You are currently viewing ପ୍ରେମ ବିଜ୍ଞାନ
Odia Poem Prema Bigyan (ପ୍ରେମ ବିଜ୍ଞାନ) by Prashanta Kumar Padhan

ପ୍ରେମ ବିଜ୍ଞାନ

ଦ୍ରବ ଦ୍ରାବକର ସମ ସଖି ଆମେ
ଗଢ଼ିବା ପ୍ରେମ ଦ୍ରବଣ
ମିଶିଯିବା ଦୁହେଁ ମିଶେ ଯେମିତିକା
ସମଜାତୀୟ ମିଶ୍ରଣ ॥

ଲୁହା ଚୁମ୍ବକର ସମ୍ପର୍କ ପରିକା
ହେଉଥିବା ଆକର୍ଷିତ
ବାହ୍ୟଚାପ କେବେ ରୋକି ପାରିବନି
ହୋଇବାକୁ ଏକତ୍ରିତ ॥

ରାସାୟନିକ ପରିବର୍ତ୍ତନ ପରି
ହେବନାହିଁ ଆମ ପ୍ରେମ
ବନ୍ଧନ ଆମର ହୋଇବ ଯେମିତି
ଭୌତିକ ପରିବର୍ତ୍ତନ ॥

ଧାତୁ ସମ ଆମେ କଠିନ ରହିବା
ଆସୁ ଯାହା ପରିସ୍ଥିତି
ସୁନା ପରି ଆମ ଔଜ୍ଜଲ୍ୟର ଗୁଣ
ଆଣିଦେବ ଜହ୍ନରାତି ॥

ପ୍ରେମ ଦହନରେ ଶିଖା ସୃଷ୍ଟି ପାଇଁ
ସାଜିବା ଦାହ୍ୟ ପଦାର୍ଥ
ଦିଆସିଲି କାଠି ବାରୁଦର ପରି
ଜୀବନ ହେବନି ବ୍ୟର୍ଥ ॥

ମୁଁ ହୋଇଯିବି ଆପତିତ ରଶ୍ମି
ତୁମେ ମୋ ପ୍ରତିଫଳିତ
ଆଙ୍କିଦେଇ ଏକ ପ୍ରେମ ଅଭିଲମ୍ବ
କରୁଥିବି ଆଲୋକିତ ॥

ପ୍ରେମ ହେବନାହିଁ ଲିଟମସ୍ କାଗଜ
ହେବନାହିଁ କ୍ଷଣସ୍ଥାୟୀ
ଅମ୍ଳୀୟ କ୍ଷାରୀୟ ପାରିବେନି କେବେ
ପ୍ରେମରଙ୍ଗ ବଦଳେଇ ॥

ପଦାର୍ଥ ପୃଥିବୀ ସାଜିବା ଗୋ ଦୁହେଁ
ଟାଣିବ ମାଧ୍ୟାକର୍ଷଣ
ଆଶାଅଛି କେବେ ଥମିଯିବ ନାହିଁ
ପ୍ରେମର ଏ ଆବର୍ତ୍ତନ ॥

– ପ୍ରଶାନ୍ତ କୁମାର ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।