ୍ଟିଦିଏ
ପରମ୍ପରା ସାଥେ ମିଳି ।

ଘର ଘର ଆଲୋକିତ ହେଇ
ସାଜେ ସତେ ଆଲୋକ ମେଳି
ପାଳିବା ଆସ ସଭିଏଁ ହରଷେ
ଆଲୋକର ପର୍ବ ଦୀପାବଳି ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।