You are currently viewing ଆଶ୍ୱସ୍ତିରେ ଆସ ନୂଆବର୍ଷ
Odia Poem Awastire Asa Nuabarsa (ଆଶ୍ୱସ୍ତିରେ ଆସ ନୂଆବର୍ଷ) by Anasuya Panda

ଆଶ୍ୱସ୍ତିରେ ଆସ ନୂଆବର୍ଷ

ନୂଆବର୍ଷ ତୁ ତ ଆସିବୁ ଗୋଟେ ଖସଡ଼ାରେ
କିଏ କ’ଣ ମନା କଲେ ତୁ ଅଟକିଯିବୁ
ମହାମାରୀର ଦୌରାତ୍ମ୍ୟରେ
ମଣିଷର ନନ୍ଦନ କାନନରେ ।

ତୁ ଆସିବୁ, ଡରିବୁନି, ଏଠି ସମସ୍ତଙ୍କୁ ଭେଟିବୁ
କିଏ କୁଡ଼ିଆରେ ତ, କିଏ ପଞ୍ଜୁରୀରେ କିଏ ପିଞ୍ଜରାରେ
ବାଘ, ଗାଈ ବିଶ୍ୱାସ କି ଦୟା ଏଠି ଆଉ ନାହିଁ
ଏବେ ଏଠି ବଗ ମାଛ ଖେଳ ।

ଅନେକ କଣ୍ଟାର ସ୍ତୂପ, ଅବିଶ୍ୱାସର କଙ୍କାଳରେ
ଅନେକ କୋକିଶିଆଳି ବନ୍ଧୁତ୍ୱର ହାତ ମିଳାନ୍ତି
ଖାଇବାକୁ ସୁଆଦିଆ ମାଂସ
ନୂଆ ବର୍ଷ ତୁ ଆସ ।

ଶୀତରେ ଥୁରୁ ଥୁରୁ ହୋଇ ଆସିବୁନି
ଯୋଜନାର କମ୍ବଳ ମିଳିଛି ବିଭିନ୍ନ ମିଡିଆ ସାକ୍ଷୀ ଅଛି
ମେଣ୍ଢାଙ୍କୁ ସବୁ ତାଙ୍କରି ରୁମରେ
ତୋ’ର ଏଠି କିଛି ଅଭାବ ହେବନି ।

ଟଙ୍କିକିଆ ଚାଉଳ, ଦୁଇଟଙ୍କିଆ ଗହମ
ବିପିଏଲ କାର୍ଡ଼, ଯୋଜନା ଅନେକ
ପେଟଭୋକ ରହିବନି ସରକାରଙ୍କ
ଅନୁକମ୍ପା, ଅନୁଦାନ, ଆନୁକୂଲ୍ୟରେ ।

ମୋ ରକ୍ତ ଶୋଷି, ମତେ ରକ୍ତ ଦିଅନ୍ତି
ରକ୍ତହୀନ ରୋଗୀଟିଏ କରି
ମୋ ମାଂସରେ ଭୋଜି ହୁଏ
ମୋ ଟିକସରେ, ନାଲିପାଣି ସୁଅଛୁଟେ
ଭୋକରେ ଧୂମାଲ୍ ରୋଷଣୀ ହୁଏ ।

ତୁ ଆସ ନୂଆବର୍ଷ ଆଶ୍ୱସ୍ତିରେ,
ବିବିଧ ଯୋଜନାର କୋଳାହଳରେ
ତୋ’ ଦେହରେ ଲେଖାହେବ ଇତିହାସ
ମାଗଣାଖିଆ, ବ୍ୟୟକୁଣ୍ଠ, ଶ୍ରମକୁଣ୍ଠ ଆଉ ନିଃସହାୟର
ପୀଡ଼ନ ଦେଲାବାଲା ଥିବେ, ମହାପୁରୁଷ ସାଜରେ ।

– ଅନସୂୟା ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅନସୂୟା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।