ବାବାମଣୀ ଓ ସୁନାହରିଣୀ କଥା

ବାବାମଣୀ ଓ ସୁନାହରିଣୀ କଥା

“ଗପ ନୁହେଁ ନିଚ୍ଛକ ସତ” ର ଅଂଶ

+୨ ପଢ଼ିବା ବେଳର କଥା, କଲେଜ ରୁ ଖଣ୍ଡେ ଖଣ୍ଡେ ଆଇଡେଣ୍ଟିଟି କାର୍ଡ ମିଳିଥାଏ, ଆମେ ଭାବୁ ହାତରେ ସେଇ ପରିଚୟ ପତ୍ର ଖଣ୍ଡକ ଅଛିମାନେ ଆମେ ଚଉଦବ୍ରହ୍ମାଣ୍ଡ ଖେଦିଯିବୁ କେହି ଆମର କିଛି କରିପାରିବେ ନାହିଁ। ବସ ବାଲାଏ ରିହାତି ଦେବାକୁ ଏକ ରକମ ବାଧ୍ୟ, ଯଦି ନ ଦିଅନ୍ତି ତେବେ ଗଛ ଉହାଡ଼ ରୁ ଟେକା ପଥର ଆସିବାରେ କିଛି ଅସୁବିଧା ନାହିଁ। ଯଦିଓ ରିହାତି ବିଷୟରେ ସରକାର କିଛି ନିର୍ଦ୍ଦିଷ୍ଟ ନୀତିନିୟମ ପ୍ରଣୟନ କରିଛନ୍ତି କିନ୍ତୁ ସେ ସବୁର ଆମ ପାଖରେ କିଛି ଅର୍ଥ ନାହିଁ। ଆମେ କଲେଜରେ ପଢୁଛୁ ରିହାତି ଆମର ମୌଳିକ ଅଧିକାର ର ଅନ୍ତର୍ଭୁକ୍ତ, ଆମେ ଏୟା ଜାଣୁ। ବସ ରେ କିଛି କଣ୍ଡକ୍ଟର ଥାଆନ୍ତି ଯେଉଁମାନେ କନସେସନ ଶବ୍ଦଟାକୁ ଠିକ୍ ରେ ଉଚ୍ଚାରଣ ମଧ୍ୟ କରିପାରନ୍ତି ନାହିଁ। କିଏ କମସିସନ୍ କୁହେ ତ କେତେଜଣ କମିଶନ୍ କୁହନ୍ତି, ଠିକ ସେମିତି ଆଇଡେଣ୍ଟି କାର୍ଡ କୁ ଆଡମିଟ୍ କାର୍ଡ ବୋଲି କୁହନ୍ତି।

ଆମର ଭୂତପୁର୍ବ ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ରାଧାକାନ୍ତ ଦିଗାଳଙ୍କର ଗୋଟିଏ ବସ ସେ ରାସ୍ତାରେ ଚାଲେ ତା ନାଁ ସୁନାହରିଣୀ। କଲେଜ ସମୟ କୁ ବସ ସମୟ ମେଳ ଖାଉଥିବାରୁ ସେଥିରେ ଅଧିକାଂଶ ପିଲା ଯାତାୟାତ କରନ୍ତି। ଚାରିଛକ ରୁ ପ୍ରାୟ ୧୫ ସରିକି ପିଲା ଆମେ ଚଢୁ ପୁରୁଣାକଟକ ପର୍ଯ୍ୟନ୍ତ, ୫ କିମି ରାସ୍ତାକୁ କଣ୍ଡକ୍ଟର ପଇସା ମାଗିଲେ ଆମେ ୫୦ ପଇସା ଦଉ। ସେଥିପାଇଁ ଯୁକ୍ତିତର୍କ ନିୟମିତ ହୁଏ ଆଉ ଆମର ଦେହସୁହା ହୋଇଯାଇଥାଏ। ବେଳେ ବେଳେ ଏମିତି ବି ହୁଏ, ସବୁପିଲା ଓହ୍ଲେଇ ଯାଆନ୍ତି ମୋ ଆଡ଼କୁ ହାତ ଦେଖେଇ ଦିଅନ୍ତି ପଇସା ଭାଇ ଦେବେ କହି। ଶେଷରେ ଭାଇ ଓହ୍ଲାନ୍ତି ଆଉ ୫ ଟଙ୍କିଆ ଗୋଟେ ବଢ଼େଇଦିଅନ୍ତି, କଣ୍ଡକ୍ଟର ବିଚରା ପଚାରେ ଜଣକା ୫୦ ପଇସା ହେଲେ ତ ୧୨ ଜଣଙ୍କୁ ୬ ଟଙ୍କା, ସେତକ କାହିଁ? ଯଦି ନ ନବୁ ସେତକ ବି ଫେରେଇ ଦେ ଯା ମାଲିକ କୁ କହିବୁ, କହି ସଦର୍ପ ରେ ଆମେ ଓହ୍ଲେଇ ଯାଉ।

ସେ ବସ ରେ ପ୍ରକୃତରେ ତାଙ୍କ ଶ୍ୟାଳକ ମହୋଦୟ ପରିଚାଳକ(କଣ୍ଡକ୍ଟର) ଭାର ଗ୍ରହଣ କରିଥାଆନ୍ତି। ସେ ସବୁଦିନ ଭଗ୍ନୀପତିଙ୍କର କ୍ଷତି ଅବା କେତେଦିନ ସମ୍ଭାଳିବେ? ଦିନେ ନିଜେ ଶ୍ରୀଯୁକ୍ତ ଦିଗାଳ (ଆମେ ଜାଣି ନଥାଉ) ବସ ରେ ଆସିଥାଆନ୍ତି ଏବଂ ଗୋଟେ ସିଟରେ ଅନ୍ୟଯାତ୍ରୀ ମାନଙ୍କ ଭଳି ବସିଥାଆନ୍ତି। କ୍ରମଶଃ ବସଭଡ଼ା ନେଇ ଆମର ଯୁକ୍ତିତର୍କ ବଢ଼ିବାରେ ଲାଗିଲା, ଏଭଳି ହେଲା ଶେଷରେ ଆମ୍ଭେ କଣ୍ଡକ୍ଟର କୁ କହିଲୁ ଶଲା ତୋ ମାଲିକ ତ —-, ତୁ ବି —- ଆଉ ତମର ସବୁ ଷ୍ଟାଫ ବି —- (ସେମାନଙ୍କ ଜାତି) ସେଥିପାଇଁ ଶଳେ ମାଡ଼ ଖାଉଚ। ଏସବୁ ପରେ;
ଦିଗାଳ ମହୋଦୟ କହିଲେ ବାବୁ କାହିଁକି ଏ ପାଟିତୁଣ୍ଡ ତୁମେମାନେ ନିର୍ଦ୍ଧାରିତ ଭଡ଼ା ଦେଉନା କାହିଁକି?
ମୁଁ କହିଲି ତମେ ଗାଡ଼ି ମାଲିକ?
ସେ କହିଲେ ନାଁ,
ତେବେ ତମ ମୁଣ୍ଡ କାହିଁ ବଥଉଚି, ଚୁପ୍ ହେଇ ବସ।
ସେ ପୁଣି କହିଲେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପାଇଁ ଡେରି ହବ।
ଶଃ ଏତେ ଯଦି ଟାଇମ ଦରକାର ଗୋଟେ କାର୍ ଭଡ଼ା କଲନାହିଁ କହି ଆମେ ଖେଁ ଖେଁ ହୋଇ ହସି ଉଠିଲୁ।
ତା ପରେ ସେ କିଛି ନ କହି ଚୁପ୍ ରହିଲେ ଆମେ ଗଡ଼ ଜିଣିବା ଭଳି ଆଦୌ ଭଡ଼ା ନ ଦେଇ ବସ ରୁ ଓହ୍ଲେଇ ଗଲୁ।

ସନ୍ଧ୍ୟା ବେଳେ ଘରେ ପଶିବା ମାତ୍ରେ ବାପା ଙ୍କଠାରୁ ଟ୍ରେଡମାର୍କ ମାର୍କା ଦୁଇଟା କନମୂଳିଆ ଖାଇବା ସମୟରେ ବୁଝି ପାରିଲିନି ଯେ ବ୍ରହ୍ମ ଚଇତନ ଟା କୋଉ ମହତ ଉଦ୍ଦେଶ୍ୟ ରେ?
ପରେ ଖାଇ ବସିବା ସମୟରେ ବୋଉଠାରୁ ସବୁ ଶୁଣି ଜାଣିଲି ଶ୍ରୀଯୁକ୍ତ ଦିଗାଳ ବାପାଙ୍କର ଜଣେ ଭଲ ବନ୍ଧୁ ବୋଲି। ତା ପରଠାରୁ ସେ କଣ୍ଡକ୍ଟର ବି କେବେ ପଇସା ମାଗେନି ଆଉ ମୁଁ କମ ଭଡ଼ା କେବେ ଦେଇନି।

ବାବାମଣି ବସ ଆମର ଦୁଷ୍ଟାମୀ ର ପ୍ରଥମ ଶିକାର ଥିଲା। ହେଲପର ଟି ଗୁଡ଼ାଏ ମାଡ଼ ଖାଇଥିଲା ଏବଂ ପରିଶେଷରେ ଗାଡ଼ି କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକେଇ ଆମେ ବେଶ୍ ମଜା ନେଇଥିଲୁ। ବସ ର ଦୁରାବସ୍ଥା ଦେଖି ବିଧାନସଭା ସଦସ୍ୟ ତାଙ୍କ ଗାଡ଼ି ଅଟକେଇ ପଚାରିବାରୁ ତାଙ୍କୁ ବି ଲଜ୍ଜିତ କରିବାରୁ ସେ ତୁରନ୍ତ ସେ ସ୍ଥାନ ପରିତ୍ୟାଗ କରିଥିଲେ।

ପ୍ରାୟ ସବୁ କଲେଜପିଲା ମାନେ କାହିଁକି ବସ କୁ ସେମାନଙ୍କର ପ୍ରଥମ ଶିକାର କରନ୍ତି ସେ ରହସ୍ୟ ଆଜି ବି ଅଜଣା।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu