You are currently viewing ଆସ ସାଥୀ !
Odia Poem Asa Sathi (ଆସ ସାଥୀ) by Krishna Mishra

ଆସ ସାଥୀ !

ଆସ ସାଥୀ !
ଦୁଆର ଯେ ଖୋଲା,
ପ୍ରବେଶ କର…
ନା’ ନା’… ଟିକିଏ ଅପେକ୍ଷା କର !

ଏରୁଣ୍ଡିର ପାପୋଛରେ, ସ୍ୱୟଂର ଅହଂକୁ ଝାଡ଼ି ଦେବ !
ଛାତରେ ଲୋଟିଛି ମାଳତୀ ଲତା,
କ୍ରୋଧର ପସରା ସେଇଠି ଅଜାଡ଼ି ଦେବ !
ମନର ଭଗ୍ନାଂଶ କୁ ରଖି ଦେବ,
ଚଉରା ମୂଳରେ…
ଜୀବନର ବ୍ୟସ୍ତତାକୁ ଓହଳେଇ ଦେବ ପାଚେରୀ ଖୁଣ୍ଟରେ…
ଶୁଭୁଛି ଶିଶୁଙ୍କ କୋଳାହଳ,
ସେଥିରୁ, ଦୁଷ୍ଟାମୀ ଟିକିଏ ମାଗି ଆଣିବ…
ଉପବନେ ଫୁଲର ରଙ୍ଗୀନ ଛିଟା,
ସେଥିରୁ କିଛି ଶରୀରେ ମାଖିବ…

ଆସ ! ତୁମ୍ଭର ସବୁ ଦ୍ୱନ୍ଦ, ମୋତେ ଦିଅ !
ତୁମ କ୍ଳାନ୍ତ ଶରୀର, କରିଦେବି ଶ୍ୱେଦ ମୁକ୍ତ…
ଦେଖ ! ସନ୍ଧ୍ୟାର ଗାଲିଚା ବିଛାଇ,
ତାରା ଫୁଲେ ସଜାଇଛି,
ଜ୍ୟୋସ୍ନାର କିରଣ, ଚଉଦିଗେ ବିଞ୍ଚି ଦେଇଛି,
ପ୍ରୀତି ଓ ବିଶ୍ୱାସର ଆଞ୍ଚରେ ଚା’ ତିଆରିଛି,
ଧୀରେ ଧୀରେ ପିଇବ !
ଦୁନିଆରେ ବଞ୍ଚିବାଟା,
ଏତିକି ବି କଷ୍ଟ ନୁହଁ… ‌
ଆସ !

– କୃଷ୍ଣା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୃଷ୍ଣା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।