You are currently viewing ତୁ
ତୁ- ଓଡ଼ିଆ କବିତା

ତୁ

ପହିଲି ବର୍ଷାରେ କାଦୁଆ ବିଲରେ ଧାନ ରୂଆଟିଏ ମୁଁ
ମୋ କଅଁଳ କାଣ୍ଡକୁ ଶକ୍ତ କରୁଥିବା ଆଷାଢ଼ ଶ୍ରାବଣ ତୁ ।

ମନ ବହିଥାକ ଡାଏରୀର ସାଧା କାଗଜ ଫର୍ଦ୍ଦଟେ ମୁଁ
ମୋ ଛାତିରେ ଗାରେଇ କବିତାଟେ ଲେଖି କବିର କଳ୍ପନା ତୁ ।

କୋଟିଏ ତାରାଙ୍କୁ ପାଖରେ ରଖିବି ଏକା ଆକାଶଟେ ମୁଁ
ମୋ ଅନ୍ଧାର ହୃଦୟେ ଆଶା ଭରୁଥିବା ପୁନେଇଁ ଚାନ୍ଦଟା ତୁ ।

ବର୍ଷାକୁ ବାଟେଇ ଶୀତକୁ ବନ୍ଦେଇ ଶରତ ଋତୁଟେ ମୁଁ
ମୋ ଦାଣ୍ଡ ଅଗଣାରେ ନାଚି ଖେଳୁଥିବା କାଶତଣ୍ଡି ଫୁଲ ତୁ ।

ଅଙ୍କା ବଙ୍କା ପଥେ କୁଳୁ କୁଳୁ ବୋହି ଲକ୍ଷହୀନ ନଈ ମୁଁ
ମୋ ଠିକଣା ସାଇତି ଆଶ୍ରା ଦଉ ମୋତେ, ଦରଦୀ ସମୁଦ୍ର ତୁ ।

ଝଡ଼ ବତାସକୁ ଭାରି ଭୟ ମୋର ହୁଲି ଡଙ୍ଗାଟିଏ ମୁଁ
ମୋ ହାତ ଧରି ମୋତେ ଭସେଇ ନେଉରେ କାଠ ଆହୁଲାଟେ ତୁ ।

ପଥର ସନ୍ଧିରେ ଆପେ ଫୁଟିଥିବା ଜଙ୍ଗଲୀ ଫୁଲଟେ ମୁଁ
ମୋ ବାସ୍ନା ହୀନ ତନୁ ମହୁ ଶୋଷୁଥିବା ମହୁମାଛି ପରା ତୁ ।

ଅଜଣା ସହରେ ଅମଡ଼ା ବାଟରେ ଶୋଷିଲା ବାଟୋଇ ମୁଁ
ମୋତେ ଅସରନ୍ତି ରାସ୍ତା ଅପେକ୍ଷା କରିଛି, ମୋ ମରୁ ମରୀଚିକା ତୁ ।

– ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।