You are currently viewing ଆସ ନକରି ଉଛୁର
ଆସ ନକରି ଉଛୁର

ଆସ ନକରି ଉଛୁର

ଆସ ନକରି ଉଛୁର
ଚେଷ୍ଟା କରିବା ଗଢ଼ିବାକୁ
ବହୁବାର ଭାଙ୍ଗୁଥିବା
ସେ ବିଲୁଆ ଘର
ଗାଇବା ଫୁସେଇବା ପାଇଁ-
“ଥୁକଲ୍ ଥାକୁଲ୍ ଥା
ମୋର୍ ଘର୍ ନା ଉଜୁର୍
ଭାଲୁର୍ ଘର୍ ଉଜରିଯା ।”

କଥାଦିଅ
ଚହଲିବନି ଆଦୌ ଏଥର
ଚଗଲି ଓଠ ନଈ କୂଳେ
ରୋକି ଦେବ ଲାଜରା ହସର ଜୁଆର ।

ତମେ ତ ଜାଣ,
ତୁମଠୁ ବି ଆହୁରି ହସକୁରି
ଏ ଅଝଟ ବାଲିକଣା ସବୁ
ହସି ହସି ଏମିତି ହେବେ ବିଛି
ଯେ’ ଥ ହେଇଯିବ ସବୁକିଛି ।

ଏକଦମ୍ ଚୁପ୍
ସଂପୂର୍ଣ୍ଣ ସତର୍କ
ପତ୍ରଟେ ବି ନ ନାଚୁ ଯେମିତି
ପବନ ବି ନପାଉ ଟେର
ଚାହୁଁଥିବା ଏପାଖ ସେପାଖ
ତଳ ଉପର
ନାହିଁ ନଥିବା ଭିତରେ
ବହୁତ କିଛି ପରା
ଗୋପନେ ଗୋପନେ ବଢ଼ୁ ଗୋ
ଏ ଗହନ କଥାର ଚାରା
ଗୁମର ପୋଟଳି ଖୋଳିଗଲେ ସବୁକିଛି ମାରା ।

ଆସ…
ଖୋଜାଖୋଜି ହେବା
ମୋ ଭିତରେ ତୁମକୁ
ତୁମ ଭିତରେ ମତେ
ଅମରାବତୀର ଠିକଣା ହଜିଯିବା ଆଗରୁ
ମାଛି ଅନ୍ଧାର ପୂର୍ବରୁ
ସଞ୍ଜବତୀ ଲିଭିଯିବା ଆଗରୁ ।

ରାଜେଶ ପୂଜାରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜେଶ ପୂଜାରୀ ଝାରସୁଗୁଡ଼ାସ୍ଥିତ କୁଶମେଲାଠାର ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।