You are currently viewing ଭାଇ
ଭାଇ

ଭାଇ

ସ୍ନେହ, ପ୍ରେମ, କରୁଣା, ଅସରନ୍ତି ଆଶା
ଅପ୍ରତିଦ୍ୱନ୍ଦୀ ଅପରାଜେୟତାର
ଅମାପ, ଅଦମ୍ୟ ଭରସା
ଅତୁଟ ଭାବ ବନ୍ଧନର ଚିର ସାଥୀ
ପାଦେପାଦେ ପ୍ରଗତିର ପ୍ରେରଣା
ସେ ତ ଭାଇ
ଅନାୟସରେ ଅସମ୍ଭବକୁ ଆୟତ୍ତ
କରିବାର ପ୍ରଚଣ୍ଡ ପ୍ରତିଭା
ଅୟୁତେ ଆଶା ଆନନ୍ଦର
ଉଜ୍ୱଳ ସମ୍ଭାବନା
ଯାହାଙ୍କ ଆଦର, ଆକଟ, ଆଦର୍ଶରେ
ମହକିତ ହୁଏ ପ୍ରତିଟି ମୂହୁର୍ତ୍ତ
ସେ ଭୂମିଠାରୁ ଭୂମାଯାଏଁ ପରିବ୍ୟାପ୍ତ ।
ସୀମାହୀନ ଆନନ୍ଦର ଉତ୍ସ ।
ଦାଣ୍ଡରେ ଦମ୍ଭ ଦେଖାଇବାରେ
ପ୍ରଛଦ ପଟର ମହାନୟକ
ସେଇ ଭାଇ ଛଡ଼ା ଆଉ କିଏ !
ଯାହାଙ୍କ ହାତରେ ଥାଏ ଫୁଲର କୋମଳତା
ପୁଣି କେବେ
କର୍କଶ ରୁକ୍ଷ ଲାଲ ଟହଟହ
ଅଶାନ୍ତ ଆଖିର ଭୟାବହ ନୀରବତା
ତା’ରି ଭିତରେ ଲୁଚିଥାଏ
ଅନାବିଳ ମମତାର ଶୀତଳ ଝରଣା
ସତେ ଯେମିତି
ଦୁଇଟି ଶରୀରରେ ମଧ୍ୟରେ
ଗୋଟାଏ ଆତ୍ମାକୁ ଏକାକାର
କରିବାକୁ ଈଶ୍ୱରଙ୍କର
ଏକ ନିଆରା ‘ଭାଇ’ର ସର୍ଜନା ।

କାର୍ତ୍ତିକେଶ୍ୱର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କାର୍ତ୍ତିକେଶ୍ଵର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।