You are currently viewing କିଛି ସତ ଲୁଚି ରହିବା ଭଲ
କିଛି ସତ ଲୁଚି ରହିବା ଭଲ

କିଛି ସତ ଲୁଚି ରହିବା ଭଲ

କିଛି ସତ ଲୁଚି ରହିବା ଭଲ
ଆଖି କଣରେ ଅଶ୍ରୁ ଆଢ଼ୁଆଳରେ ହଉ
କିମ୍ବା ଓଠ ତଳ ହସର ଓଢ଼ଣା ତଳେ
କିଛି ସତ ଲୁଚି ରହିବା ଭଲ ।

କବିର ହୃତସ୍ପନ୍ଦନରେ ଯାହା ତା’
ଲେଖନୀ ମୁନରେ ଜୀବନ୍ତ ହବା ଅପେକ୍ଷାରେ ହଉ
କିମ୍ବା ଶିଳ୍ପୀର ତୁଳି ଅଗରେ ଯାହା କାହାଣୀଟେ
କହିବାର ଅପେକ୍ଷାରେ, ତା’ ଛବିର ପ୍ରତିବିମ୍ବରେ
କିଛି ସତ ଲୁଚି ରହିବା ଭଲ ।

ଅମାବାସ୍ୟା ରାତିର ନୀରବ ଅନ୍ଧକାରରେ
ଶ୍ୱାନ ଶ୍ୱାପଦଙ୍କ ବିକଟାଳ ରଡ଼ିରେ ହଉ
କିମ୍ବା ପୂର୍ଣ୍ଣିମା ଜହ୍ନର ରୂପେଲି ଜ୍ୟୋସ୍ନାରେ
କଇଁ ଫୁଲଟିଏ ହୋଇ ଫୁଟିବା ଅପେକ୍ଷାରେ
କିଛି ସତ ଲୁଚି ରହିବା ଭଲ ।

ଆକାଶର ବିଶାଳ ବକ୍ଷରେ ସୂର୍ଯ୍ୟଟିଏ ହୋଇ
ନିଇତି ସକାଳୁ ଉଇଁବାର ବିଶ୍ୱାସରେ ହଉ
କିମ୍ବା ସୂର୍ଯ୍ୟାସ୍ତ ପରେ ତାରାଟିଏ ହୋଇ
ଆକାଶର ଏକାପଣକୁ ଦୂର କରିବାର ଭରସାରେ
କିଛି ସତ ଲୁଚି ରହିବା ଭଲ ।

ଝଡ଼ ବତାସରେ ବୁଢ଼ା ବରଗଛ ପରି ଅଣ୍ଟା ସଳଖି
ଛାତି ଦେଖେଇ ଛିଡ଼ା ହବାର ଦମ୍ଭରେ ହଉ
କିମ୍ବା କୂଳରୁ ଭସାଇ ନେଇଥିବା ଜିନିଷକୁ କୂଳକୁ
ଫେରେଇ ଦବାର ସମୁଦ୍ରର ସ୍ୱାଭିମାନରେ
କିଛି ସତ ଲୁଚି ରହିବା ଭଲ ।

ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।