ଆକାଶର ଧୂଳିଭରା ଛାତି ଭିତରେ,
ଲୁଚି ଯାଇଛି ତା’ର ଆଶାର ଆଲୋକ
ଫୁଟି ମହକିବା ଆଗରୁ,
ଦଳି ହେଇଯାଇଛି କେବେଠୁ ସେଇ ଫୁଲ
ଆଖିର ଲୁହ ସହ ନେସି ହେଇଯାଇଛି,
ଅଗଣିତ ସୁନେଲି ସପନ
ଜାଣିଛି ସେ ଜୀବନଟି ତା’ର,
ଚିରା ମଇଳା କାଗଜର ଫର୍ଦ୍ଦ
ତଥାପି ଶୂନ୍ଶାନ ରାତିର କିଟିମିଟି ଅନ୍ଧାରରେ
ପାଦକୁ ଆଗେଇ ନଉଛି ସଳିତାର ଆଲୁଅରେ
ଅର୍ଥହୀନ ଶୂନ୍ୟତାର ଆବରଣ ଭିତରେ
ପୁଟୁଳି ବାନ୍ଧି ଚାଲିଛି ସେ କେତେ ଆବେଗର
ନିୟତି ଯେମିତି କରୁଛି ତାକୁ ଅନେକ ପରିହାସ
ବଢ଼ିଚାଲିଛି ତା’ର ଅନେକ ଅପେକ୍ଷାର ଶୋଷ
ଉଠିପଡ଼ି ଖୋଜିବୁଲୁଛି ନଈର କୂଳ
କାଁହୁ ମିଳିବ ତାକୁ ନଈର ଠିକଣା
ଯେବେ ଜୀବନଟା ହେଇଛି ମରୁଭୂମି ପରିକା
କଷଟି ପଥରରେ ପ୍ରତିକ୍ଷଣ ସେ ପରୀକ୍ଷିତା
ତଥାପି ରହିଛି ତାହାର ଅଦମ୍ୟ ବିଶ୍ୱାସ
ଅନ୍ଧାର ଲିଭିବ, ଆଲୁଅ ଆସିବ
ନଈ କୂଳର ଠିକଣା ତାକୁ ମିଳିବ
ଜୀବନ ବଞ୍ଚିବାର ମିଳିବ ଅପୂର୍ବ ସନ୍ତୋଷ
ତେଣୁ ଶେଷଯାଏଁ କରିଚାଲିବ ସେ ନିରବଛିହ୍ନ ପ୍ରୟାସ ।
– ସୌମ୍ୟାଶ୍ରୀ ତ୍ରିପାଠୀ