You are currently viewing ଶହୀଦ
Odia Poem Shahid (ଶହୀଦ) by Smrutiranjan Barik

ଶହୀଦ

ସ୍ୱାଧୀନ ଚିତ୍ତର ସ୍ୱାଧୀନ ହସ୍ତରେ,
ସ୍ୱାଧୀନ କରଇ ଯୁଦ୍ଧ;
ପରାଧିନ ଗ୍ଲାନି ପରର ଗୋଲାମି,
ସ୍ୱାଧୀନ ମାଗଇ ସୁଧ ।…୧

ସ୍ୱାଧୀନ ଜନ୍ମଇ ସ୍ୱାଧୀନ ବଢ଼ଇ,
ସ୍ୱାଧୀନତା ପରିଚୟ;
ଭାବନା ସ୍ୱାଧୀନ କର୍ମରେ ସ୍ୱାଧୀନ,
ପରାଧିନ ଦେହେ ଭୟ ।…୨

ସ୍ୱାଧୀନ ମନରେ ସ୍ଵାଭିମାନୀ ଚାଲେ,
ସ୍ୱାଧୀନକୁ କରି ଅସ୍ତ୍ର;
ପରାଧିନତାର କୁଠାର ନିନ୍ଦାକୁ,
ସ୍ୱାଧୀନେ ତଡ଼ଇ ଶସ୍ତ୍ର ।…୩

ସ୍ୱର୍ଣ୍ଣର ଚଢ଼େଇ ନାମରେ ବିଖ୍ୟାତ,
ସ୍ୱାଧୀନ ବିଶାଳ ଦେଶ;
ପଞ୍ଜୁରୀ ଭିତରେ ପକ୍ଷୀ ଛଟପଟ,
ବନ୍ଦୀର ଫାଶରେ ଝାସ ।…୪

ମୁକ୍ତିର ବିହଙ୍ଗ ଖୋଜେ ଆଜି ଗୃହ,
ସ୍ୱୟଂ ଗୃହେ ଅନ୍ଧକାର;
ଶାଖାର ଶାଖାକୁ ଉଡ଼ିନପାରଇ,
ଖଣ୍ଡା ଅଗ୍ରେ ଚାଲେ ଧାର ।…୫

ସ୍ଵାର୍ଥର ବାହନ ଏକତା ବିହୀନ,
ଟାଣେ ପରାଧିନ ଗାର;
ଅଜ୍ଞାନ ଜ୍ଞାନରେ ସାରଥୀ ଟାଣଇ,
ପ୍ରବଞ୍ଚକ,ମିଥ୍ୟାଚାର ।…୬

ଦ୍ୱନ୍ଦ୍ୱ ଯୁଦ୍ଧେ ଲିପ୍ତ ଦେଶର ସମ୍ରାଟ,
ପରସ୍ପର ମଧ୍ୟେ ଝାସ;
ବିରୋଧ ଭାବର ଫାଇଦା ବିରୋଧୀ,
ଦେଶ ମଧ୍ୟେ କରେ ନାଶ ।…୭

ଅତ୍ୟାଚାରୀ ଫାଶେ ଫଶଇ ସମଗ୍ର,
ଉଦର ଫାଟଇ ଅନ୍ତେ;
କେତେଯେ ଜୀବନ ଅଗ୍ନିରେ ମିଶଇ
ଇହଲୀଳା କରେ ସତେ ।…୮

କ୍ରୁରର କ୍ରୁରତା ଛୁଏଁ ଶୀର୍ଷ ସୀମା,
ଧରିତ୍ରୀ ହୁଅଇ ବ୍ୟସ୍ତ;
ଗର୍ଭଚିରି ଭୂଇଁ ବୀରକୁ ଜନ୍ମାଇ,
ଚାହେଁ ଅନ୍ୟାୟର ଅସ୍ତ ।…୯

କେତେ ଯେ ବୀରତ୍ୱ ମାଟିରେ ମିଶଇ,
ନୂତନ ପ୍ରଭାତ ନିଶା;
ପିଣ୍ଡର ପରାଣ ଭୂମିରେ ଚରଣ,
ଧୂଳି ବୋଳିଦିଏ ଆଶା ।…୧୦

ବରଷ ବରଷ ପରାଧୀନ ଧ୍ୟାନ,
ରୁଧିର ପୋଛଇ ଲୁହ;
ସତ୍ୟର ପଥରେ ଅହିଂସା ଅସ୍ତ୍ରରେ
ମୋହ ଧରିଥାଏ କୋହ ।…୧୧

ଭଗତ୍ ଆତ୍ମାରେ ସୁଭାଷ ନେତାରେ,
ଗଢ଼ିଦିଏ ଏକ ସୌଧ;
ମାଡ଼ି ଚାଲିଯାଏ ରକତ ନଦୀରେ,
ସହୀଦ ମାଂସର ପଥ ।…୧୨

ସ୍ୱାଧୀନ ଆସଇ ସ୍ୱାଧୀନ ଫେରଇ
ବୀରର ଭୂମିକୁ ପରେ;
ସ୍ଵାର୍ଥର ନିଶାରେ ଜାତିର ଭେଦରେ,
ବିଭାଜିତ ଦେଶ ଥରେ ।…୧୩

ସ୍ୱାଧୀନ ମିଳଇ ସ୍ୱାଧୀନ ଜିହ୍ୱାରେ,
ଦରିଦ୍ର ମାଗଇ ମୂଲ;
କାଗଜ କଲମେ ଲେଖାହୁଏ ଖାଲି,
ଆମେତ ସ୍ୱାଧୀନ ଚାଲ ।…୧୪

କାନ୍ଦଇ ଅଗଷ୍ଟ ଝରାଏ ଅଗଷ୍ଟ,
ଅଶ୍ରୁପୂର୍ଣ୍ଣ ଅଭିଶାପ;
କେତେଯେ ଅଗଷ୍ଟ ବଳିପଡ଼ିଯିବେ,
ତାରିଖ ପନ୍ଦର ଶାପ ।…୧୫

– ସ୍ମୃତିରଂଜନ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ମୃତିରଞ୍ଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।