You are currently viewing ସମୟର କାନଭାସ୍‌ରେ ମୋ ଜୀବନର ଛବି
ସମୟର କାନଭାସ୍‌ରେ ମୋ ଜୀବନର ଛବି

ସମୟର କାନଭାସ୍‌ରେ ମୋ ଜୀବନର ଛବି

ସମୟର କାନଭାସ୍‌ରେ
ଆଙ୍କି ମୁଁ ଚାଲିଛି
ମୋ ଜୀବନର ଛବି ।
ଜନ୍ମରୁ ଆଜିଯାଏଁ ଆଙ୍କି ମୁଁ ଚାଲିଛି
ଖାଲି ଆଙ୍କି ମୁଁ ଚାଲିଛି ।
ଆଉ କିଛି ଆଙ୍କିବାକୁ ରହିଛି ଯେ ବାକି
ପୂର୍ଣ୍ଣ ହେବ ସେହିଦିନ ଯେଉଁ ଦିନ
ମୃତ୍ୟୁ ଆସି ନେଇଯିବ ଜୀବନର ବାକି ସବୁ କିଛି…..।୧।

ମନ ଭରି ମନ ଖୋଲା ହସ ମୁଁ ହସିଛି
କେବେ ପୁଣି ବୁକୁ ଫଟା କାନ୍ଦ ମୁଁ କାନ୍ଦିଚି
କେବେ ବର୍ଷା ସାଥେ ମିଶି,
କେବେ ନିରୋଳାରେ ବସି,
କେବେ ପୁଣି ରାତ୍ରିର ଅନ୍ଧାର ଭିତରେ
ଚାରି କାନ୍ଥ ଘେରା ସେହି
ପ୍ରାଣ ହୀନ ବିଛଣାରେ ଭାବୁକଟେ ସାଜି ।
ଖୁବ୍ ବିସ୍ମିତ ହୋଇଛି !
କ୍ଷଣେ କ୍ଷଣେ ଜୀବନଟା
କେମିତି ଯେ ବଦଳି ଯାଉଛି…….।୨।

ଜୀବନରେ ଭୁଲ୍ ଠିକ୍ ସବୁ ମୁଁ କରିଛି
ମାନ ଅପମାନ ପୁଣି ପ୍ରଣଂସା ପାଇଛି
ଏତିକିରେ ସବୁକଥା ହୁଏ ନାହିଁ ଇତି
ଆଗକୁ ବି ଆଉ କିଛି ରହିଯାଏ ବାକି
କାରଣ – ଠିକ୍ ଥିଲେ ଲାଗେ ଭାରି ଖୁସି,
କିନ୍ତୁ ଭୁଲ୍ କଲେ – ଲାଗେ ଦୋଷୀ ଦୋଷୀ
ଅନୁତାପ ଦବାନାଳ, ଯାଏ ମୋତେ ଗ୍ରାସି,
ଏ ସବୁକୁ ସମୟର କାନଭାସ୍‌ରେ
ଯେବେବି ଆଙ୍କିଛି କରି ଫେଣ୍ଟା ଫେଣ୍ଟି –
କେବେ ହସ ଆସି ଓଠ ଧରେ ଉକୁଟି ଉଠିଛି
ତ ପୁଣି ଆଖି ପତା ଲୁହରେ ଭିଜିଛି……।୩।

ଆସିଛି ତ ଯେବେ ମତେ ଯିବାକୁ ପଡ଼ିବ
କେବେ ଯେ ଆସିବ ସେ ଦିନ
କିଏ କହି ବା ପାରିବ?
କିନ୍ତୁ ମୁଁ ଗଲା ବେଳେ-
ମୋ ଜୀବନର ଏହି ଅବ୍ୟକ୍ତ ଛବିକୁ
ଟେକି ଦେଇ ଦୁନିଆ ହାତରେ
ଚାଲି ଯିବି ଦୂର ରାଇଜକୁ ।
ଜାଣେନା କାହାକୁ ଭଲ ଲାଗିବକି ନା’
ହେଲେ ମୁଁ ଆଙ୍କି ଦେଇ ଚାଲି ଯିବି
ମୋ ଜୀବନର ବାସ୍ତବତା ସବୁ
ସମୟର କାନଭାସ୍‌ରେ
ଯାହା ଦିନେ ଦେଖିବ ଦୁନିଆ …..।୪।

ସୂର୍ଯ୍ୟ ନାରାୟଣ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୂର୍ଯ୍ୟ ନାରାୟଣ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗୀତ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହେବା ସହିତ ପାଠକୀୟ ପ୍ରସଂଶା ଲାଭ କରିଛି । ସେ ଶୁଭପଲ୍ଲବର ଥିମ୍ ସଙ୍ଗ୍ ରଚନା କରିଛନ୍ତି; ଏତଦ୍ ବ୍ୟତୀତ ସେ ତାଙ୍କ ରଚିତ କିଛି ଗୀତ ୟୁ-ଟ୍ୟୁବ୍‌ରେ ଉପଲବ୍ଧ ।