ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ

ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ

“ଗପ ନୁହେଁ ନିଚ୍ଛକ ସତ” ର ଅଂଶ

୬ଷ୍ଠ ପଢ଼ିଲା ବେଳର କଥା, ବୟସ ୧୧-୧୨ ବର୍ଷ। ନୁଆ ନୁଆ ଶିଖିଥିବା ବାଳୁଙ୍ଗାମୀ ର କୌଶଳ ପ୍ରଦର୍ଶନ ପାଇଁ ମନ ଭାରି ଉଚ୍ଛନ୍ନ। ସେଇଟା ନାଁ କମେଇବା ପାଇଁ ନୁହେଁ କି ପଦକ ପ୍ରାପ୍ତି ଆଶାରେ ନୁହେଁ। ସାଙ୍ଗ ମେଳରେ ନିଜ ବୀରତା(ବାହାଦୁରୀ) ଦେଖେଇବା ଉଦ୍ଦ୍ୟେଶ ରେ। ଆମ ଗାଁ ପାଖ ଗାଁ ରେ ମକରସଂକ୍ରାନ୍ତି କୁ ଯାତ୍ରା ହୁଏ। ସେଇ ଯାତ୍ରା ସମ୍ବନ୍ଧିତ କିଛି କଥା;

ପ୍ରତିଦିନ ସାଇକଲ ରେ ପଢ଼ିବାକୁ ଗଲା ବେଳେ ବାଟରେ ସାଇକଲ ଉପରେ ଯାବତ୍ ପ୍ରକାର କୌଶଳ ଦେଖେଇବାକୁ କେବେ ଭୁଲେ ନାହିଁ, ଯଥା; ପଛ କ୍ୟାରିୟର ରେ ବସି ପେଡାଲ ମାରିବା, ହ୍ୟାଣ୍ଡଲ ଉପରେ ସାଙ୍ଗ କୁ ବସେଇବା, ପଛ ଏକ୍ସିଲ ଉପରେ ଠିଆ କରି ପିଲା ଙ୍କୁ ଆଣିବା, ଗୋଟିଏ ସାଇକଲ ରେ ଆଉ ୪ ଜଣ ପିଲାଙ୍କୁ ବସେଇ ଆଣିବା ଇତ୍ୟାଦି କୌଶଳ ର ଅନ୍ତର୍ଭୁକ୍ତ। କିନ୍ତୁ ହଲପ କରି କହୁଛି ଏବେ ନିଜେ ତ କରି ପାରିବିନି କି କେହି ସେମିତି କରିବାର ଦେଖିଲେ ଦେହ ଶିତେଇ ଉଠୁଛି।

ଏମିତି ଦିନ ଗଡ଼ି ଚାଲିଥାଏ ମକରଯାତ୍ରା ବେଳ ଆସିଗଲା। ସବୁଠାରୁ ମୋର ପ୍ରିୟ ଥିଲା ବୁଢ଼ାବୁଢ଼ୀ ନାଚ, ବାଉଁଶପାତିଆ ରେ ତିଆରି ଛାଞ୍ଚ ବା ଖୋଳ ଭିତରେ ଦୁଇ ଜଣ ପଶି ନାଚକରନ୍ତି। ଯାହା ପରବର୍ତ୍ତୀ ସମୟ ରେ ୬ ବର୍ଷ ପରେ ମୁଁ ମାମୁଁଘର ଗାଁ ରେ ଦୋଳଯାତ୍ରା ବେଳେ ବିମାନ ସାମ୍ନାରେ ଅମୁଲ୍ୟ ଜେଜ ସହ ଷଣ୍ଢ ଖୋଳ ରେ ପଶି ସକାଳ ୮ ରୁ ଦିନ ୩ ଟା ଯାଏ ନିର୍ଦ୍ଧୁମ ନାଚି ଅଧମ ପ୍ରଚୁର ଉପଭୋଗ କଲା। ଯେହେତୁ ଗାଁ ଅଞ୍ଚଳ ସେଇ ଯାତ୍ରା ଦୁଇଦିନ ମେଳା ବସିଯାଏ, ଭଳିକିଭଳି ଦୋକାନ ଧାଡ଼ି ଧାଡ଼ି ହୋଇ ବସେ। ମନୋହରୀ ଠାରୁ ଆରମ୍ଭ କରି କଂସାବାସନ ଆଦି ବିକ୍ରି କୁଏ। ଆମର ପ୍ରିୟ ଅଞ୍ଚଳ ହେଲା ଯେଉଁଧାଡ଼ି ରେ ଗୁଡ଼ିଆ ଦୋକାନ ଥାଏ। ଘରୁ ଯାତ୍ରା ଦେଖିବା ପାଇଁ ପେଡ଼ିଲୁଗା ପିନ୍ଧି ସଞ୍ଜବେଳିଆ ବାହାରି ପଡ଼ିଲି, ଜେଜିମା ପାଖରୁ ବୋଉ ପାଖରୁ ଯାତ୍ରା ଖର୍ଚ୍ଚ ବାବଦ ରେ ପଇସା ମାଗି ନେଲି। ସାଇକଲ ଧରି ଚାଲିଲି, ଯିବା ଆଗରୁ ଜେଜିମା ର ତାଗିଦ୍ ଶିଘ୍ର ଆସିବୁ ନହେଲେ ବାଟରେ ଭାଲୁ ବାହାରି ପାରେ।

ସେତେବେଳେ ଆମ ଅଞ୍ଚଳରେ ଇଲେକ୍ଟ୍ରି ନଥାଏ, ତେଣୁ ସବୁ ଦୋକାନ ବିଭିନ୍ନ୍ ଆକୃତି ର ଡିବି ଆଲୁଅ ଜାଳି ନିଜ ନିଜ ଦୋକାନ ଆଲୋକିତ କରିଥାନ୍ତି। ବଡ଼ ଦୋକାନ ଗୁଡିକ ପେଟ୍ରୋମାକ୍ସ ଲାଇଟ୍ ଲଗାନ୍ତି। ସେ ସମୟରେ ପେଟ୍ରୋମାକ୍ସ ଲାଇଟ୍ ଲଗେଇପାରିବା ଟା ଗୋଟେ କଳା ର ଅନ୍ତର୍ଭୁକ୍ତ ଥିଲା କାରଣ ଅନେକ ସମୟରେ ପମ୍ପ ମାରିଲା ବେଳେ ଠିକ ଭାବେ ନ ମାରିପାରିଲେ ମେଣ୍ଟାଲ ଖସି ପଡ଼ିବାର ନଜିର ଅଛି।

ଅସଲ କଥା କୁ ଆସିବା, ବ୍ରହ୍ମାନନ୍ଦ ଓରଫ ବରହ୍ମା(ବ୍ରହ୍ମା) ଯାତ୍ରା ସମୟ ଛାଡ଼ି ଅନ୍ୟ ସମୟରେ ଭାର ରେ ଗାଁ ଗାଁ ବୁଲି ମିଠା, ପକୁଡ଼ି ଆଦି ବିକ୍ରି କରେ। ଆଖପାଖ ଗାଁ ର ସମସ୍ତଙ୍କୁ ସେ ଉଣାଅଧିକେ ଜାଣେ। ତାର ବିଜିନେସ୍ କମ୍ପିଟେଟର ଆମ ଗାଁ ର କୃଷ୍ଣ, କାହାର ପକୁଡ଼ି ଅଧିକ ସ୍ୱାଦିଷ୍ଟ ଓ କିଏ ଗୋଲ କରି ଜିଲାପି ବୁଲେଇ ଜାଣେ ଏଇ ପରିକ୍ଷା କରିବା ପାଇଁ ବେଳେ ବେଳେ ଆମେ ମଧ୍ୟସ୍ଥତା କରୁ। ସେଟା ଶଃ ଏକ ନମ୍ବର କଞ୍ଜୁସ୍। ବ୍ରହ୍ମାନନ୍ଦ ବି ଯାତ୍ରା ପଡ଼ିଆରେ ତା ପସରା ମେଲେଇ ବସିଥାଏ ତା ପାଖକୁ ଲାଗି ପାନ ଦୋକାନ ଟିଏ, ସଞ୍ଜ ବେଳିଆ ସେପଟେ ମାଇକ ରେ ଗୀତିନାଟ୍ୟ ବାଜୁଥାଏ ଆଉ ଦୋକାନି ମାନେ ଡିବି ଜାଳି ଗ୍ରାହକଙ୍କ ଅପେକ୍ଷାରେ ସେ ଭିତରେ ସେ ବି ଥାଏ। କିଛି ସମୟ ବୁଲାବୁଲି କରିସାରିବା ପରେ ମୋ ସାଙ୍ଗ ପାଖ ଦୋକାନ ରୁ ୨୫ ପଇସାର ବିଡ଼ି (ସାଗରଚାନ୍ଦ ବିଡ଼ି) କିଣିଆଣିଲା। ସେତିକି ରେ ୫ଟି ଲାଭ ରେ ଗୋଟେ ଏମିତି ୬ଟି ବିଡ଼ି ଆଣି ଆସିଲା। ଆଖି ଛୁଉଁଚି ମୁଁ କେବେ ବିଡ଼ି ଟାଣେ ନାହିଁ କି ଧରେ ନାହିଁ କାରଣ ଯଦି କିଏ ଦେଖି ବାପାଙ୍କ କାନରେ ଖବର ଦେଇଦବ ତେବେ କଥାସରିଲା। ତାର ପ୍ରୟୋଗ ନିମ୍ନ ପ୍ରକାର;

ଆମ ଗୋଷ୍ଠି ରୁ କେହି ଜଣେ ଯାଇ ବ୍ରହ୍ମାନନ୍ଦ ଙ୍କ ଦୋକାନ ପାଖରେ ନଇଁ ପଡ଼ି ବିଡ଼ି ଲଗେଇବା ବାହାନା ରେ ତା ଡିବି ରେ ବିଡ଼ି କୁ ମାଡ଼ିଦେଲା ଫଳରେ ଡିବି ଲିଭିଯିବା ସ୍ୱାଭାବିକ। ଠିକ୍ ସେହି ସମୟରେ ତା ପଛ ପଟୁ ଅଦୃଶ୍ୟ ହାତ ଲମ୍ବି ଆସି ଏକ ଥାଳି ଉଠେଇ ନେଇ ଚାଲିଗଲା। ସେ ବିଚରା ଡିବି ଲଗେଇ ସାରି ପରିସ୍ଥିତି ଦେଖି ଯିଏ ନେଇଚି (ଆମ) ଚଉଦ ପୁରୁଷ ଙ୍କ ଶ୍ରାଦ୍ଧ ଏକାଠି ଦେଲା। ଯାତ୍ରା ପଡ଼ିଆ ରେ ହଇଚଇ ହୋଇଗଲା ଖୋଜା ଖୋଜି ରେ ସମୟ ଗଲା, ଥାଳି ନେଲା କିଏ? ଭାଗ୍ୟଭଲ କେହି ଦେଖି ନ ଥିଲେ କି ଜାଣି ପାରିଲେନି। ଆମେ ସମସ୍ତେ ସେଠି ଥାଉ ନ ହେଲେ ସନ୍ଦେହ ହୋଇପାରେ। ନେଲାବାଲା ଯାଇ ପୂର୍ବନିର୍ଦ୍ଧାରିତ ସ୍ଥାନରେ ଆମକୁ ଅପେକ୍ଷା କରିଥାଏ। ସବୁ ଘୋ ଘା ହୋ ହାଲ୍ଲା ସରିଲା ପରେ ସମସ୍ତେ ଏକାଠି ହୋଇ ବସି ସେତକ ଖାଇଲୁ। ପୁଣି ବିଳମ୍ବିତ ରାତିରେ ନାଚ ଚାଲିଲା ବେଳେ ଅତି ସନ୍ତର୍ପଣ ରେ ତା ପଛପଟେ ଥାଳିଟିକୁ ରଖିଦେଲୁ।

ଗରିବ ଲୋକଟିର କ୍ଷତି କରିଥିବାରୁ ଏବେ ମନେପଡ଼ିଲେ ଦୁଃଖଲାଗୁଛି କିନ୍ତୁ ତା କଞ୍ଜୁସି କଥା ମନେ ପଡ଼ିଲେ ଦୁଃଖ କମିଯାଉଛି।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu