You are currently viewing ଭିଡ଼ଠାରୁ ଅଲଗା
Odia Poem Bhida tharu Alaga (ଭିଡ଼ଠାରୁ ଅଲଗା) by Binay Mohapatra

ଭିଡ଼ଠାରୁ ଅଲଗା

ନିଶବ୍ଦ ଆକାଶ
ଉଦବେଳିତ ବିଶାଳ ସମୁଦ୍ର
ରାତ୍ରୀ ଯେବେ କଡ଼ଲେଉଟାଏ
ତନ୍ଦ୍ରାଚ୍ଛନ୍ନ ଆଖି ଖୋଲି
ନିରବରେ ଟିମ୍‌ଟିମ୍ ତାରାମାନଙ୍କୁ ଦେଖେ ।
ତଳେ ଅଶାନ୍ତ ନିଲାଭ ସମୁଦ୍ରର ବକ୍ଷ
ଉପରେ ନିଶ୍ଚନ୍ଦ୍ର ନିଳାଭ ଆକାଶ
ଭିଡ଼ଠାରୁ ଅଲଗା ଏକୁଟିଆ
ଶାନ୍ତ ଶୀତଳ ନିର୍ଲିପ୍ତ ପ୍ରକାଶ ।

ପ୍ରାପ୍ତିର ଆଶାନାହିଁ, ହାରିବାର ଦୁଃଖ ନାହିଁ
ସତେଅବା କ୍ରିକେଟ ପଡ଼ିଆଟିଏ ।
କିଏ କେତେ ରନ୍ କଲା
କାହାର କେତେ ୱିକେଟ ଉଡ଼ିଲା
ତା’ର କିଛି ଯାଏନାହିଁ ଆସେ ନାହିଁ ।
କେତେ ତାରା ଥିଲେ,
କେତେ ଉଲ୍କା ହୋଇ ଜଳିଗଲେ
କାଲି କେତେ ଥିଲା ଆଜି କତେ ବଞ୍ଚିଲା
ହିସାବ ରଖେନା ।
ସବୁବେଳେ ଶାନ୍ତ ବିଶାଳ ତା’ ବକ୍ଷ
ସୂର୍ଯ୍ୟ ଆସେ, ଜହ୍ନ ଆସେ,
ଅଣଚାଶ ପବନ ସହିତ
କେତେ ମେଘ, କେତେ ବାତ୍ୟା ଆସେ
କାହାକୁ ଡାକେନା,
ଯିଏ ଆସେ କାହାକୁ ବାରଣ କରେନା
ନା କାହାକୁ ରହିବାକୁ କହେ, ନା ଯିବାକୁ
ସେଥିପାଇଁ ଶାନ୍ତ ଆକାଶ
ନୀଳ କାନଭାସଟିଏ ସବୁବେଳେ ହସ ହସ ।

ଜୀବନର ହିସାବ ଖାତାରୁ ବାହାରି
କେବେକି କିଏ ହୋଇପାରେ
କ୍ୟାରାମ ବୋର୍ଡ଼ଟିଏ ପରି !
ଗୋଟିସବୁ ଜମା ହୁଏ,
ଜିତିବାପାଇଁ କାହାକୁ ବି ମନାନାହିଁ
ନିଜର ସାମର୍ଥ୍ୟ ଦେଖାଅ
ଯେତେ ପାର ନେଇଯାଅ
କାରଣ, ଖେଳ ଶେଷେ ପୁଣିଥରେ
ସବୁ କିଛି ଫେରାଇ ଦେବାକୁ ହେବ
କ୍ୟାରମ ବୋର୍ଡ ଉପରେ ।

– ବିନୟ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍‌ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।