You are currently viewing ଶିଶୁ
ଶିଶୁ - ଓଡ଼ିଆ କବିତା

ଶିଶୁ

ପାହାନ୍ତି ଆକାଶେ ଶୋଭା ପାଉଥିବା କୁଆଁ ତାରାଟିଏ ଶିଶୁ
ଫଗୁଣ କାନିରେ ଦୋଳି ଖେଳୁଥିବା ଆମ୍ବ ବଉଳଟେ ଶିଶୁ ।

ପହିଲି ଆଷାଢ଼ ସ୍ପର୍ଶେ ଫୁଟିଥିବା ପାଳ ଛତୁଟିଏ ଶିଶୁ
ବିଶାଳ ବୟସ୍କ ବରଗଛ ଡାଳେ କଅଁଳ କଷିଟେ ଶିଶୁ ।

କୁମ୍ଭାର ଶାଳରେ ଗଢ଼ି ହେଉଥିବା କଞ୍ଚା ମାଠିଆଟେ ଶିଶୁ
ନିହାଣ ମୁନକୁ ତୀକ୍ଷ୍ଣ କରୁଥିବା ତତଲା ନିଆଁଟେ ଶିଶୁ ।

ପଙ୍କ ପୋଖରୀରେ ଫୁଟି ଉଠିଥିବା କଇଁ ଫୁଲଟିଏ ଶିଶୁ
ଦାଣ୍ଡ ଅଗଣାରେ ବୃନ୍ଦାବତୀ ମୂଳେ ତୁଳସୀ ଗଛଟେ ଶିଶୁ ।

ଆଖିରେ ଆଖିଏ ସପନ ସାଇତି ସଜ ସକାଳଟେ ଶିଶୁ
ବୁଢ଼ା ଗଛଡାଳ କୋରଡ଼ ଭିତରେ ପକ୍ଷୀ ଶାବକଟେ ଶିଶୁ ।

ଆଶାର ଅମାପ ସମୁଦ୍ର ଗର୍ଭରେ ସମ୍ଭାବନାଟିଏ ଶିଶୁ
ନିରୀହ ନିଷ୍ପାପ କୋମଳ ମନର ମାଲିକଟେ ହେଲା ଶିଶୁ ।

ଦୂର ଦିଗବଳୟ ଦିଗନ୍ତ ସେପାରେ ଉଇଁଥିବା ସୂର୍ଯ୍ୟ ଶିଶୁ
ପ୍ରକୃତି ରାଣୀର କୋଳ ମଣ୍ଡିଥିବା ଅନନ୍ୟ ସୃଷ୍ଟିଟେ ଶିଶୁ ।

ମାୟା ମୋହ ଭରା ମିଛ ସଂସାରରେ ପବିତ୍ର ପ୍ରାଣଟେ ଶିଶୁ
ଧରା କାନନରେ ସ୍ୱର୍ଗର ଅପୂର୍ବ ପାରିଜାତ ଫୁଲ ଶିଶୁ ।

– ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।