You are currently viewing ଶେଷ ଇଚ୍ଛା
ଶେଷ ଇଚ୍ଛା

ଶେଷ ଇଚ୍ଛା

ରକ୍ତର ନଦୀ ବୁହାଇ
ରାଜ୍ୟ ପରେ ରାଜ୍ୟ ଜିଣି
ରାଜା ପରି ଦେଖିବାକୁ ତତେ ।

ମୋର ଯାହା ଶେଷ ଇଚ୍ଛା
ଜଣାଇ ଦେଉଛି ତେଣୁ
ତତେ ଏଇ ପତରରେ ।

ତୋ ପାଇଁ ସାଇତିଛି ଧନ
ଛୋଟ ଏକ ଦୀପଟିଏ
ନାଶିବାକୁ ତମସାକୁ
କର୍ତ୍ତବ୍ୟକୁ ତେଲ କରି,
ତ୍ୟାଗର ସଳିତା ଦେଇ
ତୋ ଦୀପ୍ତ ଶିଖାରେ ।

କେବେ ତୁ ସକ୍ଷମ ହବୁରେ ଧନ !
ପଢ଼ିବାକୁ ମୋ ମନର
ଅକୁହା ଭାଷାକୁ ।

ସାତ ତାଳ ପଙ୍କ ମଧ୍ୟେ
ଅଛି ଏକ ସୁନାର ସିନ୍ଦୁକ
ତହିଁରେ ଅଛିରେ ଧନ
ହୀରାର ମୁକୁଟ ।

ବୁଢ଼ୀ ଅସୁରୁଣୀକୁ ମାରି
ସେ ମୁକୁଟ ଆଣିବାକୁ କେବେ କହିବିନି ତତେ ।

ଏଇ ଆମ ଦେଶର
ମାଟି, ପାଣି ଓ ପବନକୁ ଅନୁଭବି,
ତୋ କଅଁଳ ମନରେ ବୁଝିଯିବୁ ଯେବେ,
ତେବେରେ ସମର୍ଥ ହେବୁ
କୋଟି କୋଟି ହୃଦୟ ଜିଣି
ତୋଳିବାକୁ ଏକ ଶ୍ରଦ୍ଧାର ସାମ୍ରାଜ୍ୟ ।

ତେବେ ଯାଇଁ ପାଇବୁରେ ଧନ
ହୀରଠାରୁ ମୂଲ୍ୟବାନ ସେଇ ଯଶର ମୁକୁଟ ।
ଆଉ ପୁରା ହେବ ମୋର ଶେଷ ଇଚ୍ଛା ।

– ଅନ୍ନପୂର୍ଣ୍ଣା ଧଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅନ୍ନପୂର୍ଣ୍ଣା ଧଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।