You are currently viewing ମୋ ବୋଉ ଭାରି ଭଲ
ମୋ ବୋଉ ଭାରି ଭଲ

ମୋ ବୋଉ ଭାରି ଭଲ

ମୋ ବୋଉକୁ ଯିଏବି କଷ୍ଟ ଦିଏ,
ମୋ ବୋଉ ତାକୁ ବେଶୀ ଭଲପାଏ ।
କାରଣ ମୋ ବୋଉ ଭାରି ଭଲ ।

ଯୈଥପରିବାରେ ସମସ୍ତଙ୍କୁ ଆପଣାର
କରିବା ପାଇଁ ନିଜ ସ୍ୱପ୍ନକୁ ଭାଙ୍ଗିଦିଏ,
କାରଣ ମୋ ବୋଉ ଭାରି ଭଲ ।

କାହାର ଦେହ ଖରାପ ହେଲେ
ଡହ ଡହ ତାତିରେ ଖାଲି ପାଦରେ ମନ୍ଦିର ଯାଏ,
କାରଣ ମୋ ବୋଉ ଭାରି ଭଲ ।

ଘରର ସମସ୍ତେ ନଖାଇବା ଯାଏ
ରୋଷେଇଘରକୁ ଜଗି ସେମିତି ବସିଥାଏ,
କାରଣ ମୋ ବୋଉ ଭାରି ଭଲ ।

ଶେଷରେ ତା’ପାଇଁ କିଛି ଥାଉ
କି ନଥାଉ ଶାନ୍ତି ମନରେ ଖାଇଦିଏ,
କାରଣ ମୋ ବୋଉ ଭାରି ଭଲ ।

ବୋଉକୁ ଥରେ ଡାକିଦେଲେ
ଘରର ସବୁ ଜିନିଷ ମିଳିଯାଏ
କାହିଁକିନା ସବୁକିଛି ତା ଆଖି ସାମ୍ନାରେ ଥାଏ,
କାରଣ ମୋ ବୋଉ ଭାରି ଭଲ ।

ମାନ ଅଭିମାନ, ରାଗ ଋଷା
ସବୁକିଛି ମଥାପାତି ସହିଯାଏ,
କାରଣ ମୋ ବୋଉ ଭାରି ଭଲ ।

ଭାଇଭଉଣୀ ଘରକୁ ନଫେରିବା ଯାଏଁ
ଦାଣ୍ଡ ଦୁଆରକୁ ଆସି ଟିକେ ଚାହିଁଦେଇ
ମଙ୍ଗଳା ମାଆଙ୍କୁ ଲୋଡ଼ୁଥାଏ,
କାରଣ ମୋ ବୋଉ ଭାରି ଭଲ ।

ମେସିନଟିଏ ପରି ଭୋର୍ ୫ରୁ ରାତି ୧୧ଯାଏଁ
ବିନା ବିଶ୍ରାମରେ ସେ ଖଟୁଥାଏ,
କାରଣ ମୋ ବୋଉ ଭାରି ଭଲ ।

କେବେ ଯଦି ତାକୁ ପଚାରେ
“ବୋଉ ତୁ ଏତେ ସବୁ କାମ କେମିତି କରୁ?”
ସେ ଖାଲି ହସିଦିଏ ଆଉ ମୁଁ ଉତ୍ତର ପାଇଯାଏ ।
“ତୁ ବୋହୂ ଆଉ ବୋଉ ହେଲାପରେ ସବୁ ଜାଣିପାରିବୁ ।”
ମନରେ ଦୃଢ଼ ବିଶ୍ୱାସ ଆସେ “ହଁ ମୁଁ ପାରିବି ।”
କାରଣ ମୋ ବୋଉ ଭାରି ଭଲ ।

ତାରାରାଣୀ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାରା ରାଣୀ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।